ମହୀଶୁର ଦଶହରା: ୭୫୦ କିଲୋର ଆସନ, ଦେଢ ଲକ୍ଷ ବଲର ହୋଇଥାଏ ବ୍ୟବହାର! ଜାଣନ୍ତୁ ପୂରା ଇତିହାସ …

609

କନକ ବ୍ୟୁରୋ: ବିଜୟା ଦଶମୀରେ ସାରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ଧୁମଧାମରେ ଦୀର୍ଘ ୨ ବର୍ଷ ପରେ ଲୋକେ ମନଖୁସିରେ ଦଶହରା ପାଳିଥିଲେ । ତେବେ ସାରା ବିଶ୍ୱରେ ଦଶହରା ପାଇଁ ପ୍ରସିଦ୍ଧ ମହୀଶୁର ଦଶହରା ଉପରେ ସମସ୍ତଙ୍କ ନଜର ରହିଥିଲା । ଏହାର କାରଣ ହେଉଛି, ଅନ୍ୟ ଦଶହରା ଅପେକ୍ଷା ଏଠାକାର ଦଶହରା ଭବ୍ୟ ଆଉ ସୁନ୍ଦର । ୧୦ ଦିନ ଧରି ପାଳିତ ହେଉଥିବା ଏହି ଉତ୍ସବରେ ଶତାଧିକ ଲୋକେ ସାମିଲ ହୋଇଥାନ୍ତି । କେବଳ ଏହି ଉତ୍ସବ ପାଇଁ ମହୀଶୁର ସହରକୁ ସୁନ୍ଦର ଆଲୋକମାଳାରେ ସଜାଇ ଦିଆଯାଇଥାଏ ।

ଏହି ଦଶହରାର ଉତ୍ସବକୁ ମାଆ ଚାମୁଣ୍ଡେଶ୍ୱରୀ, ମହିଷାସୁରର ବଧର ପ୍ରତୀକ ଭାବେ ମାନିଥାନ୍ତି ଲୋକେ । କୁହାଯାଏ, ଦେବୀ ଦୁର୍ଗାଙ୍କ ଅବତାର ଚାମୁଣ୍ଡେଶ୍ୱରୀ ୧୦ ଦିନର ଲଢେଇ ପରେ ରାକ୍ଷାସ ମହିଷାସୁରର ବଧ କରିଥିଲେ । ଏଥିପାଇଁ ୧୦ ଦିନ ଧରି ସାରା ସହରରେ ଉତ୍ସବ ପାଳନ କରାଯାଇଥାଏ ।

ମହୀଶୁର ଦଶହରାର ଇତିହାସ ମହୀଶୁର ନଗରୀର ଇତିହାସ ସହ ଜଡିତ । ଏହା ମଧ୍ୟଯୁଗୀୟ ଦକ୍ଷିଣ ଭାରତର ଅଦ୍ୱିତୀୟ ବିଜୟନଗର ସାମ୍ରାଜ୍ୟ ସମୟରୁ ଆରମ୍ଭ ହୋଇଥିଲା । ହରିହର ଓ ବୁକା ନାମକ ଦୁଇ ଭାଇ ଦ୍ୱାରା ୧୪ ଶହ ଶତାବ୍ଦୀରେ ସ୍ଥାପିତ ଏହି ସାମ୍ରାଜ୍ୟରେ ନବରାତ୍ରୀ ଉତ୍ସବ ପାଳିତ ହୋଇଥିଲା । ପାଖାପାଖି ଛଅ ଶତାବ୍ଦୀ ପୁରୁଣା ଏହି ଉତ୍ସବକୁ ୱାଡିଆର ରାଜବଂଶର ଲୋକପ୍ରିୟ ଶାସକ କୃଷ୍ଣରାଜ ୱାଡିଆର ଦଶହରାର ନାମ ଦେଇଥିଲେ ।

