ଆପଣ ପତଞ୍ଜଳୀ ସାମଗ୍ରୀ କିଣୁଛନ୍ତି କି ? ସାବଧାନ, ବଜାରରେ ବିକ୍ରି ହେଉଛି ପତଞ୍ଜଳୀ ଲେବଲ ଲାଗିଥିବା ନକଲି ସାମଗ୍ରୀ ।

48

ଯଦି ଆପଣ ପତଞ୍ଜଳୀର ବିଭିନ୍ନ ସାମଗ୍ରୀ ବ୍ୟବହାର କରୁଛନ୍ତି, ତେବେ ସଚେତନ ହୁଅନ୍ତୁ । ବଜାରରେ ନକଲି ସାମଗ୍ରୀ ଉପରେ ପତଞ୍ଜଳୀର ଲେବଲ ଲଗାଇ ବିକ୍ରି କରାଯାଉଛି । ହରିଦ୍ୱାରର ଜଗଜୀତପୁର ସ୍ଥିତ ଏକ ହସ୍ପିଟାଲରେ ଯୋଗ ଗୁରୁ ବାବା ରାମଦେବଙ୍କର ପତଞ୍ଜଳୀ ସମୂହର ଲେବଲ ଲଗାଯାଇ ବିକ୍ରି କରାଯାଉଥିବା ସାମଗ୍ରୀକୁ ଦିଲ୍ଲୀ ହାଇକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଏକ ଟିମ୍ ଏହାକୁ ନିଜ ଅଧୀନକୁ ନେଇଛି ।

ଏହି ଟିମ ନକଲି ସାମଗ୍ରୀଗୁଡିକୁ ନିଜ ସାଙ୍ଗରେ ନେଇଯାଇଛନ୍ତି । ସାମଗ୍ରୀଗୁଡିକୁ କୋର୍ଟ ଦରବାରକୁ ନିଆଯିବ । କନଖଲ ପୋଲିସ ଏହା ସ୍ପଷ୍ଟ କରିଛି ।

 

ସୂଚନା ଅନୁଯାୟୀ, ପତଞ୍ଜଳୀ ଫୁଡ ପାର୍କର ଲିଗାଲ ୟୁନିଟ ପକ୍ଷରୁ  ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇ ଅଭିଯୋଗ କରାଯାଇଛି ଯେ, ଜଗଜୀତପୁର ସ୍ଥିତ ଏକ ହସ୍ପିଟାଲରେ ପତଞ୍ଜଳୀର ଲେବଲ ଲଗାଇ ନକଲି ସାମଗ୍ରୀ ବିକ୍ରି କରାଯାଉଛି ।

ଏହି ମାମଲା କୋର୍ଟରେ ଚାଲୁଥିବା ବେଳେ କୋର୍ଟର ନିର୍ଦ୍ଦେଶ ଅନୁଯାୟୀ, ଦିଲ୍ଲୀ ହାଇକୋର୍ଟର ଲିଗାଲ କମିଶନରଙ୍କ ନେତୃତ୍ୱରେ ଏକ ଟିମ ଜଗଜୀତପୁର ପହଞ୍ଚିଥିଲେ । ଏହା ସହ ସମ୍ପୃକ୍ତ ହସ୍ପିଟାଲରେ ଚଢାଉ କରି ନକଲି ସାମଗ୍ରୀ ଜବତ କରିଥିଲେ । ଏହି ସମୟରେ ଅନେକ ନକଲି ସାମଗ୍ରୀ ଜବତ ହୋଇଥିଲା ।

 

କନଖଲର ଥାନା ଅଧିକାରୀ ଅନୁଜ ସିଂହ କହିଛନ୍ତି ଯେ, ଦିଲ୍ଲୀରୁ ଆସିଥିବା ଏହି ଟିମ ନକଲି ସାମଗ୍ରୀଗୁଡିକୁ ଜବତ କରି ନିଜ ସାଙ୍ଗରେ ନେଇଯାଇଛନ୍ତି । ତେବେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଏହି ସମୟରେ ଉପସ୍ଥିତ ରହିଥିଲା ।