ବାତ୍ୟା ‘ଫୋନି’ ସହାୟତା ନାଁରେ ବଡ଼ ଗୁଜବ । ବିକ୍ରି ହେଉଛି ନକଲି ଫର୍ମ, ଠକେଇ ପାଇଁ ବିଛାଯାଇଛି ଜାଲିଆତିର ବୁଢ଼ିଆଣି ଜାଲ ।

520

କନକ ବ୍ୟୁରୋ : ଫୋନି ସହାୟତା ପାଇଁ ପୁରୀରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ହଜାର ହଜାର ଲୋକ ନାଲି ଓ ଧଳା ରଙ୍ଗର ଫର୍ମ ଫିଲ-ଅପ୍ କରି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାଡି ଲଗାଇଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଆବେଦନ ପାଇଁ କୌଣସି ବିଜ୍ଞାପନ ହୋଇନାହିଁ । ତେବେ କେଉଁ ଆଧାରରେ ଏଭଳି ଆବେଦନ କରାଯାଉଛି ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ଆମେ ଜିଲ୍ଲାପାଳଙ୍କ ସହ କଥା ହୋଇଥିଲୁ । ସେ ଆନୁଷ୍ଠାନିକ ଭାବେ କୌଣସି ମନ୍ତବ୍ୟ ଦେଇନଥିଲେ ମଧ୍ୟ ଏହା କେବଳ ଏକ ଗୁଜବ ବୋଲି କହିଛନ୍ତି । କିନ୍ତୁ କିଏ ଏହି ଗୁଜବ ସୃଷ୍ଟି କରିଛି ଓ ଏହାର ଉଦ୍ଦେଶ୍ୟ କଣ ତାହା ସ୍ପଷ୍ଟ ହୋଇନାହିଁ ।

ଫନି ବାତ୍ୟାରେ ଅନେକ କିଛି ହରାଇ ସାରିଥିବା ଲୋକମାନେ ସରକାରୀ ସହାୟତା ପାଇଁ କେତେ ଆତୁର, ପୁରୀ ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାର ଆଜିର ଗହଳି ଏବଂ ଲମ୍ବା ଲାଇନ୍ ହିଁ ପ୍ରମାଣିତ କରୁଛି । ହେଲେ, ଲୋକଙ୍କ ସମସ୍ୟାରୁ ଫାଇଦା ନେବା ପାଇଁ ବିଛାଯାଇଛି ଜାଲିଆତିର ବୁଢ଼ିଆଣି ଜାଲ ।

ବାତ୍ୟା ସହାୟତା ପାଇଁ ବିକ୍ରି ହେଉଛି ନକଲି ଫର୍ମ ! ଧଳା ଫର୍ମ ପାଇଁ ୫ଟଙ୍କା, ନାଲି ଫର୍ମ ପାଇଁ ୧୦ ଟଙ୍କା । ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ କ୍ଷତିପୁରଣ ନାଁରେ ଖୋଲାଖୋଲି ହିତାଧିକାରୀଙ୍କୁ ଭକୁଆ ବନାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରତିଦିନ ହଜାର ହଜାର ଲୋକ ଧାଇଁ ଆସୁଥିବା ଦେଖି, ଠକେଇର ପସରା ମେଳିଛନ୍ତି ଜେରକ୍ସ ଦୋକାନୀ । ଆଉ ଏହି ସବୁ ଜେରକ୍ସ ଦୋକାନରେ ଗୋଟିଏ ଧଳାଫର୍ମ ୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଗୋଟିଏ ନାଲିଫର୍ମ ୧୦ଟଙ୍କାରେ ବିକ୍ରି ହେଉଛି ।

ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଆବେଦନ ପାଇଁ କୌଣସି ବିଜ୍ଞାପନ ହୋଇନଥିବା ବେଳେ କେବଳ ଗୁଜବକୁ ଭିତ୍ତି କରି ଚାଲିଛି ଏକ ବଡ଼ ଧରଣର ଠକେଇ । ବର୍ତମାନ ସୁଦ୍ଧା ୧୫ ହଜାର ବାତ୍ୟା ବିପନ୍ନ ଫର୍ମ କିଣି ସାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି ।

ପୁରା ଘଟଣା ସଂପର୍କରେ ଜିଲ୍ଲା ପ୍ରଶାସନର ମତାମତ ନେବାକୁ ଆମେ ଯେତେବେଳେ ଚେଷ୍ଟା କରିଥିଲୁ । ଜିଲ୍ଲାପାଳ କହିଥିଲେ, ସେଭଳି କୌଣସି ଆବେଦନ ପାଇଁ କୌଣସି ସୂଚନା ଦିଆଯାଇ ନାହିଁ । କିମ୍ବା ବାତ୍ୟା ବିପନ୍ନ ପାଇଁ କୌଣସି ନୂଆ ଆବେଦନ ଗ୍ରହଣ ହେଉନି । ସବୁଠାରୁ ବଡ଼ କଥା ହେଉଛି କାଳିଆ ଯୋଜନା ସମୟରେ ଯେମିତି ଲୋକଙ୍କୁ ଠକିବା ପାଇଁ ଫର୍ମ ବିକ୍ରି ହେଉଥିଲା ଏବେ ବାତ୍ୟା ସହାୟତା ପାଇଁ ଫର୍ମ ବିକ୍ରି କରିବା ଭଳି ସାଂଘାତିକ୍ ଅଭିଯୋଗ ଆସିଛି ।