ଲଗାଣ ବର୍ଷାରେ ଧାନବିଲରେ ପଶିଗଲା ପାଣି । ବର୍ଷା ଚାଲିଯିବା ପରେ ଚାଷୀ ଆଖିରୁ ଶୁଖୁନି ଲୁହ

105

କନକ ବ୍ୟୁରୋ: ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇ ଚାଲିଯିବା ପରେ ପାଗ ଧୀରେଧୀରେ ଠିକ୍ ହେଲାଣି, ମେଘୁଆ ପାଗ ଯାଇ ଖରା ବି ଆସିଲାଣି କିନ୍ତୁ ଚାଷୀଙ୍କ ଆଖିରୁ ଲୁହ ଶୁଖୁ ନାହିଁ । ଲଗାଣ ବର୍ଷା ଉପକୂଳ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଛି । ଅମଳ ସମୟରେ ସୁନାର ଫସଲ ଦେଖି ଚାଷୀ ମୁହଁରେ ଯେଉଁଠି ହସ ଫୁଟିବା କଥା, ଏବେ ଛାତିରେ କୋହ ଓ ଆଖିରେ ଅନିଶ୍ଚିତ ଭବିଷ୍ୟତକୁ ନେଇ ଚିନ୍ତା । ବର୍ଷାରେ ଉଜୁଡ଼ି ଯାଇଥିବା ଧାନ ଫସଲକୁ ନେଇ ଚାଷୀଙ୍କ ଆଖିରୁ ନିଜ ହଜିଗଲାଣି ।

ପୁରୀ ଜିଲ୍ଲା ଗୋପ ବ୍ଲକର ଇଟିଭୁଆଁ ପଞ୍ଚାୟତର ଶହ ଶହ ଏକର ଜମିରେ ଧାନ ଏବେ ଗଜା ହୋଇଗଲାଣି । ବିଲରେ ପାଣି ଜମି ରହିଛି । କ’ଣ ଧାନ କାଟିବେ, ଆଉ କ’ଣ ଅମଳ କରିବେ, ସବୁ ଆଶା ଛାଡ଼ିଦେଲେଣି ଚାଷୀ । ନିମାପଡ଼ା ଓ କୋଣାର୍କରେ ମଧ୍ୟ ଧାନ ବିଲରେ ପାଣି ଜମି ଫସଲ ନଷ୍ଟ ହୋଇଯାଇଛି । ଜଗତସିଂହପୁର ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା । ଜିଲ୍ଲାର ମହାକାଳପଡା , ମାର୍ଶାଘାଈ ଏବଂ ଗରଦପୁର ବ୍ଲକରେ ପାଚିଲା ଧାନ ଫସଲ ପାଣିରେ ବୁଡି ରହିଥିବା ବେଳେ ଗଜା ହୋଇଗଲାଣି । ଜଗତସିଂହପୁର ଜିଲ୍ଲାରେ ପ୍ରାୟ ୫୫ ହଜାର ଏକର ଚାଷ ଜମି ଜୱାଦ ପ୍ରଭାବରେ ପ୍ରଭାବିତ ହୋଇଛି ।

ଅନ୍ୟପଟେ କଟକ ଜିଲ୍ଲା ନିଆଳି ବ୍ଲକର ଅଧିକାଂଶ ବିଲରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବାରୁ ଧାନସବୁ ପାଣିରେ ଗଜା ହୋଇଗଲାଣି । ନିଆଳି ବ୍ଲକର ପୋଖରୀଗାଁ ପଂଚାୟତର ପୋଲସରା ,ଖରିଘର ,କାହ୍ନପୁର ,ବଗଲସାହି ,ଦେଉଳୀ ,ଦେଉଳୀଢିହ ,ରାଣୀପଡା ଓ ବାଲିକୁଦର ଦୁଶ୍ୟ । ଆଠଗଡ଼ରେ ମଧ୍ୟ ଚାଷୀ ନିଜ କ୍ଷେତକୁ ଚାହିଁ ଏବେ ମଣ୍ଡରେ ହାତ ଦେଉଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା, ମାର୍ଶାଘାଈ ଏବଂ ଗରଦପୁର ବ୍ଲକରେ ପାଚିଲା ଧାନ ଫସଲ ପାଣିରେ ବୁଡି ରହିଥିବା ବେଳେ ଗଜା ହୋଇଗଲାଣି । ଦିନ କେଇଟା ପରେ ଅମଳ ହେବାକୁ ଥିବା ଧାନ ଫସଲ ଏବେ ପାଣିରେ ଭାସୁଛି ।