ବିପଦ ବେଳାରେ ଚିନ୍ତା ବଢ଼ାଇଲା ବିଷ ବେଉସା । ରାଜ୍ୟର୧୩ଟି ଜିଲ୍ଲାରେ ନକଲି ଔଷଧ, ଆଜି ଏକାଧିକ ସ୍ଥାନରେ ଚଢାଉ

143

କନକ ବ୍ୟୁରୋ: ବିଶ୍ୱାସରେ ବିଷ ଦେଇ ମୁନାଫା ଲୋଭରେ ମଣିଷ ଜୀବନକୁ ବିପଦରେ ଠେଲି ଦେଉଥିବା ଔଷଧ ମାଫିଆଙ୍କ କାରନାମା ସାମ୍ନାକୁ ଆସିବା ପରେ ଓଡ଼ିଶାର କୋଣଅନୁକୋଣରେ ତତ୍ପରତା । କଟକ ଓ ରାଉରକେଲା ପରେ କଳାହାଣ୍ଡି, ଝାରସୁଗୁଡ଼ା, ବଲାଙ୍ଗୀର ଭଳି ଏକାଧିକ ସ୍ଥାନରେ ଚଢ଼ାଇ କରାଯାଇଛି । କଟକ କନିକା ଛକ ମେଡିଲଏଡ୍ ମେଡିକାମେଂଟ ପ୍ରାଇଭେଟ ଲିମିଟେଡ୍ରୁ ଔଷଧ ଆସି ବିକ୍ରି ହୋଇଛି କି? ଯଦି ଆସିଛି କେତେ ଆସିଛି ଓ କୁଆଡେ ଯାଇଛି ତାର ଛାନବିନ୍ କରାଯାଇଛି ।

କରୋନା କାଳରେ ଔଷଧ ଅଭାବର ସୁଯୋଗ ନେଇ ନକଲି ଫାବିପିରାଭିର ଔଷଧ ବିକ୍ରି କରି ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ଡ୍ରଗ୍ସ ମାଫିଆ । ବଡ଼ କଥା ହେଉଛି- ନକଲି ଔଷଧ ଓଡ଼ିଶାର କେତେ ଜାଗାକୁ ଯାଇଛି? ସାଧାରଣ ରୋଗୀଙ୍କ ଉପରେ ଏହାର କ’ଣ ପ୍ରଭାବ ପଡ଼ିଛି? ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ଓଡ଼ିଶା ଡ୍ରଗ୍ କଂଟ୍ରୋଲର୍ଙ୍କ କାର୍ଯ୍ୟାଳୟରୁ ସୂଚନା ଦେଇ କୁହାଯାଇଛି ।

କୌଣସି କୋଭିଡ୍ ହସ୍ପିଟାଲକୁ ଏହି ନକଲି ଔଷଧ ଯିବାର ପ୍ରମାଣ ମିଳିନାହିଁ
– କଟକ କନିକା ଛକ ହୋଲସେଲରଠାରୁ ରାଜ୍ୟର ୧୩ଟି ଜିଲ୍ଲାକୁ ଔଷଧ ଯାଇଛି
– ଖୋର୍ଦ୍ଧା, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଜଗତସିଂପୁର, ଯାଜପୁର ସମେତ ୧୩ ଜିଲ୍ଲାକୁ ଯାଇଛି
– ସେହିପରି ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗକୁ ମଧ୍ୟ ଏହି ନକଲି ଔଷଧ କଟକରୁ ଯାଇଛି
– ଆଉ ୩ ଦିନ ଭିତରେ ନମୂନା ପରୀକ୍ଷା ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହେବ

କଟକର ଏହି ହୋଲ୍ ସେଲର ସିଧାସଳଖ କମ୍ପାନୀଠାରୁ ଔଷଧ ଆଣୁଥିଲା । ତେବେ ବର୍ତମାନ ସମୟରେ ଏହି ହୋଲସେଲରଙ୍କ ବ୍ୟବସାୟ ଉପରେ କଟକଣା ଲଗାଯାଇଛି । ଏପଟେ ନକଲି ଔଷଧ କାରବାରକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି, ଅଭିଯୋଗ ଆସିବା ମାତ୍ରେ ଚଢାଉ କରାଯାଇଥିଲା । ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ ।

ହିମାଚଳ ପ୍ରଦେଶରେ ତିଆରି ହୋଇ ଏହି ନକଲି ଔଷଧ କଟକ ଆସିଥିଲା । ଆଉ ତନାଘନା ପରେ ଜଣା ପଡ଼ିଲା ୨ଟି ରାଜ୍ୟ ସମେତ ଓଡ଼ିଶାର କୋଣ ଅନୁକୋଣକୁ ଔଷଧ ଯାଇସାରିଥିଲା । ବଡ଼ କଥା ହେଉଛି ବଳକା ନକଲି ଫାଭିଫିରାଭିର୍ ଜବତ ହୋଇଥିବା ବେଳେ ଓଡ଼ିଶାରେ ୯ ପ୍ରକାରର ଔଷଧ ବଂଟନ ହୋଇଥିବା ଜଣାପଡ଼ିଛି ।