ବସ୍ତାରେ ଛତୁଆ ପ୍ରସ୍ତୁତ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ ବିରୋଧରେ ସାଙ୍ଘାତିକ ଅଭିଯୋଗ । କୁନି କୁନି ପିଲାଙ୍କୁ ଦିଆଯାଉଛି ନିମ୍ନମାନର ଛତୁଆ

130

କନକ ବ୍ୟୁରୋ : ଅଙ୍ଗନବାଡି ଜରିଆରେ ଗର୍ଭବତୀ ମହିଳା ଏବଂ ଛୁଆଙ୍କୁ ପୃଷ୍ଟିକର ଛତୁଆ ବଂଟନ କରାଯାଉଛି । ଏହାସହ ସୁଜି, ଲଡୁ ଏବଂ ଗୁଡ ବାଦାମ ମଧ୍ୟ ବଂଟନ ବ୍ୟବସ୍ଥା ରହିଛି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ସତ୍ୟସାଇ ସ୍ୱୟଂ ସହାୟକ ଗୋଷ୍ଠି ଛତୁଆ ପ୍ରସ୍ତୁତ ପାଇଁ ଅନୁମତି ପାଇଛି । ଏହି ଗୋଷ୍ଠୀ ଅତ୍ୟନ୍ତ ନିମ୍ନମାନର ଛତୁଆ ପ୍ରସ୍ତୁତ କରି ବଂଟନ କରୁଥିବା ଅଭିଯୋଗ ହୋଇଛି । ଗୋଟିଏ ପ୍ୟାକେଟ ଛତୁଆରେ ଆଧାରୁ ଅଧିକ ଖଦଢ ବାହାରୁଛି, ଯାହାକୁ ପିଲାମାନେ ଖାଇବା ସମ୍ଭବ ହେଉନାହିଁ । ଏହାସହ ଖାଦ୍ୟ ପଦାର୍ଥ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି ।

ସତ୍ୟ ସାଇ ସ୍ୱୟଂ ସହାୟକ ଗୋଷ୍ଠୀରୁ ପ୍ରସ୍ତୁତ ଛତୁଆ ବସ୍ତା ବ୍ଲକର ୧୬ଟି ପଂଚାୟତରେ ବଂଟନ କରାଯାଉଛି । ୨ଶହରୁ ଅଧିକ ଅଙ୍ଗନୱାଡି କେନ୍ଦ୍ରରେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ଦିଆଯାଉଛି   । ତେବେ ଛତୁଆ ଅତିନିମ୍ନମାନର ହେଉଥିବାରୁ ଶିଶୁ ଓ ମହିଳା ଛତୁଆ ନଖାଇ ଗାଈଗୋରୁଙ୍କୁ ଦେଇ ଦେଉଥିବା ଅଭିଯୋଗ କରିଛନ୍ତି । ସେପଟେ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ଏନେଇ ଅଭିଯୋଗ ଆସିନାହିଁ ,ଆଭିଯୋଗ ଆସିଲେ ତଦନ୍ତ କରି ଲାଇସେନ୍ସ ବାତିଲ କରାଯିବ ।

ସେପଟେ ଘଟଣାର ତଦନ୍ତ କରି ସଂପୃକ୍ତ କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି ।