ଏଲଆଇସି ଗ୍ରାହକଙ୍କ ପାଇଁ ବଡ ଖବର । ପ୍ରିମିୟମ ନ ଦେବା କାରଣରୁ ବନ୍ଦ ପଡିଥିବା ପଲିସି ପୁଣି ଥରେ ଚାଲୁ ହୋଇପାରିବ । ହାତରେ ମାତ୍ର ୨ ମାସ, ଜାଣନ୍ତୁ କଣ ରହିଛି ସର୍ତ୍ତ ।

2,509

କନକ ବ୍ୟୁରୋ : କରୋନା ମହାମାରୀର ପ୍ରଭାବ ସିଧାସଳଖ ଲୋକଙ୍କ ପକେଟ ଉପରେ ପଡିଛି । ରୋଜଗାର କମିଛି, ସାଧାରଣ ଲୋକଟିର ଆର୍ଥିକ ସ୍ଥିତି ଦୋହଲିଯାଇଛି । ଏଭଳି ସ୍ଥିତିରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଦୀର୍ଘ ମାସ ହେବ ବୀମା ପ୍ରିମିୟମ ଜମା କରି ପାରିନାହାନ୍ତି । ଏପରିକି କିଛି ବ୍ୟକ୍ତି ବର୍ଷ ବର୍ଷ ହେବ ଇନସ୍ୟୁରାନ୍ସ ପ୍ରିମିୟମ ଜମା କରିପାରୁନଥିବାରୁ ପଲିସି ଗୁଡିକ ବନ୍ଦ ହୋଇଯାଇଛି । ଆଉ ଏଭଳି ସମୟରେ ଏଲଆଇସି ଆଣିଛି ଖୁସିଖବର । ବୀମା ରାଶି ଜମା ନ ହୋଇଥିବାରୁ ବନ୍ଦ ପଡିଥିବା ପଲିସିକୁ ପୁଣିଥରେ ଚାଲୁ କରିବାକୁ ଖାତାଧାରକଙ୍କ ପାଇଁ ସୁଯୋଗ ଆଣିଛି ଏଲଆଇସି ।

ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ବନ୍ଦ ପଡିଥିବା ଖାତାକୁ ପୁର୍ନବାର ଚଲାଇବାକୁ ୧୦ ଅଗଷ୍ଟରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଯାହା ଆସନ୍ତା ୯ ଅକ୍ଟୋବର ଯାଏଁ ଚାଲିବ । ଆଉ ଏହି ଅବଧି ଭିତରେ ଏଲଆଇସି ଖାତାଧାରକଙ୍କ ବନ୍ଦ ପଡିଥିବା ବ୍ୟକ୍ତିଗତ ପଲିସି ଗୁଡିକୁ ପୁଣିଥରେ ରିଭାଇଭାଲ ବା ଚାଲୁ କରାଯାଇପାରିବ । ତେବେ ଗ୍ରୁପ ପଲିସି ଗୁଡିକୁ ପୁର୍ନବାର ଚାଲୁ କରାଯାଇପାରିବ ନାହିଁ ।
ଏଲଆଇସି କିଛି ସର୍ତ୍ତ ସହ ଏହି ନୂଆ ଅଭିଯାନ ଆରମ୍ଭ କରିଛି । ଯାହାଦ୍ୱାରା ଖାତାଧାରକଙ୍କୁ କିଛି ନିର୍ଦ୍ଦିଷ୍ଟ ପଲିସି ଉପରେ ଏହାର ଲାଭ ମିଳିପାରିବ । ୫ ବର୍ଷ ଭିତରେ ପ୍ରିମିୟମ ଭରିନଥିବା କାରଣରୁ ବନ୍ଦ ପଡିଥିବା ପୁରୁଣା ପଲିସିକୁ ହିଁ ପୁର୍ନବାର ଚାଲୁ କରାଯାଇପାରିବ । ତାହା ଠାରୁ ଅଧିକ ବର୍ଷ ଧରି ବନ୍ଦ ପଡିଥିବା ପଲିସିକୁ ଏହି ଯୋଜନାରେ ସାମିଲ କରାଯିବ ନାହିଁ ।

ପ୍ରିମିୟମ ଦେଇନଥିବା କାରଣରୁ ୫ ବର୍ଷ ମଧ୍ୟରେ ବନ୍ଦ ହୋଇଥିବା ପଲିସି ଗୁଡିକୁ ପୁନଃ ଚାଲୁ କରାଯିବା ସହ ସୁଧ ଉପରେ ମଧ୍ୟ ପଲିସିଧାରକଙ୍କୁ ରିହାତି ମିଳିବ । ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଦ ପଡିଥିବା ପଲିସି ଉପରେ ବିଳମ୍ବିତ ପ୍ରିମିୟମ ଭରିବା ପାଇଁ ସୁଧ ରାଶି ଉପରେ ୨୦ ପ୍ରତିଶତ ରିହାତି ମିଳିବ । ତେବେ ଖାତାଧାରକଙ୍କୁ ସର୍ବାଧିକ ୧୫୦୦ ଟଙ୍କା ଏହି ରିହାତି ମିଳିପାରିବ । ସେହିଭଳି ୧ ଲକ୍ଷ ୧ ଟଙ୍କାରୁ ୩ ଲକ୍ଷ ଟଙ୍କା ଓ ୩ ଲକ୍ଷ ୧ ଟଙ୍କାରୁ ଅଧିକ ଟଙ୍କାର ପଲିସି ଉପରେ ବିଳମ୍ବିତ ପ୍ରିମିୟମ ଭରିବା ପାଇଁ ସୁଧ ରାଶି ଭରିବା ଉପରେ ଯଥାକ୍ରମେ ୨୫ ଓ ୩୦ ପ୍ରତିଶତ ରିହାତି ମିଳିବ । ସେହିଭଳି ଖାତାଧାରକଙ୍କୁ ଯଥାକ୍ରମେ ସର୍ବାଧିକ ୨୦୦୦ ଓ ୨୫୦୦ ଟଙ୍କା ପର୍ଯନ୍ତ ଏହି ରିହାତି ମିଳିପାରିବ ।

ବୀମା ଥିବା କୌଣସି ବ୍ୟକ୍ତି ଲଗାତାର ଡେଡଲାଇନ ଭିତରେ ପ୍ରିମିୟମ ନ ଭରିବା କାରଣରୁ ପଲିସି ବନ୍ଦ ହୋଇଯାଇଥାଏ । ଯାହାକୁ ପୁନଃ ଚଲାଇବାକୁ ହେଲେ ସୁଧ ଦେବାକୁ ପଡିଥାଏ । ତେବେ କରୋନା ମହାମାରୀ ସମୟରେ ସୁଧ ଉପରେ ରିହାତି ଦେଇ ୫ ବର୍ଷ ଭିତରେ ପ୍ରିମିୟମ ଭରିନଥିବା କାରଣରୁ ବନ୍ଦ ପଡିଥିବା ପୁରୁଣା ପଲିସିକୁ ପୁଣିଥରେ ଚଲାଇବାକୁ ସୁଯୋଗ ଦେଇଛି ଏଲଆଇସି ।