କନକ ବ୍ୟୁରୋ: କଟକ ସଦର ଥାନା ସାସୋଳ ଗାଁରେ ନକଲି ଜର୍ଦା କମ୍ପାନୀ ଉପରେ ପୋଲିସର ଚଢଉ । ବିପୁଳ ପରିମାଣର ଜର୍ଦା ଜବତ କଲା ପୋଲିସ । ଏହି ଘଟଣାରେ ଜଣେ ଅଟକ ରହିଛି । ପୋଲିସ ଅଦିକ ତଦନ୍ତ ଜାରି ରଖିଛି । ସାସୋଳ ଅଂଚଳରେ ନକଲି ଜର୍ଦା କମ୍ପାନୀ ଚାଲିଥିବା ନେଇ ପୋଲିସ ସୁଚନା ପାଇବା ପରେ ପୋଲିସ ଚଢଉ କରିଛି । ଏଠାରେ ନକଲି ଜର୍ଦା ପ୍ରସ୍ତୁତ ହୋଇ କଟକ ସହରର ବିଭିନ୍ନ ସ୍ଥାନକୁ ଯାଉଥିବା ନେଇ ପୋଲିସକୁ ସୁଚନା ମିଳିଥିଲା ।
ନକଲି… ନକଲି… ସବୁ ନକଲି । ସିଲଭଲ ସିଟିରେ ସବୁ ନକଲି । କଟକ ସାଜିଛି ଭେଜାଲର ହବ । ଲଗାତାର ଗୋଟିଏ ମାସ ଧରି ଧରପଗଡ ଚାଲିଥିବା ବେଳେ କଟକରୁ ଆସୁଛି ଗୋଟେ ପରେ ଗୋଟେ ନକଲିର ଖବର । ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଟିଭି ଖୋଲିଲେ, ମୋବାଇଲ ଦେଖିଲେ କୁତ୍ସିତ କାରବାରର ଏ କଳା କାହାଣୀ ଲୋକଙ୍କୁ ଡରାଇ ଦେଉଛି । ଖାଇଲେ, ପିଇଲେ, ଜିନିଷ କିଣିଲେ ନକଲିର କଥା ଆଖିରେ ନାଚିଯାଉଛି ମନରେ ପ୍ରଶ୍ନ ଉଠୁଛି କଟକରୁ ଆଉ କେତେ ନକଲି ବାହାରିବ…?
ନାମୀଦାମୀ କମ୍ପାନୀ ନାଁରେ କଳା କାରବାର । ଅସଲି ଖୋଳରେ ନକଲି ଜିନିଷ । ରୋଷେଇ କଳା ବେଳେ ନକଲିର ଭୟ ଘାରୁଛି । କାଳେ ରୋଷେଇ ସାମଗ୍ରୀ ନକଲି ହୋଇଥିବ । କାରଣ ପୂର୍ବରୁ ଅନେକ ଥର ସେହି ସିଲଭରସିଟିରୁ ନକଲି ଘିଅ. ନକଲି ହଳଦୀ, ନକଲି ମସଲା ଘଟଣା ସାମ୍ନାକୁ ଆସିଛି । ଖାଲି ରୋଷେଇ କାହିଁକି ଘର ତିଆରି କରିବାକୁ ବି ଲୋକେ ଆତଙ୍କିତ ହେଉଛନ୍ତି କାରଣ ମାର୍କେଟରେ ମିଳୁଛି ନକଲି ସିମେଣ୍ଟ । ଜଗତପୁରରେ ନକଲି ସିମେଣ୍ଟର କାରଖାନା, ସିନ୍ଥେଟିକ ପନିର ଠାବ ହେବା ପରେ ଏବେ କଟକରୁ ମିଳୁଥିବା ଜିନିଷ ଉପରେ ସାଧାରଣ ଲୋକଙ୍କ ସନ୍ଦେହ ବଢୁଛି । ତେଣୁ ସାବଧାନ କେତେବେଳେ ବି ଆପଣ ହୋଇପାରନ୍ତି ନକଲିର ଶିକାର । କଟକରୁ ବାରମ୍ବାର ନକଲି ସାମଗ୍ରୀ ଜବତ ହେବା ଘଟଣା ସାରା ରାଜ୍ୟର ମୁଣ୍ଡ ବିନ୍ଧାର କାରଣ ହୋଇଥିବା ବେଳେ ଏବେ ଜବତ ହୋଇଛି ନକଲି ଜର୍ଦା କମ୍ପାନୀ ।
ତେବେ ନକଲିର ନଗରୀରୁ ବାରମ୍ବାର ଏସବୁର ଖବର ଆସିବା ପରେ ଏଠି ପ୍ରଶ୍ନ ଉଠୁଛି, ନକଲି ପଛର ନାୟକ କିଏ ? କାହା ଛତ୍ରଛାୟା ତଳେ ଚାଲୁଛି ନକଲି କାରବାର ? କେତେବାଟ ଲମ୍ବିଛି ନକଲି କାରବାରର ଚେର ? ପୋଲିସର ନାକତଳେ ଭେଜାଲ ହେଉଥିଲେ ବି ଆଗରୁ କେମିତି ଜାଣିପାରୁ ନଥିଲା ପୋଲିସ ? ପର୍ଦ୍ଦାଫାସ ହେବ କି ଗୋଟି ଗୋଟି ନକଲି କାରଖାନାର କଳା କାରନାମା ?