ଆସିଛି ପାର୍ବଣ, ଜମୁଛି ପୂଜା: ଶାରଦୀୟ ପାର୍ବଣ ଋତୁରେ ମା’ ମଙ୍ଗଳାଙ୍କ ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା

87

କନକ ବ୍ୟୁରୋ: ଆସିଛି ପାର୍ବଣ ରୁତୁ । ଆଉ ଜମୁଛି ପୂଜା । ବିଭିନ୍ନ ଶକ୍ତି ପୀଠ ମା’ ଆଗମନ ପାଇଁ ବେଶ ଚଳଚଂଚଳ ହୋଇପଡ଼ିଛି । କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ଓ ବୌଦ୍ଧର ମା’ ଭୈରବୀଙ୍କ ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା ।

କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା । ମୂଳାଷ୍ଟମୀରେ ୧୦୮ ଗରା ସୁବାସିତ ଜଳରେ ମା’ଙ୍କର ମହାସ୍ନାନ କରାଯାଇ ଘଂଟଘଂଟା, ହରିବୋଲ, ହୁଳହୁଳିରେ ପ୍ରକମ୍ପତି ହୋଇଥିଲା ପୁରା ପରିବେଶ । ଆଉ ମା’ଙ୍କ ଦର୍ଶନ ପାଇଁ ମଧ୍ୟ ବହୁ ଦୁରଦୂରାନ୍ତରୁ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା’ଙ୍କର ଏହି ପୂଜା ଚାଲିବ । ପାର୍ବଣ ସମୟରେ ଦିନ ରାତି ୨୪ ଘଂଟା ମା’ ମଙ୍ଗଳାଙ୍କ ୪ ଦ୍ୱାର ଖୋଲା ରହିବାର ପରମ୍ପରା ରହିଛି । ଆଉ ନବପତ୍ରିକା ଠାରୁ ମା’ ସ୍ୱତନ୍ତ୍ର ବେଶରେ ଭକ୍ତଙ୍କୁ ଦର୍ଶନ ଦର୍ଶନ ଦେବାର ପରମ୍ପରା ରହିଛି ।

ସେହିପରି ବୌଦ୍ଧ ଜିଲ୍ଲାର ଆରାଧ୍ୟ ଦେବୀ ମା’ ଭୈରବୀଙ୍କ ପୀଠରେ ମଧ୍ୟ ସ୍ୱତନ୍ତ୍ର ପୂଜାର୍ଚ୍ଚନ କରାଯାଇଛି । ଅନ୍ୟପୀଠ ଠାରୁ ଏଠାରେ ମା’ଙ୍କ ପୂଜା ବେଶ ନିଆରା । ୧୬ ଦିନ ଧରି ଏଠାରେ ମା’ଙ୍କର ଗୁପ୍ତ କରାଯାଏ । ଏହି ଗୁପ୍ତ ପୂଜା ଚାଲିଥିବା ସମୟରେ ଲୋକଙ୍କୁ ମନ୍ଦିରକୁ ଯିବାକୁ ବାରଣ କରାଯାଏ । ୧୬ ଦିନ ଯାଏଁ ମନ୍ଦିର କବାଟ ବନ୍ଦ ରହିଥାଏ । ପ୍ରଥମ ଓ ଅନ୍ତିମ ଦିନ ମା’ଙ୍କ ବିଜୟ ପ୍ରତିମା ଓ ପାଟଖଣ୍ଡାକୁ ନେଇ ସେବକ ମାନେ ଘଂଟଘଂଟା ଶଂଖ ଧ୍ୱନୀରେ ସହର ପରିକ୍ରମା କରାଯାଏ । ଆଶ୍ୱୀନ ମାସ କୁମାର ପୂର୍ଣ୍ଣିମା ଅର୍ଦ୍ଧରାତ୍ରୀରେ ମା’ଙ୍କ ମେଲାଣି ପୂଜା କରାଯାଇ ପତ୍ର ବିସର୍ଜନ କରାଯାଏ ।

ପାର୍ବଣ ଆସିଲେ କାଶତଣ୍ଡି ଫୁଲର ସମ୍ଭାର ଦେଖିବାକୁ ମିଳିଥାଏ । ମା’ଙ୍କୁ ସ୍ୱାଗତ କରିବା ପାଇଁ ଯେପରି ଧରଣୀ ରାଣୀ ତା’ ବକ୍ଷରେ କାଶତଣ୍ଡିର ପସରା ମେଲାଇ ବସିଥାଏ । ସେହିଭଳି ଦୃଶ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥାଏ ।