ପାର୍ବଣ ପାଇଁ ପ୍ରସ୍ତୁତି । ଦେବୀ ଦୁର୍ଗାଙ୍କ ଧରାବତରଣ ପ୍ରସ୍ତୁତି ନେଇ କୂଆଖାଇ ନଦୀ ପଠାରୁ ମାଟି ଅନୁକୂଳ କଲେ ବିଭିନ୍ନ ପୂଜା କମିଟି

46

ପାଖେଇ ଆସୁଛି ଶାରଦୀୟ ପାର୍ବଣର ଉତ୍ସବ । ମା ଜଗତଜନନୀ ଦେବୀ ଦୁର୍ଗାଙ୍କୁ ଧରାବତରଣରେ ସ୍ୱାଗତ ପାଇଁ ନଦୀ ପଠାରୁ ଆସିଛି ମାଟି। ଏଥିସହ ମନ ମୋହିବାକୁ ମହା ଆଡ଼ମ୍ବରରେ ପାଦ ଥାପିଛି ପାର୍ବଣ ଋତୁ। ଶାରଦୀୟ ଦୁର୍ଗା ପୂଜାର ଆଦ୍ୟ ପର୍ବରେ କୁଆଖାଇ ନଦୀପଠା ଆଜି ଲୋକାରଣ୍ୟ ହୋଇଥିଲା। ଘଣ୍ଟ, ଶଙ୍ଖ, ହୁଳହୁଳି, ଢୋଲ ମହୁରିର ମାଙ୍ଗଳିକ ଧ୍ୱନିରେ ପ୍ରକମ୍ପିତ ହୋଇଡିଥିଲା କୁଆଖାଇ ନଦୀ ପଠା। ମା’ଙ୍କ ମୂର୍ତି ପାଇଁ ନଦୀ ପଠାରୁ ମାଟି ଅନୁକୂଳ କରି ଉଠାଇଥିଲେ ଶ୍ରଦ୍ଧାଳୁ।

ରାଜଧାନୀ ଭୁବନେଶ୍ୱରର ପାଖାପାଖି ୧୨୦ରୁ ଉଦ୍ଧ୍ୱର୍ ପୂଜା ମଣ୍ଡପ ମା’ଙ୍କ ଲାଗି କୂଆଖାଇ ନଦୀ ପଠାରୁ ମାଟି ଉଠାଇଥିଲେ । ଏଥି ମଧ୍ୟରେ ରହିଛି ନୟାପଲ୍ଲୀ ଦୁର୍ଗାପୂଜା ସମିତି, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ, ଜୟଦେବ ବିହାର, ବରମୁଣ୍ଡା ରୁଚିକାମାର୍କେଟ୍, ଗଜପତି ନଗର, ନୂଆସାହି ମହାବୀର ପୂଜା କମିଟି ପକ୍ଷରୁ ମାଟି ଅଣାଯାଇଥିଲା। ଜନ୍ମାଷ୍ଟମୀରେ ବୈଦିକ ରୀତିରେ ପୂଜାର୍ଚନା ସହ ମାଟିକୁ ଦୋଳରେ ଆଣି ସମସ୍ତ ମନ୍ଦିର ପରିକ୍ରମା କରାଯାଇଥିଲା ।

ପାର୍ବଣ ଋତୁ ଆସୁଥିବାରୁ ଶ୍ରଦ୍ଧାଳୁଙ୍କ ସହଯୋଗ ହିଁ ମା’ଙ୍କ ପୂଜାକୁ ସଫଳ କରାଇପାରିବ ବୋଲି ବିଭିନ୍ନ ଦୁର୍ଗାପୂଜା ସମିତି ଉତ୍ସାହିତ ହୋଇଥିବାବେଳେ ନୟାପଲ୍ଲୀ ଦୁର୍ଗାପୂଜା ସମିତିର ଉପଦେଷ୍ଟା ନବକିଶୋର ବେହେରା କହିଛନ୍ତି, ଯେ ପୁଣି ମା’ଙ୍କୁ ଧରାବତରଣ ପାଇଁ ଆହ୍ୱାନ ପ୍ରାର୍ଥନା କରିବାର ସୁଯୋଗ ମିଳିଛି ।