କଟକଣା ଭିତରେ ସରିଗଲା ଦଶହରା: ବିଜୟା ଦଶମୀରେ ବି ମଣ୍ଡପକୁ ଯାଇପାରିଲେନି ଭକ୍ତ

95

କନକ ବ୍ୟୁରୋ: ଆଜି ଦଶହରାର ଅନ୍ତିମ ଦିନ ବିଜୟା ଦଶମୀ । ଉଭୟ ଶକ୍ତିପୀଠ ଓ ମଣ୍ଡପରେ ମୃଣ୍ମୟୀ ମୂର୍ତିଙ୍କ ପାଖରେ ଦଶହରା ପୂଜା କରାଯାଇଛି । କରୋନା ଯୋଗୁଁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ତଥାପି ନିରାଡମ୍ବର ଭାବେ ରାଜ୍ୟର ବିଭିନ୍ନ ଭାଗରେ ଦଶମୀ ପୂଜା କରାଯାଇଛି । ଦଶହରା ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ମଧ୍ୟ ମାତୃଶକ୍ତି ବନଦୁର୍ଗାଙ୍କୁ ପୂଜା କରି ପ୍ରବଳ ପ୍ରତାପୀ ରାବଣକୁ ବଦ୍ଧ କରିଥିଲେ । ତେଣୁ ଦଶହରାକୁ ଅଧର୍ମ ଉପରେ ଧର୍ମର ବିଜୟ ଓ ଅସତ୍ୟ ଉପରେ ସତ୍ୟର ବିଜୟ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଉଛି ।

ଦଶହରାର ଆଉ ଏକ ନିଆରା ପରମ୍ପରା ସିନ୍ଦୁର ଖେଳ । ମହିଳାମାନେ ସ୍ୱାମୀ ଓ ପରିବାରର ଶୁଭମନାସୀ ଦେବୀ ଦୁର୍ଗାଙ୍କୁ ସିନ୍ଦୁର ଲଗାଇଥାନ୍ତି । ଏହାପରେ ପରସ୍ପର ଭିତରେ ସିନ୍ଦୁର ଲଗାଇଥାନ୍ତି । ବଙ୍ଗୀୟ ପରମ୍ପରାରେ ଦଶହରା ପାଳନ ହେଉଥିବା ପୂଜା ମଣ୍ଡପ ଗୁଡିକରେ ଏହି ବିଧି ଦେଖିବାକୁ ମିଳିଛି । ମାଲକାନଗିରି, ବାଲେଶ୍ୱର ଓ ପୁରୀରେ ମହିଳାମାନେ ମାଆଙ୍କ ପୂଜା ମଣ୍ଡପରେ କୋଭିଡ କଟକଣା ଭିତରେ ସିନ୍ଦୁର ଖେଳିଛନ୍ତି ।

ଦଶହରା ପୂଜା ସହ ବିଦାୟ ନେଉଛନ୍ତି ମା’ ଦୁର୍ଗା । ପୁଣି ବର୍ଷକ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଧରାପୃଷ୍ଠକୁ ଆସିବେ ଜଗତଜନନୀ ଦେବୀ ଦୁର୍ଗା । ରୀତିନୀତି ଅନୁୟାୟୀ ମାଙ୍କର ପୂଜାର୍ଚ୍ଚନା ହେଲା କିନ୍ତୁ ନଥିଲା ପୂର୍ବ ଭଳି ଉତ୍ସାହ । ମନର କୋହକୁ ମନରେ ମାରି ପରଦା ପଛପଟୁ ଦୁରରେ ଥାଇ ଦେବୀଙ୍କୁ ଆରାଧନା କଲେ ଭକ୍ତ । ମାଙ୍କୁ ଦେଖିପାରିନଥିବାରୁ ଭାବବିହ୍ୱଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ ।

ଶନିବାର ଭଷାଣୀ ପାଇଁ ବିଏମସି ପକ୍ଷରୁ ଭୁବନେଶ୍ୱରରେ ୩ଟି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାୟାଇଛି । କୁଆଖାଇ ନଦୀରେ ଦୁଇଟି ଓ ଦୟୀ ନଦୀରେ ଗୋଟିଏ ଅସ୍ଥାୟୀ ପୋଖରି କରିଛି ପ୍ରଶାସନ । ନା ବାଜିବ ବାଜା ନା ହେବ ରୋଷଣୀ । ଶାନ୍ତି ଶୃଙ୍ଖଳା ସହ ବିସର୍ଜନ କରିବା ପାଇଁ ଭୁବନେଶ୍ୱର ଶାନ୍ତି କମିଟି ସମସ୍ତ ପୂଜା କମିଟିକୁ ଜଣାଇଦେଇଛି ।