ଧଉଳି ଶାନ୍ତିସ୍ତୁପରେ ଫାଟ : କାନ୍ଥରୁ ଖସି ପଡ଼ିଲାଣି ପଲସ୍ତରା ଓ ଚୁନ ; ମରାମତି ନକଲେ ଛତ୍ରୀ ଗଳି ପଡ଼ିବାର ଆଶଙ୍କା

ରକ୍ଷଣାବେକ୍ଷଣ ପାଇଁ ଜୋର ଧରିଲା ଦାବ

113

କନକ ବ୍ୟୁରୋ : ଶାନ୍ତିସ୍ତୁପରେ ଫାଟ, ଖସି ପଡିଲାଣି କଂକ୍ରିଟ । ରାଜ୍ୟ ପର୍ଯ୍ୟଟନର ଆକର୍ଷଣ ସାଜିଥିବା ଶାନ୍ତିସ୍ତୁପ ଛତ୍ରୀରେ ଫାଟ ସୃ୍ଷ୍ଟି ହୋଇଛି । ସ୍ତୁପର ବିଭିନ୍ନ ସ୍ଥାନରୁ କଂକ୍ରିଟ ଖଣ୍ଡ ଖସିପଡି ଗର୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । କିଛି ସ୍ଥାନରେସ୍ତୁପର କାନ୍ଥ ଚଡକି ଯାଇଥିବାବେଳେ ପଲସ୍ତରା ଖସି ଯାଇଛି । ସ୍ଥିତି ଏମିତି ହୋଇଛି ଯେ କିଛି ଦିନ ଭିତରେ ମରାମତି କରାନଗଲେ ଛତ୍ରୀ ଗଳି ପଡିବାର ଆଶଙ୍କା ପ୍ରକାଶ ପାଇଛି । ଫନୀ ମହାବାତ୍ୟାର ଧକ୍କା ସହିବା ପରେ ସ୍ତୁପ ଧୀରେ ଧୀରେ ବିପଦସଂକୁଳ ଅବସ୍ଥାକୁ ଠେଲି ହୋଇଯାଇଥିଲେ ହେଁ ଏହା ଉପରେ କାହାରି ନଜର ପଡୁନାହିଁ । ତେଣୁ ଶାନ୍ତିସ୍ତୁପର ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି ।

ସୂଚନାନୁଯାୟୀ ଫନିରେ ଶାନ୍ତିସ୍ତୁପ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ‌୧୫୦ ଫୁଟ ବିଶିଷ୍ଟ ସମଗ୍ର ଶାନ୍ତିସ୍ତୁପର ବିଭିନ୍ନ ସ୍ଥାନରୁ ପଲସ୍ତରା ଛାଡ଼ିଗଲାଣି । ଠାଏ ଠାଏ କଂକ୍ରିଟ ଖଣ୍ଡ ଖସିପଡ଼ିଲାଣି ।  ଅଗ୍ରଭାଗରେ ଥିବା ୫ଟି ଛତ୍ରି ସ୍ଥାନ ସମେତ ମଧ୍ୟଭାଗ ଗମ୍ବୁଜର ବିଭିନ୍ନ ସ୍ଥାନରୁ ପଲସ୍ତରା ଖସିଯାଇଛି । ଅନେକ ସ୍ଥାନରେ ଗାର ଗାର ହୋଇ ଚନକିଲା ଭଳି ଫାଟ ଦେଖାଯାଇଛି । କଂକ୍ରିଟ ଛାନିଯାଇଥିବାରୁ ସେଥିରେ ଛୋଟବଡ଼ ଗର୍ତ୍ତ ଦେଖିବାକୁ ମିଳୁଛି । ଏବେଠାରୁ ଏହାକୁ ମରାମତି କରି ରକ୍ଷଣାବେକ୍ଷଣ ନକରାଗଲେ ଭବିଷ୍ୟତରେ ଶାନ୍ତିସ୍ତୁପ ବିପଦସଙ୍କୁଳ ହୋଇପଡ଼ିବ ।