ନକଲି ହେଲମେଟକୁ ସାବଧାନ…! ଚାଲାଣରୁ ବଞ୍ଚାଇବ କିନ୍ତୁ ଜୀବନ ନୁହେଁ । ସଚେତନ ସହ ସତର୍କ କରାଇଲେ ପୋଲିସ ବାବୁ ।

223

କନକ ବ୍ୟୁରୋ : ଦୁଇ ଚାରି ହାତୁଡି ପାହାର ବାଜିଲା, ହେଲମେଟ କଣା ହୋଇଗଲା ।  ଏମିତି ହେଲମେଟ ଦୁର୍ଘଟଣା ସମୟରେ ଚାଳକଙ୍କର କଣ ବା ଜୀବନ ବଞ୍ଚାଇବ? କିନ୍ତୁ ସବୁ ହେଲମେଟରେ ପାହାର ବସିଲେ ଯେ ଏମିତି ଅବସ୍ଥା ହେବ ତାହା ନୁହେଁ କି ସବୁ ହେଲମେଟ ସୁରକ୍ଷିତ ନୁହେଁ ସେକଥା ଭାବିବା ମଧ୍ୟ ଭୁଲ । କିନ୍ତୁ ବଜାରରେ ବିପୁଳ ମାତ୍ରାରେ ବିକ୍ରି ହେଉଥିବା ନକଲି ହେଲମେଟର ଅବସ୍ଥା କିଛି ଏହିପରି ହୋଇପାରେ । ଯାହା ବାବଦରେ ଲୋକଙ୍କୁ ସଚେତନ କରିଛନ୍ତି ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ।

ରାଜ୍ୟରେ ହେଲମେଟ ଚେକିଂ କଡାକଡି ହେବା ପରେ ଏବେ ହେଲମେଟର ଚାହିଦା ପୂର୍ବପେକ୍ଷା ଯଥେଷ୍ଟ ଅଧିକ ବଢିଛି । ବିନା ହେଲମେଟରେ ଚାଲାଣ କଟୁଥିବାରୁ ବାଇକ ଚାଳକ ହେଲମେଟ ନ ଧରିଲେ ବଜାର ବାହାରୁ ନାହାନ୍ତି । ତେବେ ହେଲମେଟର ଚାହିଦା ଅଧିକ ବଢୁଥିବାରୁ ବଜାରରେ ଏବେ ନକଲି ହେଲମେଟର ପସରା ମେଲିଛି । ଆଇଏସଆଇ ମାର୍କ ଥିବା ହେଲମେଟ କହି ଗାଡି ଚାଳକଙ୍କୁ ବେଧଡକ ବିକ୍ରି କରୁଛନ୍ତି କିଛି ବେପାରୀ ।  ଆଉ କମ ଟଙ୍କାରେ ମିଳୁଛି ବୋଲି ଚାଲାଣରୁ ବର୍ତ୍ତିବା ପାଇଁ ବାଇକ ଚାଳକ ରାସ୍ତାକଡରୁ ହେଲମେଟ କିଣି ନେଉଛନ୍ତି । ତେବେ ଏହି ହେଲମେଟ କେବଳ ଚାଲାଣରୁ ବଞ୍ଚାଇବ କିନ୍ତୁ ଜୀବନ ବଞ୍ଚାଇ ପାରିବନି । କାରଣ ଏହି ଶସ୍ତା ତଥା ନକଲି ହେଲମେଟ ଭିତରେ କେବଳ ଥର୍ମୋକୋଲ ରହିଛି । ଯାହା କୌଣସି ଶକ୍ତ ଆଘାତରେ ଫାଟିଯାଏଥାଏ, ଆଉ ଏହା ଗାଡି ଚାଳକଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ ।

ଏବେ ରାଜ୍ୟରେ ବାଇକ ଦୁର୍ଘଟଣା ଅଧିକ ସଂଖ୍ୟାରେ ହେଉଥିବା ବେଳେ ଅନେକ ସ୍ଥାନରେ ଗାଡି ଚାଳକ ମୃତ୍ୟୁମୁଖରେ ପଡୁଛନ୍ତି । ଖାସକରି ବିନା ହେଲମେଟ ଓ ନକଲି ହେଲମେଟ ପିନ୍ଧୁଥିବା ଗାଡି ଚାଳକଙ୍କର ମୃତ୍ୟୁ ସଂଖ୍ୟା ଅଧିକ ରହୁଛି । ତେଣୁ ନକଲି ହେଲମେଟ ପାଇଁ ଆପଣଙ୍କୁ କେତେ ଯେ ମୂଲ୍ୟ ଦେବାକୁ ପଡିପାରେ ତାହା ହୁଏତ କେବେ ଭାବିନଥିବେ । ହାତୁଡି ମାଡରେ ନକଲି ହେଲମେଟ ଫାଟିଯିବା ଭଳି ଦୁର୍ଘଟଣା ସମୟରେ ଯଦି ଶକ୍ତ ଆଘାତକୁ ନକଲି ହେଲମେଟ ସହ୍ୟ ନକରି ପାରି ଫାଟିଯାଏ ତେବେ ସ୍ଥିତି କଣ ହେବ ଥରେ ଭାବନ୍ତୁ । ତେଣୁ ସବୁବେଳେ ଅସଲି ହେଲମେଟ କିଣିବା ଉପରେ ଗୁରୁତ୍ୱ ଦେବାକୁ ଗାଡିଚାଳକଙ୍କୁ ପରାମର୍ଶ ଦେଇଛନ୍ତି ସମ୍ବଲପୁର ଏସପି । ଏପରିକି ରାସ୍ତାକଡରେ ବିକ୍ରି ହେଉଥିବା ହେଲମେଟ ନକିଣି ଆଇଏସଆଇ ମାର୍କ ଥିବା ହେଲମେଟ ସୋରୁମରୁ କିଣିବା ସହ ରସିଦ ଆଣନ୍ତୁ । କାରଣ ରସିଦରେ ଆଇଏସଆଇ ହୋଲୋଗ୍ରାମ ରହିଥିବାରୁ ହେଲମେଟ ଅସଲି କି ନକଲି ତାହା ଜାଣି ହୋଇଥାଏ ।

ଚାଲାଣରୁ ବଞ୍ଚିବା ପାଇଁ ନୁହେଁ ଜୀବନ ବଞ୍ଚାଇବା ପାଇଁ ହେଲମେଟ କିଣିବା ଉପରେ ଗୁରୁତ୍ୱ ଦିଅନ୍ତୁ ଗାଡି ଚାଳକ । ଏହାଛଡା ରାସ୍ତାକଡରେ ନକଲି ହେଲମେଟରେ ଆଇଏସଆଇ ମାର୍କ ଲଗାଇ ଚାଳକଙ୍କୁ ଠକୁଥିବା ଦୋକାନୀଙ୍କ ଉପରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି । ଯାହାଦ୍ୱାରା ଗାଡି ଚାଳକ କେବଳ ଯେ ଠକାମୀରୁ ବଞ୍ଚିଯିବେ ତାହା ନୁହେଁ ବରଂ କିଛି ଜୀବନ ମଧ୍ୟ ବଞ୍ଚିଯିବ ।