ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା : ମଣ୍ଡପରେ ନିରାଡମ୍ବରରେ ଚାଲିଛି ପୂଜାର୍ଚ୍ଚନା, ପୀଠରେ ଅଷ୍ଟମୀ ପୂଜା

 କରୋନା କଟକଣାରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା; ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ବାରଣ

179

କନକ ବ୍ୟୁରୋ : ଆଜି ମହାମାୟାଙ୍କ ସପ୍ତମୀ ପୂଜା । ସମସ୍ତ ପୂଜା ମଣ୍ଡପ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । କରୋନା ମହାମାରୀ ଏଥରକ ବି ଭକ୍ତ ଓ ମାଙ୍କ ମଝିରେ ପ୍ରତିବନ୍ଧକ ସାଜିଛି । କୌଣସି ମଣ୍ଡପରେ ଭକ୍ତ ମାଆ ଜଗତଜନନୀଙ୍କ ଦର୍ଶନ କରିପାରିବେ ନାହିଁ । କିନ୍ତୁ ଭକ୍ତ ଓ ମାଙ୍କୁ ଯୋଡ଼ିବା ପାଇଁ ମଣ୍ଡପ ଗୁଡ଼ିକରେ ସ୍ମତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୋସିଆଲ ମିଡିଆ ମାଧ୍ୟମରେ ପୂଜାର୍ଚ୍ଚନାର ସିଧା ପ୍ରସାରଣ କରାଯିବ । ଘରେ ରହି ଭକ୍ତମାନେ ମାଆଙ୍କ ଦର୍ଶନ ପାଇବେ ।

କରୋନା ମହାମାରୀ ପାଇଁ ସବୁଠି ନିରାଡମ୍ବର ଭାବେ ମାଆଙ୍କ ମୃଣ୍ମୟୀ ମୂର୍ତି ସ୍ଥାପନ କରାଯାଇଛି । କଟକ ଜିଲ୍ଲାର ପ୍ରମୁଖ ଶକ୍ତିପୀଠ ବାଙ୍କିର ମା ଚର୍ଚ୍ଚିକାଙ୍କ ପୀଠରେ ପାଳିତ ହେଉଛି ମହାଷ୍ଟମୀ ପୂଜା । ଷୋଡଶ ରୀତିନୀତିରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ମା ଆଜି ଦିବ୍ୟ ସୁଲଭ ବେଶରେ ଦର୍ଶନ ଦେବେ । ସଂପୂର୍ଣ୍ଣ ମନ୍ଦିରକୁ ଫୁଲରେ ସଜା ଯାଇଥିବା ବେଳେ ସମସ୍ତ ସେବାୟତ ମାଙ୍କ କାର୍ଯ୍ୟରେ ଲାଗିପଡ଼ିଛନ୍ତି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପରମ୍ପରା ଅନୁସାରେ ଆଜି ମାଙ୍କ ନିକଟରେ ଆମିଷ ଭୋଗ ଲାଗି କରାଯିବାର ସ୍ୱତନ୍ତ୍ର ବିଧି ରହିଛି । ସେପଟେ ସାରଳାଙ୍କ ପୀଠରେ ମଧ୍ୟ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା ।