ଆଜି ଦୁର୍ଗାଷ୍ଟମୀ : କୋଭିଡ କଟକଣା ସହ ମଣ୍ଡପରେ ଚାଲିଛି ମାଆଙ୍କ ଅଷ୍ଟମୀ ପୂଜା

ବେଦମନ୍ତ୍ର ସାଙ୍ଗକୁ ଚଣ୍ଡିପାଠରେ ପୂଜାର୍ଚ୍ଚନା; ସେପଟେ ଶକ୍ତି ପୀଠରେ ନବମୀ ନୀତି

199

କନକ ବ୍ୟୁରୋ : ଆଜି ଜଗତଜନନୀ ମାଆ ଦୁର୍ଗାଙ୍କ ଅଷ୍ଟମୀ ପୂଜା । ମାଆଙ୍କ ପୀଠରେ ନବମୀ ପୂଜା ହେଉଥିବା ବେଳେ ପୂଜା ମଣ୍ଡପରେ ମାଆଙ୍କ ଅଷ୍ଟମୀ ପୂଜାର୍ଚ୍ଚନା । ସ୍ୱତନ୍ତ୍ର ରୀତିନୀତି ଅନୁସାରେ କରୋନା କଟକଣା ଭିତରେ ମହାମାୟୀଙ୍କ ପୂଜାର୍ଚ୍ଚନା ଚାଲିଛି । ତେବେ କୌଣସି ମଣ୍ଡପରେ ଭକ୍ତ, ମାଆ ଜଗତଜନନୀଙ୍କ ଦର୍ଶନ କରିପାରିବେ ନାହିଁ । କିନ୍ତୁ ଭକ୍ତ ଓ ମାଙ୍କୁ ଯୋଡ଼ିବା ପାଇଁ ମଣ୍ଡପ ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସୋସିଆଲ ମିଡିଆ ମାଧ୍ୟମରେ ପୂଜାର୍ଚ୍ଚନାର ସିଧା ପ୍ରସାରଣ କରାଯାଉଛି । ଘରେ ରହି ଭକ୍ତମାନେ ମାଆଙ୍କ ଦର୍ଶନ ପାଇବେ । କରୋନା ମହାମାରୀ ପାଇଁ ସବୁଠି ନିରାଡମ୍ବର ଭାବେ ମାଆଙ୍କ ମୃଣ୍ମୟୀ ମୂର୍ତି ସ୍ଥାପନ କରାଯାଇଛି । ଭୁବନେଶ୍ୱର, କଟକ, ସମ୍ବଲପୁରରେ ମଧ୍ୟ ବିଭିନ୍ନ ପୂଜା ମଣ୍ଡପରେ କରୋନା କଟକଣା ଭିତରେ ମାଆଙ୍କ ପୂଜାର୍ଚ୍ଚନା ଚାଲିଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରର ସର୍ବପୁରାତନ ମନ୍ଦିର ଛକ ଓ ପଂଚମୂଖୀ ଛକ ଠାରେ ମଧ୍ୟ ପୂଜା ହେଉଛି । ମା ଦୁର୍ଗାଙ୍କର ପୂଜା ମଣ୍ଡପରେ ପଣ୍ଡିତଙ୍କ ବେଦମନ୍ତ୍ର ସାଙ୍ଗକୁ ଚଣ୍ଡୀପାଠରେ ଭକ୍ତିମୟ ହେଉଛି ପୁରା ପରିବେଶ ।

ବ୍ରହ୍ମପୁରର ପ୍ରସିଦ୍ଧ ମା’ ଦକ୍ଷୀଣକାଳୀଙ୍କ ପୀଠରେ ନିରାଡ଼ମ୍ବରରେ ପାଳିତ ହେଉଛି ନବରାତ୍ରୀ ପୂଜା । ଆଜି ମହାଷ୍ଟମୀ ଥିବା ବେଳେ ସକାଳୁ ସକାଳୁ ସୂର୍ଯ୍ୟ ପୂଜା କରାଯାଇଛି । କରୋନା କଟକଣା ଭିତରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଛି । ଜନଗହଳିକୁ ଏଡ଼ାଇବା ପାଇଁ ସୋସିଆଲ ମିଡ଼ିଆରେ ମା’ଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ସେପଟେ, ବାଲେଶ୍ୱରରେ ମଧନ୍ୟ ମା’ଙ୍କ ପୂଜା ବେଶ ଧୁମଧାମରେ କରାଯାଉଛି । କୋଭିଡ଼ ନିୟମ ମାନି ମଣ୍ଡପ ସଦସ୍ୟ ମାନେ ପୂଜା ଆୟୋଜନ କରୁଛନ୍ତି । ବାଲେଶ୍ୱରରେ ଚଳିତ ବର୍ଷ ୫୦ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା’ । ମଣ୍ଡପରେ ମହାଷ୍ଟମୀ ପୂଜା ହେଉଥିବା ବେଳେ ପୀଠରେ ମା’ଙ୍କ ନବମୀ ପୂଜା କରାଯାଉଛି । ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗଅହଣ କରାଯାଇଛି ।

ମା ବିରଜାଙ୍କ ପୀଠରେ ନବମୀ ପୂଜା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଷୋଢଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଛି । ବିଳମ୍ବିତ ରାତିରେ ମା’ ଯଜ୍ଞକୁଣ୍ଡରୁ ଆବିର୍ଭାବ ପରେ ମହାସ୍ନାନ କରାଯାଇଥିଲା । ପରେ ସକାଳୁ ବୈତରଣୀ ଜଳରେ ମାଅଙ୍କର ପୁନଃ ସ୍ନାନ ଓ ବେଶ କରାଯାଇଛି । ଆଜି ରାତିରେ ମହିଂସାମର୍ଦ୍ଧିନୀ ବେଶରେ ଅସୁର ସଂହାର କରାଯିବା କାର୍ଯ୍ୟକ୍ରମ ରହିଛି । ମା’ ବିରଜା ରଥରୁ ଓହ୍ଲାଇ ଲାଖବିନ୍ଧା କରିବାକୁ ଯିବେ । ସେଠାରୁ ଆସିବା ପରେ ମନ୍ଦିରରେ ଗୁପ୍ତପୂଜା ଅନୁଷ୍ଠିତ ହେବ । ଅନ୍ୟପଟେ ମା’ଙ୍କୁ ଦର୍ଶନ ପାଇଁ କୋଭିଡ଼ କଟକଣା ଭିତରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।

ଧରାପୃଷ୍ଠକୁ ଅବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । କୋଭିଡ଼ କଟକଣା ଭିତରେ ପୁରୀର ସବୁ ପୂଜା ମଣ୍ଡପରେ ଚାଲିଛି ପୂଜାର୍ଚ୍ଚନା । ଶ୍ରୀକ୍ଷେତ୍ରରେ ଗୋଷାଣୀ ଓ ନାଗା ଉପାସନାର ସ୍ୱତନ୍ତ୍ରତା ରହିଛି । ଶ୍ରୀକ୍ଷେତ୍ରରେ ଅନେକ ପୀଠ ମଧ୍ୟରୁ ବାରବାଟୀଙ୍କ ପୀଠର ଅନେକ ସ୍ୱତନ୍ତ୍ରତା ରହିଛି । ଶ୍ରୀମନ୍ଦିରର ବିମଳାଙ୍କ ନୀତିକାନ୍ତି ଅନୁଯାୟୀ ବାରବାଟିଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଏ । ମା କାକୁଡ଼ିଖାଇଙ୍କୁ ଗୋଶାଣୀ ମା’ର ଆଖ୍ୟା ଦିଆଯାଇଥିବା ବେଳେ ବାରବାଟି ଓ ଜହ୍ନିଖାଇ ଗୋଶାଣୀଙ୍କୁ କାକୁଡ଼ିଖରଇଙ୍କ ଝିଅ ଭାବେ ବିବେଚନା କରି ଆବାହନ କରାଯାଇଛି । ଗୋଶାଣୀ ମାନଙ୍କୁ ପୂଜାରେ କାକୁଡ଼ି ଓ ଜହ୍ନ ଫଳ ବଳି ପଡ଼ିବାର ବିଧି ରହିଛି । ଷୋଡ଼ଶା ଉପଚାରରେ ସଂଧ୍ୟାରେ ପୀଠରେ ଠାକୁରାଣୀଙ୍କ ନିକଟରେ ଅନୁଷ୍ଠିତ ହେବ ହୋମଯଜ୍ଞ ।