କରୋନା ପାଇଁ ଫିକା ଫିକା ହେବ ଦୁର୍ଗାପୂଜା । କଟକରେ କଟକଣା ଭିତରେ ପାଳନ ହେବ ଦଶହରା । ଝଲସିବନି ପୂଜା ମଣ୍ଡପ, ରହିବନି ଶ୍ରଦ୍ଧାଳୁଙ୍କ ଭିଡ । ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ

1,721

କନକ ବ୍ୟୁରୋ: କରୋନା ପାଇଁ ଏଥର କଟକଣା ଭିତରେ ହେବ ଦୂର୍ଗାପୂଜା । ସାଜସଜ୍ଜା ହେବନି କି ଲୋକ ଭିଡ ଲାଗିବନି । ବିନା ଗହଳି, ବିନା ସମାବେଶରେ ଏଥର କଟକରେ ପାଳନ ହେବ ଦୁର୍ଗାପୂଜା । ପୂଜା ପାଇଁ ବାରଣ ନାହିଁ ମାତ୍ର ସମାଗମ ଉପରେ ଲାଗିଲା କଣକଣା । ତେବେ କଣକଣା ପରେ ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ତେବେ କରୋନା କଟକଣା ଯୋଗୁଁ ସାରା ରାଜ୍ୟରେ ଗଣେଷ ପୂଜା ବନ୍ଦ ରହିବା ପରେ ଏବେ ବଡ ପ୍ରଶ୍ନ ହେଲା, ଦୁର୍ଗାପୂଜା ଉତ୍ସବ ପାଳନ ହେବ ନା ନାହିଁ । କାରଣ ମାଙ୍କ ପୂଜା ପାଇଁ କଟକ ସମେତ ରାଜ୍ୟର ପ୍ରମୁଖ ଜିଲ୍ଲାମାନଙ୍କରେ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ । ତେଣୁ ଦୁର୍ଗାପୂଜା ପାଇଁ ଅନୁମତି ଦେବାକୁ କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି । ଏଥିରେ ଦର୍ଶାଯାଇଛି କୋଭିଡ଼ ନିୟମ ପାଳନ କରି ପୂଜା କରାଯିବ । ଦୀର୍ଘ ଦିନର ପରମ୍ପରା ଭଙ୍ଗା ନଯାଉ ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦୁର୍ଗାପୂଜା କରିବା ପାଇଁ ମନସ୍ଥ କରିଛନ୍ତି ପୂଜା କମିଟି । ସରକାରୀ କଟକଣା ଭିତରେ ଦୁର୍ଗା ପୂଜା କରିବାକୁ ପ୍ରସ୍ତୁତ ଅଛନ୍ତି ସହିଦ ନଗର ଏବଂ ରସୁଲ ଗଡ ପୂଜା କମିଟି । ବଡ କଥା ହେଲା ଯଦି ଚଳିତ ବର୍ଷ ପୂଜା ଅନୁଷ୍ଠିତ ହୁଏ , ତେବେ ପୂଜା କମିଟି ଚାନ୍ଦା ଆଦାୟ କରିବ ନାହିଁ ବୋଲି ସ୍ପଷ୍ଟ କରିଛି । ଏସବୁ ଭିତରେ ଅପେକ୍ଷା ହାଇକୋର୍ଟ କରୋନା କଟକଣା ଭିତରେ ଦୁର୍ଗା ପୂଜା କରିବା ପାଇଁ କଣ ନିଷ୍ପତି ନେଉଛନ୍ତି ।