କନକ ବ୍ୟୁରୋ : ଓଡିଶାରେ ପ୍ରସ୍ତୁତ ହେଉଛି ନକଲି ମଦ, କୋଲକାତାରୁ ଆସୁଛି ସାମଗ୍ରୀ । ଆଉ କିଛି କ୍ଷଣ ମଧ୍ୟରେ ଏହାକୁ ପ୍ରସ୍ତୁତ କରି ବଜାରକୁ ଛଡାଯାଉଛି । ଆଉ ଏଭଳି ଏକ ରାକେଟର ପର୍ଦ୍ଦାଫାଶ ହୋଇଛି ।  ସମ୍ବଲପୁର, ବରଗଡ ଓ ଝାରସୁଗୁଡା ଜିଲ୍ଲାର ନକଲି ମଦ କାରଖାନାରେ ଚଢାଉ କରିଛି ସମ୍ବଲପୁର ଅବକାରୀ ବିଭାଗ । ଏହି ଘଟଣାରେ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ତେବେ ଗୁଇନ୍ଦା ଓ ଅବକାରୀ ବିଭାଗର ଚଢାଉ ବେଳେ ୭୭ ହଜାର ୭୧୫ଟି ଠିପି, ୮୬ ହଜାର ୨୩୩ ଷ୍ଟିକର ଓ ୩୮ ଲିଟର ନକଲି ମଦ ଜବତ ହୋଇଛି ।

Advertisment

ଅସଲି ଡବାରେ ନକଲି ମଦ । ଆଉ ଏହାକୁ କେମିତି ପ୍ରସ୍ତୁତ କରାଯାଏ ତାହାର ଡେମୋ ଦେଖାଇଛନ୍ତି ଅଭିଯୁକ୍ତ । ସମ୍ବଲପୁର ଅବକାରୀ ଅଫିସ ଆଗରେ ଗଦା ହୋଇଛି ମଦ ବୋତଲ ଠିପି । ଅବକାରୀ କର୍ମଚାରୀ ଓ ଅଧିକାରୀଙ୍କ ଉପସ୍ଥିତିରେ ମଦ ପ୍ରସ୍ତୁତି ପ୍ରଣାଳୀ ଦେଖାଉଛି ଅଭିଯୁକ୍ତ । ଏହି ନକଲି ମଦକୁ ଦେଖିଲେ, ଅସଲି ବି ହାର ମାନିଯିବ । କାରଣ ପ୍ୟାକିଂ, ଲେଭେଲିଂକୁ ଏମିତି ଅବିକଳ ନକଲ କରାଯାଇଛି ଯେ,ଏହା ସମ୍ପୂର୍ଣ୍ଣ ଅସଲି ଭଳି ଦିଶୁଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡିଶାରେ ନକଲି ମଦ ପ୍ରସ୍ତୁତ ନେଇ କୋଲକାତାରୁ ଆସୁଛି ଆବଶ୍ୟକୀୟ ସାମଗ୍ରୀ । ମଦ ବୋତଲ, ଠିପି, ଷ୍ଟିକର ସବୁ ପଡୋଶୀ ପଶ୍ଚିମବଙ୍ଗରୁ ଆସୁଛି । ସବୁଠାରୁ ବଡ କଥା ହେଉଛି, ସେଥିରେ ଓଡିଶା ସରକାରଙ୍କ ଲୋଗୋ ଓ ସିରିଏଲ ନମ୍ବର ଲେଖା ରହୁଛି । ଯାହାକୁ ଦେଖିଲେ ଏହି ମଦ ଅସଲି ଭାବି ଠକି ଯାଇପାରନ୍ତି ଗ୍ରାହକ । ବରଗଡ, ସମ୍ବଲପୁର ଓ ଝାରସୁଗୁଡା ଅଂଚଳରେ ଛୋଟ ଛୋଟ ବ୍ୟବସାୟୀଙ୍କୁ ଏହି ନକଲି ମଦ ବିକ୍ରି କରୁଛନ୍ତି ଅଭିଯୁକ୍ତ ।