ପାକିସ୍ତାନରେ ଛପାଯାଉଥିଲା ନକଲି ଭାରତୀୟ ଟଙ୍କା ! ବାଂଲାଦେଶରୁ ହେଲା ଜବତ ।

301

କନକ ବ୍ୟୁରୋ : ବାଂଲାଦେଶ ପୁଲିସ ୭ କୋଟିରୁ ଅଧିକ ମୂଲ୍ୟର ନକଲି ଭାରତୀୟ ଟଙ୍କା ଜବତ କରିଛି । ଏହି ନୋଟ୍ ଗୁଡିକ ପାକିସ୍ତାନରେ ଛପା ଯାଇଥିଲା ବୋଲି ତଦନ୍ତରୁ ଜଣାପଡିଛି । ଢାକାର ଏକ ଘରୁ ଶନିବାର ନକଲି ନୋଟ୍ ମିଳିଥିଲା । ଏହି ମାମଲାରେ ପୁଲିସ ଖିଲଖେଟ ଅଞ୍ଚଳରୁ ଫାଲୀମା ଅଖତର ନାମକ ଜଣେ ମହିଳାଙ୍କୁ ଗିରଫ କରିଛି । ପ୍ରାଥମିକ ଅନୁସନ୍ଧାନ କରିବା ପରେ ପୁଲିସ ଟିମ୍ ଦକ୍ଷିଣଖାନ ଅଞ୍ଚଳରେ ଥିବା ଏକ ଘରେ ମଧ୍ୟ ଚଢ଼ାଉ କରିଥିଲା ଓ ସେଠାରୁ ମଧ୍ୟ ନକଲି ଭାରତୀୟ ଟଙ୍କା ଜବତ କରିଥିଲା । ଏହି ଘଟଣାରେ ଫାଲୀମାଙ୍କ ସହଯୋଗୀ ଆବୁ ତାଲିବକୁ ମଧ୍ୟ ଗିରଫ କରାଯାଇଛି ।

ଢାକା ପୁଲିସର ସୂଚନା ଅନୁଯାୟୀ, ଏହି ନୋଟଗୁଡିକ ପାକିସ୍ତାନରେ ତିଆରି କରାଯାଇଥିଲା । ଏହା ପରେ ଚାଲାଣକାରୀ କରାଚିରୁ ଶ୍ରୀଲଙ୍କା ଆଣିଥିଲେ । ତା’ପରେ ଜାହାଜରେ ଶ୍ରୀଲଙ୍କାରୁ ଏକ ମାର୍ବଲ କଣ୍ଟେନରରେ ବାଂଲାଦେଶର ଚିଟାଗଙ୍ଗ ବନ୍ଦରକୁ ଅଣାଯାଇଥିଲା । ଗିରଫ ଅଭିଯୁକ୍ତ ଆବୁ ତାଲିବ ପୁଲିସକୁ କହିଛି ଯେ ସେ ଦୁଇ ପାକିସ୍ତାନୀ ନାଗରିକ ସୁଲତାନ ଏବଂ ଶାଫିଙ୍କ ସହାୟତାରେ ଏହି ଟଙ୍କା ଆଣିଥିଲେ ।

ପାକିସ୍ତାନୀ ନାଗରିକ ସୁଲତାନ ଏବଂ ଶାଫି ଅନ୍ତର୍ଜାତୀୟ ସ୍ମଗଲିଂ ଗ୍ୟାଙ୍ଗର ସଦସ୍ୟ ବୋଲି କୁହାଯାଉଛି । ଏହି ଅନ୍ତର୍ଜାତୀୟ ଚୋରା କାରବାରରେ ଫାତିମା ଏବଂ ଆବୁ ମଧ୍ୟ ଜଡିତ ଅଛନ୍ତି । ଢାକା ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ନକଲି ନୋଟଗୁଡିକୁ ଭାରତରେ ପହଞ୍ଚାଇବାକୁ ଯୋଜନା କରାଯାଇଥିଲା । ତେବେ ଏହା ପୂର୍ବରୁ ପୁଲିସ ଗୁଇନ୍ଦା ସୂଚନା ପାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।