୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ଅକୁହା କାହାଣୀ । କେମିତି ପାକ ସେନାକୁ ପାଣି ପିଆଇଥିଲେ ଭାରତୀୟ ଯବାନ, ଅନୁଭୂତି ବଖାଣିଲେ ତ୍ରିପୁରା ରେଜିମେଣ୍ଟର ସୈନିକ ଦୁର୍ଯୋଧନ ମହାନ୍ତି ।

172

କନକ ବ୍ୟୁରୋ : ସାରା ଦେଶ ଆଜି ପାଳନ କରୁଛି ବିଜୟ ଦିବସ । ଠିକ୍ ୫୦ ବର୍ଷ ତଳେ ୧୯୭୧ରେ ପାକିସ୍ତାନ ବିରୋଧରେ ଚାଲିଥିବା ଯୁଦ୍ଧରେ ବିଜୟୀ ହୋଇଥିଲା ଭାରତ । ଆଉ ପରାସ୍ତ ହୋଇଥିଲା ପାକିସ୍ତାନ । ପାକିସ୍ତାନ ସେନା ନିସର୍ତ ସମର୍ପଣ କରିବା ସହ ପୂର୍ବ-ପାକିସ୍ତାନର ବିଲୋପ ଘଟି ଜନ୍ମ ନେଇଥିଲା ବାଂଲାଦେଶ । ବାଂଲଦେଶ ମୁକ୍ତିବାହିନୀ ଓ ଭାରତ ଭାରତୀୟ ସେନା ଏକତ୍ର ଲଢି ଏହି ଐତିହାସିକ ବିଜୟ ହାସଲ କରିଥିଲେ । ସେହି ଯୁଦ୍ଧରେ ଯୋଦ୍ଧା ଥିଲେ ବୀର ଓଡିଆ ଦୁର୍ଯୋଧନ ମହାନ୍ତି । ଆଜି ସେ ସେହି ଦିନର କାହାଣିକୁ ବଖାଣିଛନ୍ତି ।

ଗୋଟିଏ ପଟେ ଥିଲା ପାକିସ୍ତାନ ସେନା, ଅନ୍ୟ ପଟେ ଥିଲେ ଭାରତୀୟ ସେନା ଓ ବାଙ୍ଗଲାଦେଶ ମୁକ୍ତି ବାହିନୀ । ନିଜର ଅସ୍ତିତ୍ୱ ବଜାୟ ରଖିବା ପାଇଁ ଶେଷ ଉଦ୍ୟମ ଜାରି ରଖିଥିଲା ପାକିସ୍ତାନୀ ସେନା । ଏପଟେ ପାକିସ୍ତାନୀ ସେନାକୁ ଧୂଳି ଚଟାଇବା ପାଇଁ ପଣ କରି ଆଗକୁ ବଢ଼ୁଥିଲେ ଭାରତୀୟ ଯବାନ । ଶତ୍ରୁ ଉପରେ ଆକ୍ରମଣ କରିବା ପାଇଁ କେବଳ କମାଣ୍ଡରଙ୍କ ନିର୍ଦ୍ଦେଶକୁ ଥିଲା ଅପେକ୍ଷା ।

ଯେତେବେଳେ ଭାରତ ଓ ବାଙ୍ଗଲାଦେଶ ହୋଇଥିବା ଏହି ଲଢ଼େଇରେ ସେତେବେଳେ ଲଢ଼ିଥିଲେ ଓଡିଆ ବୀର ଦୁର୍ଯୋଧନ ମହାନ୍ତି । ସେଦିନର ଅନୁଭୂତିକୁ ବଖାଣି କହନ୍ତି, କିଭଳି ଭାରତ ସୀମାରେ ସେମାନେ ପ୍ରସ୍ତୁତ ହୋଇ ରହିଥିଲେ ଶେଷ ଆକ୍ରମଣ ପାଇଁ ।  ଏହି ଯୁଦ୍ଧରେ ତାଙ୍କ ଆଖି ଆଗରେ ଅନେକ ସାଥୀ ଯବାନ ଶହୀଦ ହୋଇଯାଇଥିଲେ । କିନ୍ତୁ ଶେଷରେ ବିଜୟ ଲାଭ କରିଥିଲା ଭାରତ । ଆଉ ବାଙ୍ଗଲାଦେଶ ପାକିସ୍ତାନ କବଳରୁ ମୁକ୍ତ ହୋଇ ସ୍ୱତନ୍ତ୍ର ରାଷ୍ଟ୍ର ଭାବେ ପରିଚୟ ପାଇଲା ।