କଂଗ୍ରେସ ଅମଳରେ ରାଜ୍ୟରେ ୧୧୪ କୋଟି ଥିଲା ଅବକାରୀ ରାଜସ୍ୱ, ଏବେ ଟପିଲାଣି ୬ ହଜାର କୋଟି: ମଦ ରାଜସ୍ୱକୁ ନେଇ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀଙ୍କ କଟାକ୍ଷ ପରେ ତେଜିଲା ରାଜନୀତି

107

କନକ ବ୍ୟୁରୋ: ମଦ, ପରିବାର ଉଜାଡି ଦେଉଛି । ହେଲେ ଗାଁ ଠାରୁ ଆରମ୍ଭ କରି ସହରର ଗଳିକନ୍ଦିରେ ନୂଆ ମଦ ଦୋକାନ ଖୋଲାଯାଉଛି । କାରଣ ଏଥିରୁ ମିଳୁଛି ବିପୁଳ ପରିମାଣର ରାଜସ୍ୱ । ଏ ନେଇ ଗତକାଲି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା । କହିଛନ୍ତି, ମଦ ବିକ୍ରି ଟଙ୍କାରୁ ବିକାଶ ଆବଶ୍ୟକ ନାହିଁ । ଅଳକାଙ୍କ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ରାଜନୈତିକ କଥା କଟାକଟି । ଅନ୍ୟପଟେ ମହିଳା ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏହାକୁ ପ୍ରସଙ୍ଗ କରିବାକୁ ଅଂଟା ଭିଡୁଛି ରାଜ୍ୟ କଂଗ୍ରେସ ।

ମଦ ବିକ୍ରି ଟଙ୍କାରୁ ବିକାଶ ଆବଶ୍ୟକ ନାହିଁ, ଭୁବନେଶ୍ୱରରେ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଏପରି ମନ୍ତବ୍ୟ ଦେବା ପରେ ଏହାକୁ ନେଇ ତେଜିଛି ରାଜନୀତି । ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଅଳକା ଲାମ୍ବା କହିଛନ୍ତି ନିଶା ଭିତରକୁ ଲୋକଙ୍କୁ ଠେଲି ଦିଆଯାଉଛି । କଂଗ୍ରେସ ଅମଳରେ ବାର୍ଷିକ ଅବକାରୀ ରାଜସ୍ୱ ୧୧୪ କୋଟି ଟଙ୍କା ଥିବା ବେଳେ ଏହା ଏବେ ୬ ହଜାର କୋଟି ଟପି ଯାଇଛି । ଅଳକାଙ୍କ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

୨୪ ବର୍ଷରେ ୫୬ ଗୁଣ ହୋଇଛି ଅବକାରୀ ରାଜସ୍ୱ
ଗତ ୧୦ ବର୍ଷରେ ୩୬୭ ପ୍ରତିଶତ ବୃଦ୍ଧି
ଏବେ ନଜର ପକାଇବା ରାଜ୍ୟର ଅବକାରୀ ଆୟ ଉପରେ । ୨୪ ବର୍ଷ ପୂର୍ବରୁ ଅର୍ଥାତ୍ ୧୯୯୯-୨୦୦୦ ଆର୍ଥିକ ବର୍ଷରେ ୧୧୪ କୋଟି ଟଙ୍କା ମିଳିଥିଲା । ପ୍ରତି ୫ ବର୍ଷରେ ଏହା ଆଖିଦୃଶିଆ ଭାବେ ବୃଦ୍ଧି ପାଇ ଆସିଛି । ୨୦୦୫-୦୬ରେ ୩୮୯ କୋଟି ହୋଇଥିବା ବେଳେ ୨୦୧୦-୧୧ରେ ଏହା ଏକ ହଜାର କୋଟି ଟପିଥିଲା । କରୋନା ଯୋଗୁଁ କେବଳ ୨୦୨୦-୨୧ରେ ଅବକାରୀ ରାଜସ୍ୱ ପାଖାପାଖି ୧୦ ପ୍ରତିଶତ ହ୍ରାସ ପାଇଥିଲା । ନହେଲେ ବର୍ଷକୁ ବର୍ଷ ଏହା ବୃଦ୍ଧି ପାଇବାରେ ଲାଗିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ୬ ହଜାର ୪୫୫ କୋଟି ଟଙ୍କା ରାଜସ୍ୱ ପାଇଛି ଓଡ଼ିଶା ।

ଅବକାରୀ ରାଜସ୍ୱ
ଆର୍ôଥକ ବର୍ଷ ଆୟ
୧୯୯୯-୨୦୦୦ ୧୧୪ କୋଟି
୨୦୦୫-୨୦୦୬ ୩୮୯ କୋଟି
୨୦୧୦-୨୦୧୧ ୧୦୯୪ କୋଟି
୨୦୧୫-୨୦୧୬ ୨୫୬୮ କୋଟି
୨୦୨୦-୨୦୨୧ ୪୦୫୩ କୋଟି
୨୦୨୨-୨୦୨୩ ୬୪୫୫ କୋଟି

ମଦ ଭଳି ନିଶା ସେବନ ଦ୍ୱାରା ଅନେକ ପରିବାର ଉଜୁଡ଼ି ଯାଇଛି । ଅସାମାଜିକ କାର୍ଯ୍ୟ, ଅପରାଧ ବଢ଼ୁଥିବା ଅଭିଯୋଗ ହେଉଛି । ଏହାରି ଭିତରେ ଗାଁ ଗହଳି ଠାରୁ ଆରମ୍ଭ କରି ସହରର ଗଳିକନ୍ଦିରେ ମାଳ ମାଳ ମଦଦୋକାନ ଖୋଲିବାକୁ ଲାଇସେନ୍ସ ଦିଆଯାଉଥିବା ଅଭିଯୋଗ ହେଉଛି । ଆଉ ଏହାକୁ ପ୍ରସଙ୍ଗ କରି ମହିଳା ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ ଅଂଟା ଭିଡୁଛି କଂଗ୍ରେସ ।