ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମ ଦେଇଛି ସଫଳତା । ଭାଗଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଯାଜପୁର ରଣାଗୁଣ୍ଡି ଗାଁର ଦୁର୍ଯ୍ୟୋଧନ

107

କନକ ବ୍ୟୁରୋ : ଜଣେ ସଫଳ ଚାଷୀଙ୍କ କାହାଣୀ । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ରଣାଗୁଣ୍ଡି ଗାଁର ଦୁର୍ଯ୍ୟୋଧନ ମାହନ୍ତ । ଅଢ଼େଇ ଏକର ଜମିରେ କରିଛନ୍ତି ପନିପରିବା ଚାଷ । ଦିନ ଥିଲା ବାପାଙ୍କ ସହ ବିଲକୁ ଯାଇ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଥିଲେ ଦୁର୍ଯ୍ୟୋଧନ । ଭାଗଚାଷ ଜମିରେ ଅଳ୍ପ କିଛି ପରିବା ଚାଷ କରି ନିଜ ପରିବାର ପୋଷିବା କଷ୍ଟକର ହୋଇପଡିଥିଲା । ନୂଆ କିଛି କରିବାର ଚିନ୍ତା କରି ବାଇଗଣ, କଲରା, ଭେଣ୍ଡି, ଲଙ୍କା, ହରଡ଼, ସାରୁ, ହଳଦୀ, ଆଦି ବିଭିନ୍ନ ପନିପରିବା ଚାଷ ଆରମ୍ଭ କରିଥିଲେ । କିଛିଦିନ ପରେ ରୋଜଗାରର ବାଟ ଫିଟିଲା । ଏବେ ଏହି ଚାଷ କରି ଦୁର୍ଯ୍ୟୋଧନ ମାହନ୍ତ ବାର୍ଷିକ ପାଖାପାଖି ୧୦ ରୁ ୧୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଅନ୍ୟ ଯୁବବର୍ଗଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

ପ୍ରଥମେ ଅଳ୍ପ ଜମିରେ ପନିପରିବା ଚାଷ ଆରମ୍ଭ କରିଥିଲେ ଦୁର୍ଯ୍ୟୋଧନ ମାହନ୍ତ । ସେଥିରେ ଆଶାତୀତ ସଫଳତା ପାଇଲେ । ଭଲ ଦିପାଇସା ଲାଭ ହେଲା । ଉନ୍ନତ ମାନର ପରିବା ଚାଷ କରି ସେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନେକ ଯୁବକତାଲିମ ମଧ୍ୟ ଦେଉଛନ୍ତି । ତାଙ୍କର ଏହି ପ୍ରୟାସକୁ ସ୍ଥାନୀୟ ଅଂଚଳର ଗ୍ରାମବାସୀ ପ୍ରଶଂସା କରିଛନ୍ତି । ବାଇଗଣ, କଲରା, ଭେଣ୍ଡି, ଲଙ୍କା, ହରଡ଼, ସାରୁ, ହଳଦୀ ବିକ୍ରି କରି ଏବେ ଲାଭବାନ ହେଉଛନ୍ତି ଦୁର୍ଯ୍ୟୋଧନ । ଚାଷ କରି ଦୁର୍ଯ୍ୟୋଧନ ମାହନ୍ତ କେବଳ ନିଜେ ସ୍ୱାବଲମ୍ବୀ ହୋଇଛନ୍ତି ତା’ନୁହେଁ, ସେ ଅନ୍ୟ ୧୦ ଜଣ ବ୍ୟକ୍ତିଙ୍କୁ ମଧ୍ୟ ଏଥିରେ ନିୟୋଜିତ କରି ରୋଜଗାରକ୍ଷମ କରାଇ ପାରିଛନ୍ତି ।

ଶିଳ୍ପଜିଲ୍ଲା ଯାଜପୁରରେ ବେକାରୀ ସମସ୍ୟା ବଢୁଥିବା ବେଳେ ଦୃଢ ଆତ୍ମ ବିଶ୍ୱାସ ଓ କଠିନ ପରିଶ୍ରମ ବଳରେ ଦୁର୍ଯ୍ୟୋଧନ ମାହନ୍ତ ପରିବା ଚାଷକରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।