କନକ ବ୍ୟୁରୋ: ଘିଅ, ହଳଦୀ, ମସଲା, ସୋୟାବିନ ଆଉ ଏବେ ପନିର ପାଳି । ନକଲି... ନକଲି... ସବୁ ନକଲି । ସିଲଭଲ ସିଟିରେ ସବୁ ନକଲି । କଟକ ସାଜିଛି ଭେଜାଲର ହବ । ଜଗତପୁର ପାଲଟିଛି ନକଲି ସାମଗ୍ରୀର ପେଣ୍ଠସ୍ଥଳ । ଲଗାତାର ଗୋଟିଏ ମାସ ଧରି ଧରପଗଡ ଚାଲିଥିବା ବେଳେ କଟକରୁ ଆସୁଛି ଗୋଟେ ପରେ ଗୋଟେ ନକଲିର ଖବର । ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଟିଭି ଖୋଲିଲେ, ମୋବାଇଲ ଦେଖିଲେ କୁତ୍ସିତ କାରବାରର ଏ କଳା କାହାଣୀ ଲୋକଙ୍କୁ ଡରାଇ ଦେଉଛି । ଖାଇଲେ, ପିଇଲେ, ଜିନିଷ କିଣିଲେ ନକଲିର କଥା ଆଖିରେ ନାଚିଯାଉଛି ମନରେ ପ୍ରଶ୍ନ ଉଠୁଛି କଟକରୁ ଆଉ କେତେ ନକଲି ବାହାରିବ...?

Advertisment

ନାମୀଦାମୀ କମ୍ପାନୀ ନାଁରେ କଳା କାରବାର । ଅସଲି ଖୋଳରେ ନକଲି ଜିନିଷ । ରୋଷେଇ କଳା ବେଳେ ନକଲିର ଭୟ ଘାରୁଛି । କାଳେ ରୋଷେଇ ସାମଗ୍ରୀ ନକଲି ହୋଇଥିବ । କାରଣ ପୂର୍ବରୁ ଅନେକ ଥର ସେହି ସିଲଭରସିଟିରୁ ନକଲି ଘିଅ. ନକଲି ହଳଦୀ, ନକଲି ମସଲା ଘଟଣା ସାମ୍ନାକୁ ଆସିଛି । ଖାଲି ରୋଷେଇ କାହିଁକି ଘର ତିଆରି କରିବାକୁ ବି ଲୋକେ ଆତଙ୍କିତ ହେଉଛନ୍ତି କାରଣ ମାର୍କେଟରେ ମିଳୁଛି ନକଲି ସିମେଣ୍ଟ । ଜଗତପୁରରେ ନକଲି ସିମେଣ୍ଟର କାରଖାନା ଠାବ ହେବା ପରେ ଏବେ କଟକରୁ ମିଳୁଥିବା ଜିନିଷ ଉପରେ ସାଧାରଣ ଲୋକଙ୍କ ସନ୍ଦେହ ବଢୁଛି । ତେଣୁ ସାବଧାନ କେତେବେଳେ ବି ଆପଣ ହୋଇପାରନ୍ତି ନକଲିର ଶିକାର ।

କଟକରୁ ବାରମ୍ବାର ନକଲି ସାମଗ୍ରୀ ଜବତ ହେବା ଘଟଣା ସାରା ରାଜ୍ୟର ମୁଣ୍ଡ ବିନ୍ଧାର କାରଣ ହୋଇଥିବା ବେଳେ ଏବେ ଯାହା ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଚମକାଇ ଦେଇଛି । କାରଣ କଟକରୁ ଜବତ ହୋଉଛି ନକଲି ପନିର । ପାଖାପାଖି ୧ କ୍ୱିଣ୍ଟାଲରୁ ଅଧିକ ସିନ୍ଥେଟିକ ପନିର ସିଲଭରସିଟିରୁ ଧରିଛି ଚାଉଳିଆଗଞ୍ଜ ପୋଲିସ । କୁହାଯାଉଛି ଭେଜାଲ ପନିରର ରହିଛି କୋଲକାତା ଲିଙ୍କ । କୋଲାକାତାରୁ ଆସି କଟକ ବଜାରରେ ବିକ୍ରି ହେଉଛି ଏହି ବିଷମିଶା ଖାଦ୍ୟ । ନଷ୍ଟ ହୋଇଯାଇଥିବା କ୍ଷୀର ସହ ରାସାୟନିକ ପଦାର୍ଥ ମିଶାଇ ଏହି ଅପମିଶ୍ରିତ ସାମଗ୍ରୀକୁ ମାର୍କେଟରୁ ଛଡାଯାଉଛି ।

ତେବେ ପିଠାପୁରରୁ ଅପମିଶ୍ରିତ ଘିଅ, ଜଗତପୁରରୁ ନକଲି ସିମେଣ୍ଟ ସହ ବିଭିନ୍ନ ସମୟରେ ଭେଜାଲର ଆଡ୍ଡା ପାଲଟିଥିବା ଜଗତପୁରରୁ ଜବତ ହୋଇଛି ପୁଳାପୁଳା ନକଲି ସାମଗ୍ରୀ । ତେବେ ନକଲିର ନଗରୀରୁ ବାରମ୍ବାର ଏସବୁର ଖବର ଆସିବା ପରେ ଏଠି ପ୍ରଶ୍ନ ଉଠୁଛି, ନକଲି ପଛର ନାୟକ କିଏ ? କାହା ଛତ୍ରଛାୟା ତଳେ ଚାଲୁଛି ନକଲି କାରବାର ? କେତେବାଟ ଲମ୍ବିଛି ନକଲି କାରବାରର ଚେର ? ପୋଲିସର ନାକତଳେ ଭେଜାଲ ହେଉଥିଲେ ବି ଆଗରୁ କେମିତି ଜାଣିପାରୁ ନଥିଲା ପୋଲିସ ? ପର୍ଦ୍ଦାଫାସ ହେବ କି ଗୋଟି ଗୋଟି ନକଲି କାରଖାନାର କଳା କାରନାମା ?