ଭୁବନେଶ୍ୱରରେ ରକ୍ତଚରିତ୍ର । ରାତିଅଧରେ ଆତଙ୍କରାଜ ଚଳାଉଥିବା ୩୪ ଅଭିଯୁକ୍ତ ଗିରଫ

ଅଭିଯୁକ୍ତଙ୍କ ପଛରେ କିଏ? କେଉଁଠୁ ମିଳୁଛି ଏତେ ସାହାସ?

254

କନକ ବ୍ୟୁରୋ: ନିଶାଶକ୍ତ ଅବସ୍ଥାରେ କ୍ଲବରେ ପଶି ପାରିଲେନି । ଆଉ ରାଜଧାନୀରେ ମଝି ରାତିରେ ଆତଙ୍କ ଖେଳାଇଲେ । ଏହି ମାମଲାରେ ୩୪ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ । ତେବେ ମୁଖ୍ୟ ଅଭିଯୁକ୍ତକୁ ଏଯାଏଁ ପୋଲିସ ଧରିବାରେ ବିଫଳ ହୋଇଛି । ଶନିବାର ରାତିରେ ଏହି ଗ୍ୟାଙ୍ଗ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭାଇଗିରି ଦେଖାଇଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ନାବାଳକ । ଏମାନଙ୍କ ମଧ୍ୟରୁ କିଛି କଲେଜ ଛାତ୍ର ଥିବା ମଧ୍ୟ ସୂଚନା ରହିଛି ।

ଯୁବକମାନଙ୍କୁ ପୁଲିସ ଘୋଷାଡି ଘୋଷାଡି ନିଜ ହେପାଜତକୁ ନେଇଛି । ବେଶ ପୋଷାକରୁ ଭଦ୍ର ଭଳି ଦେଖାଯାଉଥିବା ଏହି ଯୁବକମାନେ ଏମିତି କାମ କରିଛନ୍ତି ଯେ, କ୍ୟାମେରା ଦେଖି ତାଙ୍କୁ ମୁହଁ ଲୁଚାଇବାକୁ ପଡୁଛି । ପାଠପଢା ବୟସରେ ଏମାନଙ୍କୁ ପୁଲିସ କାହିଁକି ବାନ୍ଧିଲା ତାହା ଜାଣିଲେ ଆପଣଙ୍କ ରୁମ ଟାଙ୍କୁରି ଉଠିବ ।

  • ଦିନ-ଶନିବାର
  • ସମୟ-ରାତି ପ୍ରାୟ ୧୨ଟା
  • ସ୍ଥାନ-ଚନ୍ଦ୍ରଶେଖରପୁର

ଯାହାକୁ ପାରୁଛନ୍ତି ଗୋଡାଇ ଗୋଡାଇ ପିଟୁଛନ୍ତି । କେତେବେଳେ ଅଭଦ୍ର ଭାଷାରେ ଗାଳିଗୁଲଜ କରି ସମସ୍ତଙ୍କୁ ଚୁପ କରାଉଛନ୍ତି ତ ପୁଣି କେତେବେଳେ କ୍ଲବର ଆଉଟପୋଷ୍ଟ ଭାଙ୍ଗି ଆତଙ୍କ ଖେଳାଉଛନ୍ତି । ଏପରିିକି ପୁଲିସ ଆଗରେ ବି ଭଙ୍ଗାରୁଜା କରି ନିଜର ଦମ ଦେଖାଇବାକୁ ପଛାଇନାହାନ୍ତି । ଅଧଘଣ୍ଟାରୁ ଅଧିକ ସମୟ ଧରି ରାସ୍ତା ଉପରେ ରକ୍ତଚରିତ୍ରର ଲାଇଭ ଦୃଶ୍ୟ ଦେଖାଇ ସ୍ଥାନୀୟ ଅଞ୍ଚଳରେ ନିଜର ଭାଇଗିରି ଜାହିର କରିଛନ୍ତି । ଆଉ ବଡକଥା ହେଉଛି, ଏମାନଙ୍କ ଭିତରୁ ୩୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବାବେଳେ, ଏମାନଙ୍କ ଭାଇ ସାଜିଥିବା ତଥା ମୁଖ୍ୟ ଅଭିଯୁକ୍ତମାନେ ଖସିଯାଇଛନ୍ତି ।

ପୁଲିସ ତଦନ୍ତ କହୁଛି, ଫେରାର ଥିବା ଅଭିଯୁକ୍ତଙ୍କ ନାଁରେ ଭୁବନେଶ୍ୱରରେ ରହିଛି ମାଳମାଳ ମାମଲା । ସେମାନଙ୍କ ଭିତରୁ ଅଧିକାଂଶ ଜେଲ ଫେରନ୍ତା ଓ ପୁରୁଣା ଦାଗି ବୋଲି ତଦନ୍ତରୁ ଜଣାପଡିଛି । ତେବେ ଅଭିଯୁକ୍ତମାନେ ରାତି ୧୨ଟା ପରେ ନିଶାଶକ୍ତ ଅବସ୍ଥାରେ ଏକ କ୍ଲବରେ ପଶିବାକୁ ଉଦ୍ୟମ କରିଥିଲେ । ସେମାନଙ୍କ ଅବସ୍ଥା ଦେଖି ସୁରକ୍ଷା କର୍ମୀମାନେ ଭିତରକୁ ଛାଡିନଥିଲେ । ଯାହାକୁ ନେଇ ଉଭୟଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ସଂଜୀବ ସ୍ୱାଇଁ ନାମକ ଜଣେ ଯୁବକ ଏକ ବସରେ ୩୫ରୁ ଅଧିକ ଯୁବକ ସମେତ ବଡ ବଡ ୩ଟି ଗାଡିରେ ଫିଲ୍ମଷ୍ଟାଇଲରେ ଘଟଣା ସ୍ଥଳରେ ପହଞ୍ଚି ଭଙ୍ଗାରୁଜା କରିଥିଲେ । ଘଟଣା ଘଟାଇବା ପରେ ପିକିନିକ ସାରି ଫେରୁଥିବାବେଳେ ଏମାନଙ୍କୁ ଗିରଫ କରିଛି ପୁଲିସ ।

ଅଭିଯୋଗରେ ରହିଛି ୧୦ରୁ ଅଧିକ ବ୍ୟକ୍ତିଙ୍କ ନାଁ । ଯେଉଁମାନେ କି ଏବେ ବି ଫେରାର ରହିଛନ୍ତି । ଏବେ ପ୍ରଶ୍ନ ଉଠୁଛି…

  • କୁଆଡେ ଗଲେ ରକ୍ତଚରିତ୍ରର ମୁଖ୍ୟ କାର୍ପେଟଦାର?
  • ଏଫଆଇଆରରେ ଥିବା କିଏ ଏହି ବୁବୁ ଜେନା , ଚେଙ୍ଗ, ଜିତ ଓ ରାଜା?
  • କେବିଏନ ଗ୍ୟାଙ୍ଗ ସହିତ କଣ ରହିଛି ଏହି ରକ୍ତମୁଖା ଗ୍ୟାଙ୍ଗର ସମ୍ପର୍କ?
  • କାହା ବାହୁବଳରେ ବଳିଆନ ହେଉଛି ରକ୍ତଚରିତ୍ର ଗ୍ୟାଙ୍ଗ?