କରୋନା କାଳରେ ବଢୁଛି ଚପଲର ଚମକ : ଆସିଲା ରୋଚକ ତଥ୍ୟ, ଫର୍ମାଲ ସୁଜ୍ ତୁଳନାରେ ଚପଲ ଓ ସାଣ୍ଡଲକୁ ଅଧିକ ପସନ୍ଦ କରୁଛନ୍ତି ଦେଶବାସୀ; କରୋନା ପୂର୍ବ ସମୟ ତୁଳନାରେ ୮୦ ପ୍ରତିଶତ ବିକ୍ରି ହେଉଛି ଚପଲ

367

କନକ ବ୍ୟୁରୋ : କରୋନା କାଳରେ ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ, ସଟଡାଉନ ଭଳି କଟକଣା ଜାରି ରହିଛି । ବନ୍ଦ ପଡିଥିବା ଅର୍ଥନୀତିକୁ ଗତି ଦେବାପାଇଁ କେନ୍ଦ୍ର ସରକାର ଅନଲକ ପ୍ରକ୍ରିୟା ଆରମ୍ଭ କରିସାରିଥିଲେ ବି ସ୍ଥାନ ବିଶେଷରେ କଟକଣା କୋହଳ ହୋଇନାହିଁ । ତେଣୁ କରୋନା ବିଭିନ୍ନ କ୍ଷେତ୍ର ପରି ଫୁଟ ୱେୟାର ବା ଯୋତା, ଚପଲ କାରବାର ଉପରେ କରୋନା ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଏହି ସମୟରେ ଯୋତା ବିକ୍ରି କମିଛି ହେଲେ ଚପଲ ବିକ୍ରି ଭଲ ରହିଛି । କାରଣ କରୋନା ସଂକଟ ପୂର୍ବରୁ ଦେଶରେ ଯେତିକି ଚପଲ ବିକ୍ରି ହେଉଥିଲା ଏବେ ତାର ୮୦ ପ୍ରତିଶତ ବିକ୍ରି ହେଉଛି । ତେବେ ୫ଶହ ଟଙ୍କାରୁ କମ୍ ମୂଲ୍ୟର ଚପଲ ଅଧିକ ବିକ୍ରି ହେଉଥିବା କହିଛନ୍ତି ଦେଶରେ ସର୍ବାଧିକ ଯୋତା ବିକ୍ରି କରୁଥିବା ବାଟା କମ୍ପାନିର ସିଇଓ । ବିଶେଷ କରି ଗ୍ରାମାଂଚଳରେ କରୋନା ସଂକ୍ରମଣ କମ ରହିଥିବାରୁ କମ୍ ମୂଲ୍ୟର ଚପଲ ବିକ୍ରି ଗ୍ରାମାଂଚଳରେ ଅଧିକ ଅଛି ।

ସେପଟେ ସରକାରୀ, ବେସରକାରୀ ଅଫିସ ସବୁ ବନ୍ଦ ରହିଛି ଏବଂ ୱାର୍କ ଫ୍ରମ ହୋମ ଜାରି ରହିଥିବାରୁ ସହରାଂଚଳ ଲୋକେ ଫର୍ମାଲ ସୁଜ କିଣିବା ଅପେକ୍ଷା ଚପଲ କିମ୍ବା ସାଣ୍ଡାଲ କିଣିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି । ସ୍କୁଲ, କଲେଜ ସବୁ ଖୋଲିନଥିବାରୁ ସ୍ପେର୍ଟ୍ସ ସୁଜ ବିକ୍ରି ମଧ୍ୟ ବହୁତ କମିଯାଇଛି । ଆଉଏକ ରିଟେଲ ଫୁଟ୍ ୱୟାର ବ୍ରାଣ୍ଡ ମେଟ୍ରୋର ସାରା ଦେଶରେ ୫ଶହରୁ ଅଧିକ ଷ୍ଟୋର ରହିଛି । ମେଟ୍ରୋର ମାର୍କେଟିଂ ଭାଇସ ପ୍ରେସିଡେଂଟଙ୍କ କହିବା ହେଲା କରୋନା ଲକଡାଉନ ସମୟରେ ମହିଳାଙ୍କ ଫୁଟ ୱେୟାର ୨୦ ପ୍ରତିଶତ, ସାଣ୍ଡାଲ ବିକ୍ରି ୪୦ ପ୍ରତିଶତ ଓ ମେନ୍ସ ଫୁଟ ୱେୟାର ବିକ୍ରି କରୋନା ପୂର୍ବ ସମୟର ୬୦ ପ୍ରତିଶତ ରହିଛି ।