ଓଡ଼ିଶା ବଜାରରେ ନାକେଦମ୍ କଲାଣି ନକଲି ଖାଦ୍ୟ ସାମଗ୍ରୀ । କଟକ, ଭୁବନେଶ୍ୱର, ସମ୍ବଲପୁର ପରେ ବ୍ରହ୍ମପୁରରେ ନକଲି କାରଖାନା ଉପରେ ଚଢ଼ାଉ ।

88

କନକ ବ୍ୟୁରୋ : ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ କାରଖାନା ଉପରେ ଚଢାଉ । ଏଥର ବ୍ରହ୍ମପୁରର ପାଣ୍ଡବନଗରରେ ଅପମିଶ୍ରିତ ହଳଦୀ  ଓ ଲଙ୍କାଗୁଣ୍ଡ କାରଖାନାରେ ଚଢାଉ କରିଛି ବ୍ରହ୍ମପୁର ପୁଲିସ । ଏଠାରୁ ବିପୁଳ ପରିମାଣର ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ ଜବତ ହୋଇଛି । ଅର୍ଥାତ ପୁରା ଅସଲି ଦେଖାଯାଉଥିବା  ପ୍ୟାକେଟରେ  ନକଲି ସାମଗ୍ରୀ ପ୍ୟାକ କରାଯାଇ ଲୋକଙ୍କ ଜୀବନ ସହ ଖେଳାଯାଉଥିଲା ଖେଳ ।

ନାକେଦମ କଲାଣି ନକଲି ସାମଗ୍ରୀ ।  ଆପଣ ପଇସା ଦେଇ ଅସଲି ଜିନିଷ କିଣିବା ବେଳେ କେମିତି ଠକେଇର ଶିକାର ହେଉଛନ୍ତି ତାହା ବି ବୁଝିପାରିବେନି । ବାହାର ପ୍ୟାକିଂ ଜରି ଚକାଚକ୍ । ଦେଖିବାକୁ ପୁରା ଅସଲି , କିନ୍ତୁ ଭିତରେ ଥିବା ମାଲ୍ ପୁରା ଭେଜାଲ । ବ୍ରହ୍ମପୁରରେ ଏପରି ଏକ ନକଲି ସାମଗ୍ରୀ ତିଆରି କରୁଥିବା କାରଖାନାରେ ଚଢାଉ କରିଛି ପୋଲିସ ।  ସହରର ବଡ଼ ବଜାର ଥାନା ପୋଲିସ ପାଣ୍ଡବ ନଗରରେ ଥିବା ନକଲି ହଳଦୀ, ଲଙ୍କା ଗୁଣ୍ଡ ପ୍ରସ୍ତୁତ କାରଖାନା ଉପରେ ରେଡ ହୋଇଛି  ।

ବ୍ରହ୍ମପୁରର ଏହି ମିଲରେ ଅପମିଶ୍ରିତ ହଳଦୀ ଗୁଣ୍ଡରେ କରତ ଗୁଣ୍ଡ, ଚାଉଳ ଗୁଣ୍ଡ ଓ ଅନ୍ୟ ସାମଗ୍ରୀ ମିଶ୍ରଣ କରି ବଜାରକୁ ନାମିଦାମୀ ବ୍ରାଣ୍ଡର ଜରି ପ୍ୟାକିଂରେ ଛଡାଯାଉଥିଲା । ଲଙ୍କା ଗୁଣ୍ଡ ବି ଅପମିଶ୍ରିତ କରି ବଜାରକୁ ଛଡାଯାଉଥିଲା । ସିଧାସଳଖ କହିବାକୁ ଗଲେ ପାଣ୍ଡବ ନଗରର ଏହି ମିଲରେ ହଳଦୀ ଓ ଲଙ୍କାଗୁଣ୍ଡରେ  ଅପମିଶ୍ରଣ କରାଯାଇ ବଜାରକୁ ଛଡାଯାଉଥିଲା ମାଲ । ରେଡ ବେଳେ ଜବତ ହୋଇଛି  ପାଖାପାଖି ୬ ଶହ କିଲୋ ଲଙ୍କାଗୁଣ୍ଡ ସହ ୬ ଶହ କିଲୋ ହଳଦୀ ଗୁଣ୍ଡ ଏବଂ ୨ଟି ମେସିନ୍ ।

କଟକରୁ ଆରମ୍ଭ କରି ଭୁବନେଶ୍ୱର, ବ୍ରହ୍ମପୁରରୁ ନେଇ ଜଗତପୁର ଯାଏଁ ସବୁଠି ଦେଖିବାକୁ ମିଳିଲାଣି ଏହି ନକଲି ଭଣ୍ଡାର । ପ୍ରଶ୍ନ ଉଠୁଛି, ଏହା ଉପରେ ଲଗାମ ଲାଗିବ କେବେ  ।