କଟକରେ ପୁଣି ନକଲି ଘିଅ କାରଖାନା ଠାବ । କୋଟିଏରୁ ଅଧିକ ଟଙ୍କା ଅପମିଶ୍ରିତ ଘିଅ ଜବତ । ନାମୀଦାମୀ କମ୍ପାନୀର ଲୋଗୋ ଲଗାଇ ବଜାରରେ କରାଯାଉଥିଲା ବିକ୍ରି

237

କନକ ବ୍ୟୁରୋ : ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବାରେ କଟକ ପାଲଟିଛି ପେଣ୍ଟସ୍ଥଳୀ । କେତେବେଳେ ନକଲି ଗୁଟଖା ତ କେବେ ନକଲି ସସ୍ । ଜନଗହଳିପୂର୍ଣ୍ଣ କଟକ ସହର ଏବେ ନକଲି ସାମଗ୍ରୀ ପ୍ରସ୍ତୁତର ପେଣ୍ଠସ୍ଥଳ ପାଲଟିଛି । ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ଗୋଟିଏ ପଟେ ବେପାରୀ ମାନେ ମାଲେ ମାଲ ହେଉଥିବା ବେଳେ ନକଲି ଖାଦ୍ୟକୁ ଅସଲି ଟଙ୍କା ଦେଇ ଗ୍ରାହକ ମାନେ ରୋଗ କିଣୁଛନ୍ତି । କିଛିଦିନ ହେବ କମିଶନରେଟ୍ ପୋଲିସ ଏଭଳି ନକଲି କାରଖାନା ମାନଙ୍କୁ ଠାବ କରିବାକୁ ପୁରା ଦମ୍ ଲଗାଇ ଦେଇଛି । ଏହି କ୍ରମରେ ଆଜି କଟକରେ ପୁଣି ନକଲି ଘିଅ କାରଖାନା ଠାବ କରାଯାଇଛି ।

କଟକ ଜଗତପୁର ଶିଳ୍ପାଚଂଳରେ ଥିବା ସୁବାଷ ଘିଅ ନାମକ ନକଲି ଘିଅ କାରଖାନା ଉପରେ ଚଢାଉ କରିଛି କମିଶନରେଟ୍ ପୋଲିସ । ଚଢାଉ ବେଳେ କୋଟିଏରୁ ଅଧିକ ଟଙ୍କାର ନକଲି ଘିଅ ଓ ସସ୍ ଜବତ କରାଯାଇଥିବା ବେଳେ ଏହି କାରଖାନା ସହିତ ସଂପୃକ୍ତ ଥିବା ୨ଜଣକୁ ଅଟକ ରଖାଯାଇଛି । ଅନ୍ୟପଟେ ନକଲି ସାମଗ୍ରୀକୁ ଅସଲିର ପରିଚୟ ଦେବା ପାଇଁ କମ୍ପାନୀ ତରଫରୁ ଯୋଗାଡ କରାଯାଇଥିବା ନାମାଦାମୀ କମ୍ପାନୀର ଲୋଗୋ ଓ ପ୍ୟାକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଏହା ସହ ଘିଅରେ ବ୍ୟବହୃତ ହେଉଥିବା କେମିକାଲକୁ କମିସନରେଟ ପୁଲିସ ଜବତ କରିଛି । ବହୁ ବର୍ଷ ଧରି ଏଠାରେ ନକଲି ଘିଅ ତିଆରି ଚାଲିଥିଲା । କମିସନରେଟ ପୁଲିସ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣ ନକଲି ଘିଅ ଜବତ କରାଯାଇଛି । କଟକରେ ଲଗାତର ୩ ଦିନ ହେବ ନକଲି ଘିଅ ଫ୍ୟାକ୍ଟ୍ରି ଊପରେ ଚଢାଉ ଚାଲିଛି । ଏହା ପୂର୍ବରୁ ପୁଲିସ କଟକରେ କିଛି ଦିନ ହେବ ୧୫ଟି ନକଲି କାରଖାନା ଉପରେ ଚଢାଉ କରିଛି ।