କଟକ ପରେ ଏବେ ସମ୍ବଲପୁରରେ ବି ନକଲି । ଅସଲି ବ୍ରାଣ୍ଡ ନାଁରେ ଚାଲୁଥିଲା ନକଲି ସର୍ଫ କାରଖାନା, ଚଢ଼ାଉବେଳେ ଜବତ ହେଲା ୨୫ ହଜାର ନକଲି ସର୍ଫ ପ୍ୟାକେଟ୍ ।

86

କନକ ବ୍ୟୁରୋ: କଟକ ପରେ ସମ୍ବଲପୁରରେ ଧରା ପଡିଛି ନକଲି ସାମଗ୍ରୀର ବେପାର । ସମ୍ବଲପୁର ସହରର ବରେଇପାଲି ମୁଙ୍ଗାପଡାର ଏକ ଗୋଦାମରେ ଚଢାଉ କରି ବିପୁଳ ପରିମାଣର ନକଲି ସର୍ଫ ଜବତ କରିଛି ପୁଲିସ । ସର୍ଫ ଏକ୍ସେଲ ଡିଟରଜେଂଟ ପାଉଡର ନାଁରେ ନକଲି ସାମଗ୍ରୀ ବିକ୍ରି ହେଉଥିବା ନେଇ ଅଭିଯୋଗ କରିଥିଲା ହିନ୍ଦୁସ୍ତାନ ଲିବର କଂପାନୀ । ଏନେଇ ଥାନାରେ କଂପାନୀ ଅଭିଯୋଗ କରିବା ପରେ ତଦନ୍ତ କରି ମୁଙ୍ଗାପଡାରେ ଥିବା ଏହି ଗୋଦାମରେ ପୁଲିସ ଅଚାନକ ଚଢାଉ କରିଥିଲା । ଗୋଦାମ ଘରୁ ୨୩୯ ବସ୍ତାରେ ଥିବା ପ୍ରାୟ ୨୫ ହଜାର ପ୍ୟାକେଟ ନକଲି ସର୍ଫ ଏକ୍ସେଲ ଡିଟରଜେଂଟ ପାଉଡର ଜବତ କରିଛି ପୁଲିସ । ଏହି ଘଟଣାରେ ପୁଲିସ ଗୋଦାମର ମାଲିକ ଆଶିଷ ଅଗ୍ରୱାଲଙ୍କୁ ଗିରଫ କରିଛି । ଏହି ନକଲି ସର୍ଫ କାରବାର ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ସେନେଇ ସମ୍ବଲପୁର ପୁଲିସ ଅଧିକ ଖୋଳତାଡ କରୁଛି ।