କୋଭିଡ ସମୟରେ ଓଡିଶା ପାଇଁ ମୋଦି ସରକାରଙ୍କ ପ୍ୟାକେଜ । ଦିଲ୍ଲୀରେ ଧର୍ମେନ୍ଦ୍ର କହିଲେ ୨୨ ହଜାର ୨୬୭ କୋଟି ଟଙ୍କା ମଞ୍ଜୁର କରିଛି କେନ୍ଦ୍ର, ବିଜେଡିର ପ୍ରତିକ୍ରିୟା । ଓଡିଶାର ହକ ଦେଉଛି କେନ୍ଦ୍ର

254

କନକ ବ୍ୟୁରୋ : କରୋନା କାଳରେ ଓଡିଶା ପାଇଁ ମୋଦି ସରକାରଙ୍କ ପ୍ୟାକେଜ୍ । ୨୨ ହଜାର ୨୬୭ କୋଟି ୬୬ ଲକ୍ଷ ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୋଦି ସରକାର । କରୋନା କାଳରେ କେନ୍ଦ୍ର ସରକାର ଓଡିଶା ପାଇଁ ୧୯ ହଜାର ୪୨ କୋଟି ୪୪ ଲକ୍ଷ ଟଙ୍କା, ୭ ଲକ୍ଷ ୫୧ ହଜାର ୯୩୦ ଟନ୍ ଚାଉଳ, ୪୪ ହଜାର ୧୩୦ ଟନ୍ ଡାଲି, ୬୮ ଲକ୍ଷ ୭୯ ହଜାର ଏଲପିଜି ସିଲିଣ୍ଡର ଗ୍ୟାସ୍ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପ୍ରତି ମାସରେ ଜଣ ପିଛା ୫ କେଜି ଚାଉଳ ହିସାବରେ ୩ କୋଟି ୧୭ ଲକ୍ଷ ହିତାଧିକାରୀ ଏହାର ସୁବିଧା ପାଇଛନ୍ତି । ମୋଟ୍ ୭ ଲକ୍ଷ ୫୧ ହଜାର ୯୩୦ ଟନ୍ ଚାଉଳ ରାଜ୍ୟକୁ ଦିଆଯାଇଥିବା ସାଂବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପ୍ରତି ପରିବାରକୁ ମାସିକ ୧ କେଜି ଡାଲି ହିସାବରେ ୪୪ ହଜାର ୧୩୦ ଟନ୍ ଡାଲି ମଧ୍ୟ ପ୍ରଦାନ କରାଯାଇଛି ।

ଜନଧନ ଯୋଜନାରେ ଖାତା ଧାରୀ ମହିଳାଙ୍କୁ ମାସିକ ୧୫ ଶହ ଟଙ୍କା ହିସାବରେ ଓଡିଶାର ୮୫ ଲକ୍ଷ ୨୦ ହଜାର ହିତାଧିକାରୀ ଉପକୃତ ହୋଇଛନ୍ତି । ଏହି ଯୋଜନାରେ ୧ ହଜାର ୨୫୮ କୋଟି ୨ ଲକ୍ଷ ଟଙ୍କା ଜନଧନ ଖାତାକୁ ଟ୍ରାନ୍ସଫର କରାଯାଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ଜିଏସଟି ବାବଦରେ ଓଡିଶା ସରକାରଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୫ ହଜାର ୧୨୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଜିଏସଟି କ୍ଷତିପୂରଣ ବାବଦରେ ଓଡିଶାକୁ ୨ ହଜାର ୨୫୮ କୋଟି ଦେବାର ବ୍ୟବସ୍ଥା ହୋଇଛି । ଏହା ମଧ୍ୟରୁ ୧୧୨୯ କୋଟି ଟଙ୍କା ଦିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେପଟେ କରୋନା ପ୍ୟାକଜେ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାମ୍ବାଦିକ ସମ୍ମିଳନୀ ପରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, କରୋନା ମୁକାବିଲା ସମୟରେ କେନ୍ଦ୍ର ସରକାର ଓଡିଶାର ହକ୍ ଦେଇଛନ୍ତି । ଏଥିରେ କୌଣସି ନୂଆ କଥା ନାହିଁ । ପ୍ୟାକେଜକୁ ନେଇ ହିସାବ ଦେଇ କେନ୍ଦ୍ରମନ୍ତ୍ରୀ, କେନ୍ଦ୍ର ସରକାର ଓ ଦଳ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।