ଦଶହରାର ଏହି ଉତ୍ସବର ପ୍ରାରମ୍ଭ ମହୀଶୁରର ଚାମୁଣ୍ଡି ପାହାଡରେ ବିରାଜମାନ କରିଥିବା ଦେବୀ ଚାମୁଣ୍ଡେଶ୍ୱରୀଙ୍କ ମନ୍ଦିରରେ ବିଶେଷ ପୂଜାଅର୍ଚ୍ଚନା ସହ ହୋଇଥାଏ । କୁହାଯାଏ ଏହି ଉତ୍ସବ ପାଇଁ ମହୀଶୁର ରାଜପ୍ରାସାଦକୁ ୯୦ ହଜାରରୁ ଅଧିକ ବିଦ୍ୟୁତ ବଲରେ ସଜାଇଦିଆଯାଇଥାଏ । ସେହିଭଳି ଚାମୁଣ୍ଡି ପାହାଡରେ ଦେଢଲକ୍ଷ ବିଦ୍ୟୁତ ବଲକୁ ଲଗାଇ ଆକର୍ଷଣୀୟ ଭାବେ ସଜାଇ ଦିଆଯାଇଥାଏ । ଜଗନମୋହନ ପ୍ୟାଲେସ, ଜୟଲଷ୍ମୀ ପ୍ୟାଲେସ ଏବଂ ଲଳିତା ପ୍ୟାଲେସ ଏହି ସୁନ୍ଦର ଆଲୋକମାଳରେ ଅଦ୍ୱିତୀୟ ଦେଖାଯାଇଥାଏ ।

ଯେତେବେଳେ ଦେବୀ ଚାମୁଣ୍ଡେଶ୍ୱରୀ ହାତୀର ବିରାଜମାନ କରି ଶୋଭାଯାତ୍ରାରେ ଆସିଥାନ୍ତି ସେତେବେଳେ ଏହାର ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧି ପାଇଥାଏ । ଶୋଭାଯାତ୍ରା ପାଇଁ ହାତୀମାନଙ୍କୁ ସୁନ୍ଦର ଭାବେ ସଜାଇଦିଆଯାଇଥାଏ । ବିଜୟାଦଶମୀରେ କେବଳ ଏହି ଶୋଭାଯାତ୍ରାକୁ ଦେଖିବା ପାଇଁ ରାସ୍ତାର ଦୁଇ ପାଶ୍ୱର୍ରେ ହଜାର ହଜାର ଲୋକଙ୍କ ଭିଡ ଜମିଥାଏ ।

ବିଜୟାଦଶମୀରେ ଏହି ଶୋଭାଯାତ୍ରାରେ ହାତୀ ଉପରେ ବିରାଜମାନ କରିଥିବା ମା ଚାମୁଣ୍ଡେଶ୍ୱରୀ ଦେବୀଙ୍କ ପ୍ରତିମା ସହ ୭୫୦ କିଲୋ ସ୍ୱର୍ଣ୍ଣ ଆସନ ରଖାଯାଇଥାଏ । ପ୍ରଥମେ ମାଆଙ୍କ ପୂଜା ମହୀଶୁର ରାଜପରିବାର ସଦସ୍ୟ କରିବା ପରେ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥାଏ । ଏହି ସୁନ୍ଦର ଆସନକୁ ମହୀଶୁର କାରିଗରଙ୍କ ଅଦ୍ଭୁତ ପରିକଳ୍ପନା । କାଠ ଏବଂ ବିଭିନ୍ନ ଧାତୁର ସମନ୍ୱୟରେ ଏହି ସୁନ୍ଦର ଆସନ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ଏହାକୁ ମହୀଶୁରର ରାଜା ନିଜର ରାଜକୀୟ ହାତୀ ଉପରେ ବ୍ୟବହାର କରୁଥିଲେ । ବର୍ତ୍ତମାନ କେବଳ ବିଜୟା ଦଶମୀରେ ହିଁ ଏହି ଆସନକୁ ବ୍ୟବହାର କରାଯାଉଛି । ମାଆଙ୍କ ଆଗମନବେଳେ ହିଁ ଏହି ଆସନ ବ୍ୟବହାର ହେଉଛି ।