କନକ ବ୍ୟୁରୋ: ଦୁର୍ଗା ପୂଜା...ଦେବୀଙ୍କ ଆଗମନ ହୁଏ, ଦୁଃଖର ନାଶ ହୁଏ, ଅଧର୍ମ ଉପରେ ଧର୍ମର ଜୟ ହୁଏ । କାରଣ ମହି ଉପରେ ମନ ଇଚ୍ଛା ଅତ୍ୟାଚାର କରୁଥିବା ସେ ମହିଷାସୁରର ବଦ୍ଧ କରନ୍ତି ମା’ ଦଶଭୂଜା । ହଁ ପ୍ରତିବର୍ଷ ଧୁମଧାମରେ ଦେବୀ ମା’ଙ୍କୁ ଆବାହନ କରି ଆମେ ଦୁର୍ଗା ପୂଜା ପାଳୁଛେ । ମଣ୍ଡପେ ମାଟିର ମହିଷାସୁରକୁ ମା’ ମାରିଦେଉଥିବାର ସଭିଏଁ ଦେଖୁଛନ୍ତି ହେଲେ ଆମ ମନରେ ଥିବା ମହିଷାସୁରର ମୃତ୍ୟୁ କେବେ?

Advertisment

ଏପଟେ ସମାଜରେ ବଢ଼ିଗଲେଣି ଅଦୃଶ୍ୟ ଅସୁର । ନାଁ ମଣିଷ ହେଲେ କାମ ସବୁ ମହିଷାସୁରଠୁ ବି ବଳିକି । ଆସୁରିକ ଗୁଣରେ ପରିପୂର୍ଣ୍ଣ ଥିବା ଅସୁରମାନେ ଏବେ ଶିକ୍ଷିତ ସମାଜରେ ଛଦ୍ମବେଶରେ ରହୁଛନ୍ତି । କେତେବେଳେ ନାରୀ ଉପରେ ଅତ୍ୟାଚାର କରୁଛନ୍ତି ତ କେବେ ବୁଢ଼ା ବାପା-ମାଆଙ୍କୁ  ଘରୁ ବାହାର କରିଦେଉଛନ୍ତି । ଘର ଭିତରେ ନାରୀଟିଏ ସୁରକ୍ଷା ପାଇଁ ନେହୁରା ହେଉଛି, ପ୍ରେମ ଆଳରେ ପ୍ରତାରଣା ଆଉ ସୋସିଆଲ ମିଡିଆରେ ତା’ର ଇଜ୍ଜତ ନିଲାମ ହେଉଛି ।

ଯେଉଁ ଭାରତ ମାଟିରେ ଭରତ ଭଳି ଭାତୃପ୍ରେମର ଉଦାହରଣ ଦିଆଯାଏ ସେଠି ପ୍ରତିଦିନ ଚାଖଣ୍ଡେ ଜମି ପାଇଁ ଭାଇ ଭଗାରୀ ହେଇଯାଉଛି । ଟଙ୍କା ପାଇଁ ସାଙ୍ଗ ସଇତାନ ସାଜୁଛି, ପରକୀୟା ପାଇଁ ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି । ନିଶା ପାଇଁ ଅବାଟକୁ ଯାଉଛନ୍ତି ଯୁବପିଢ଼ି… ଏସବୁ ପ୍ରକୃତି ଆସୁରିକ ନୁହେଁ ତ ଆଉ କ’ଣ?

ଆଧୁନିକ ଯୁଗର ଅସୁର ମାନଙ୍କୁ ଆମେ ଖାଲି ଆଖିରେ ଦେଖିପାରିବା ନାହିଁ । ଆମେ କଳିଯୁଗର କାଳଚକ୍ରରେ ଫସିଥିବା ସାଧାରଣ ମଣିଷ । ଯେଉଁଠି ନାରୀକୁ ସମ୍ମାନ ବଦଳରେ ସଇତାନୀ ଶକ୍ତି ଦେଖାଇ ପୁରୁଷତ୍ବକୁ ପ୍ରମାଣ କରାଯାଏ ସେଇଠି ହିଁ ଅସୁର ଜନ୍ମ ନିଏ । ଏବେର ମଦ, ନିଶା ଆସୁରିକ ଶବ୍ଦରେ ସୁରାପାନ ସହ ସମାନ । କାମ, କ୍ରୋଧର ବଶବର୍ତ୍ତୀ ହୋଇ ଅନ୍ୟକୁ ଖରାପ କହିବା ବି ଆସୁରିକ ଗୁଣର ଅନ୍ୟ ଅଂଶ ।

ମା’ ଦୁର୍ଗତିନାଶିନୀଙ୍କୁ ଦେବତାମାନେ ସ୍ତୁତି କରିବାରୁ ସେ ଅସ୍ତ୍ରଶସ୍ତ୍ର ଧରି ଧରାପୃଷ୍ଠକୁ ମହିଷାମର୍ଦ୍ଦିନୀ ହୋଇ ଓହ୍ଳାଇ ଆସିଥିଲେ ।  ହେଲେ ଏବେ ତ ଆମେ ଦେବୀ ଦୁର୍ଗାଙ୍କୁ ଡାକିପାରିବାନି କିମ୍ବା ସମାଜରେ ଥିବା ମହିଷାସୁରଙ୍କୁ ମାରିବାକୁ ମା’ ନିଜେ ତ ଆସିବେନି । ମନର ମହିଷାସୁରକୁ ମାରିବାକୁ ହେଲେ ନିଜ ଭିତରେ ଥିବା ସେ ଆସୁରିକ ପ୍ରବୃତ୍ତିକୁ ମାରିବାକୁ ପଡ଼ିବ । କାମ, କ୍ରୋଧ, ମୋହ, ନିଶାଦ୍ରବ୍ୟଠୁ ନିଜକୁ ଦୂରେଇ ରଖିବାକୁ ହେବ । ନହେଲେ ପ୍ରତିବର୍ଷ ଏମିତି ଦୁର୍ଗାପୂଜା ହେଉଥିବ, ମାଟିର ମହିଷାସୁର ମରୁଥିବ ହେଲେ ସମାଜରେ ଥିବା ସେ ଆଧୁନିକ ଯୁଗର ଅସୁରମାନେ ଅମର ହୋଇ ରହିଥିବେ...