ଶଙ୍ଖ ଶିବିରକୁ ଫେରିଲେ ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝି । ଗତକାଲି ବିଜେପିରୁ ଦେଇଥିଲେ ଇସ୍ତଫା ।

276

କନକ ବ୍ୟୁରୋ : ବିଜୁ ଜନତା ଦଳକୁ ଫେରିଛନ୍ତି ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝୀ । ଆଜି ସନ୍ଧ୍ୟାରେ ନବୀନ ନିବାସରେ ପହଞ୍ଚି ସେ ବିଜେଡିରେ ଯୋଗ ଦେଇଛନ୍ତି । ତେବେ ଗତକାଲି ବିଜେପି ଛାଡିଥିଲେ ଦୁର୍ଯ୍ୟୋଧନ । ଆଗାମୀ ନିର୍ବାଚନ ପାଇଁ ଖରିଆର ବିଧାନସଭା ଆସନରୁ ତାଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଟିକେଟ୍ ନମିଳିବାରୁ ଅସନ୍ତୁଷ୍ଟ ହୋଇ ସେ ବିଜେପିରୁ ଇସ୍ତଫା ଦେଇଥିଲେ । ଆଉ ଏନେଇ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ନିଜ ଇସ୍ତଫାପତ୍ର ପଠାଇଥିଲେ ।

ବିଜେପି ଖରିଆର ଆସନ ପାଇଁ ହିତେଶ ବଗର୍ତ୍ତିଙ୍କ ସ୍ତ୍ରୀ ରୀତାରାଣୀ ବଗର୍ତ୍ତିଙ୍କୁ ଟିକେଟ ଦେଇଛି । ତେବେ ବିଜେଡି ଦୁର୍ଯ୍ୟୋଧନଙ୍କୁ ପ୍ରାର୍ଥୀ କରୁଛି କି ନାହିଁ, ଏବେ ତା ଉପରେ ରହିଛି ସମସ୍ତଙ୍କ ନଜର । ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ଦଳଡିଆଁ ଅଭିଯାନ ସେତିକି ବଢିବାରେ ଲାଗିଛି । ବିଶେଷ କରି ଅଧିକାଂଶ ନେତା ଟିକେଟ୍ ପାଇଁ ଦଳ ଛାଡୁଥିବା ଦେଖିବାକୁ ମିଳିଛି । ତେବେ ଆଗକୁ ନିର୍ବାଚନ ପାଖେଇ ଆସୁଥିବା ବେଳେ କେଉଁ ନେତା କେଉଁ ଦଳକୁ ଯାଉଛନ୍ତି, ତାହା ଦେଖିବାକୁ ରହିଲା ।