ଗାଡିରେ ଇଞ୍ଜିନ ଅଏଲ ପକାଇବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ । ଅସଲି ଡବାରେ ବିକ୍ରି ହେଉଛି ନକଲି ତେଲ, ବାଲେଶ୍ୱରରୁ ଠାବ ହେଲା ନକଲି ମୋବିଲ କାରଖାନା । ଜାଣନ୍ତୁ କିଭଳି ପ୍ରସ୍ତୁତ ହେଉଥିଲା ନକଲି ତେଲ?

1,005

କନକ ବ୍ୟୁରୋ: ଗାଡିରେ ଇଞ୍ଜିନ ଅଏଲ ପକାଇବା ପୂର୍ବରୁ ସାବଧାନ ହୋଇଯାଆନ୍ତୁ । କାରଣ ଅସଲି ବ୍ରାଣ୍ଡ ନାଁରେ ବଜାରରେ ବୁଲୁଛି ନକଲି ଇଞ୍ଜିନ ଅଏଲ । ଯାହାକୁ ମୋଟରସାଇକେଲ କିମ୍ବା ଗାଡିରେ ପକାଇବା ଆପଣଙ୍କୁ ମହଙ୍ଗା ପଡିପାରେ । ଏଭଳି ଏକ ନକଲି ଇଞ୍ଜିନ ଅଏଲ କାରାଖାନା ବାଲେଶ୍ୱରରେ ଠାବ କରିଛି ପୋଲିସ । ବଡ ବଡ ନାମୀ ଦାମୀ କମ୍ପାନିର ଷ୍ଟିକର ଲଗାଇ ନକଲି ଇଞ୍ଜିନ ଅଏଲ ବିକ୍ରି କରୁଥିବା କମ୍ପାନି ଉପରେ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଆଉ ଏହା ପଛର ମାଷ୍ଟରମାଇଣ୍ଡ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛି । ବାଲେଶ୍ୱରର ଅରଡବଜାରରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।

କ୍ୟାଷ୍ଟ୍ରୋଲ, ଗଲ୍ଫ, ହିରୋ ଭଳି ନାମୀଦାମୀ କମ୍ପାନି । ଖୋଳ ଅସଲି କିନ୍ତୁ ତେଲ ନକଲି । ବଜାରରୁ ପୋଡା ମୋବିଲ କିଣି ସେଥିରେ ବିଭିନ୍ନ ରାସାୟନିକ ରଙ୍ଗ ମିଶାଇ ଏହାକୁ ଅସଲିର ରୂପ ଦିଆଯାଉଥିଲା । ଆଉ ଗ୍ରାହକଙ୍କ ବିଶ୍ୱାସ ଜିଣିବା ପାଇଁ ନାମୀଦାମୀ କମ୍ପାନିର ଲୋଗୋ ଓ ଷ୍ଟିକର ଲଗାଇ ବିକ୍ରି ହେଉଛି ନକଲି ଇଞ୍ଜିନ ଅଏଲ । କେବଳ ବାଲେଶ୍ୱର ନୁହେଁ ପୂରା ରାଜ୍ୟରେ କାୟା ମେଲାଇଛି ଏହି କମ୍ପାନିର କଳାସାମ୍ରାଜ୍ୟ । ଦୀର୍ଘ ୪ରୁ ୫ ବର୍ଷ ଧରି ପୋଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଏଭଳି ବ୍ୟବସାୟ ଚାଲି ଆସିଥିବା ବେଳେ ଆଜି ନକଲି ମୋବିଲି କାରଖାନା ଉପରେ ଚଢାଉ କରି ଏହାର ପଦ୍ଦାର୍ଫାଶ କରିଛି ପୋଲିସ ।

ଦୀର୍ଘ ୪ ବର୍ଷ ଧରି ଏଠାରେ ନକଲି ଇଞ୍ଜିନ ଅଏଲ ପ୍ରସ୍ତୁତ ହେଉଥିଲେ ମଧ୍ୟ ଏହାର ଟେର କେହି ପାଇନଥିଲେ । ତେବେ ଭିନ୍ନ ଭିନ୍ନ ସ୍ଥାନର ଷ୍ଟିକରିଂ ଥିବା ଏହି ଇଞ୍ଜିନ ଅଏଲ ବଜାରରେ ମିଳୁଥିବା ନଜରକୁ ଆସିବା ପରେ ଅସଲି କମ୍ପାନି କର୍ତ୍ତୃପକ୍ଷଙ୍କ ସନ୍ଦେହ ଜାତ ହୋଇଥିଲା । ତେବେ ନକଲି ଇଞ୍ଜିନ ଅଏଲ କେଉଁଠି ପ୍ରସ୍ତୁତ ହେଉଛି ତାହା ଜାଣିବା ପାଇଁ କମ୍ପାନି କର୍ତ୍ତୃପକ୍ଷଙ୍କୁ ପ୍ରାୟ ୩ ମାସ ସମୟ ଲାଗିଥିଲା । ଏହି ସମୟ ମଧ୍ୟରେ ବାଲେଶ୍ୱରର ଅରଡବଜାରରେ ଏହି ନକଲି ମୋବିଲି କାରଖାନାକୁ ଠାବ କରିଥିଲେ କମ୍ପାନି କର୍ତ୍ତୃପକ୍ଷ । ଆଉ ଏନେଇ ଗତକାଲି ପୋଲିସକୁ ଜଣାଇବା ପରେ ଆଜି ଉକ୍ତ କାରଖାନା ଉପରେ ଚଢାଉ କରାଯାଇଥିଲା । ଆଉ ଚଢାଉ ସମୟରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିଥିଲା ପୋଲିସ । ଏପରିକି ନକଲି ଇଞ୍ଜିନ ଅଏଲ ପାଇଁ ବ୍ୟବହାର ହେଉଥିବା ପୋଡା ମୋବିଲ, ରାସାୟନିକ ରଙ୍ଗ,ନାମୀଦାମୀ କମ୍ପାନିର ଷ୍ଟିକର ଓ ଲୋଗୋ ଜବତ କରିଛି ପୋଲିସ । ଆଉ ଏହି ଘଟଣାରେ ୨ ଜଣଙ୍କୁ ଗିରଫ ମଧ୍ୟ କରିଛି ସହଦେବଖୁଣ୍ଟା ପୋଲିସ ।