କନକ ବ୍ୟୁରୋ : ପୁଣି କଟକରେ ନକଲି ଗୁଟକା ଗୋଦାମ ଠାବ କରିଛି ବାଦାମବାଡ଼ି ଥାନା ପୁଲିସ । କଟକ ଶଙ୍କରପୁର ସ୍ଥିତ ନିଉ କମଳପୁର ଠାରେ ନକଲି ଗୁଟକା ଗୋଦାମ ଉପରେ ଚଢ଼ାଉ କରିଛି ବାଦାମବାଡ଼ି ଥାନା ପୁଲିସ । ବାଦାମବାଡ଼ି ଥାନା ଅଧିକାରୀ ରଶ୍ମୀରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ଉକ୍ତ ଚଢ଼ାଉ ଜାରି ରହିଛି । ଚଢ଼ାଉ ସମୟରେ ନକଲି ୧୩୬ ଟି ବ୍ୟାଗ ଗୁଟକା, ନାମୀଦାମୀ କମ୍ପାନିର ଲୋଗୋ ଜବତ କରାଯାଇଥିବା ବେଳେ ଜଣଙ୍କୁ ଅଟକ ରଖିଛି ପୁଲିସ । ତେବେ ସମସ୍ତ ନକଲି ସାମଗ୍ରୀର ମୂଲ୍ୟ ୩୩ ଲକ୍ଷ ଟଙ୍କା ରହିଥିବା ନେଇ ପୁଲିସ ସୂଚନା ଦେଇଛି ।
ଉକ୍ତ ଚଢ଼ାଉ ବାଦାମବାଡ଼ି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ହୋଇଥିବାବେଳେ ଘଟଣାସ୍ଥଳରେ ସିଏମ୍ସି ସ୍ବ୍ୟାସ୍ଥ୍ୟ ବିଭାଗ ଅଧିକାରୀ ଡ଼କ୍ଟର ସତ୍ୟବ୍ରତ ମହାପାତ୍ର, ଫୁଡ଼୍ ସୁପରଭାଇଜର ଭଗବାନ ଲେଙ୍କା ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ଗତ କିଛି ମାସ ପୂର୍ବେ ଜଗତପୁର, ମଧୁପାଟଣା, ପିଠାପୁର, ସିଡିଏ ଭଳି ଅଞ୍ଚଳରୁ ମଧ୍ୟ ନକଲି ଘିଅ, ସିମେଣ୍ଟ, ମସଲା ସାମଗ୍ରୀ ପ୍ରସ୍ତୁତ ହେଉଥିବା କାରଖାନାରେ କମିସନରେଟ ପୁଲିସ ଚଢ଼ାଉ କରିଥିଲା।