ସିଲଭର ସିଟିରେ ପୁଣି ନକଲି ସିମେଣ୍ଟ : ଜଗତପୁରରୁ ନକଲି ସିମେଣ୍ଟ କାରଖାନା ଠାବ କଲା ପୋଲିସ୍

142

କନକ ବ୍ୟୁରୋ : କଟକରେ ପୁଣି ନକଲି ସିମେଣ୍ଟ କାରଖାନା ଠାବ । କଟକ ଜଗତପୁର ଖଇରା ଅଂଚଳରେ ଚାଲିଥିବା ନକଲି ସିମେଣ୍ଟ କାରଖାନା ଠାବ କରିଛି ପୋଲିସ । ବିପୁଳ ପରିମାଣର ନକଲି ସିମେଣ୍ଟ ଓ ଯନ୍ତ୍ରାଂଶ ଜବତ କରିଛି ପୋଲିସ । ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି ନକଲି ସିମେଣ୍ଟ ଚାଲାଣ ହେଉଥିବା ନେଇ ଖବର ରହିଛି । କିଛି ଦିନ ତଳେ କଟକରୁ ବିପୁଳ ପରିମାଣର ଘିଅ ଏବଂ ସସ୍ ଜବତ କରାଯାଇଥିଲା । ବାରମ୍ବାର ନକଲି ସାମଗ୍ରୀ ଜବତ ହେଉଥିବା ବେଳେ ନକଲି ସାମଗ୍ରୀ ଉପରେ ରୋକ ଲଗାଇବାକୁ ସାଧାରଣରେ ଦାବି ହୋଇଛି ।

ସୂଚନା ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ବକ୍ସି ବଜାର ଅଂଚଳର ସଞ୍ଜୟ ଭୋଳ ପ୍ରାୟ ୬ ବର୍ଷ ହେବ ଇମାମନଗର ଗ୍ରାମର ବାସିନ୍ଦା ସୁକାନ୍ତ ରାଉତଙ୍କ ଠାରୁ ଖଇରା ପୋଲ ନିକଟରେ ଥିବା ଏକ ଗୋଦାମ ଘରକୁ ଭଡା ନେଇଥିଲେ। ସେଠାରେ ନକଲି ତଥା ଅପମିଶ୍ରିତ ସିମେଣ୍ଟ ପ୍ରସ୍ତୁତ କରିବା ସହିତ ବିକ୍ରି ପାଇଁ ବଜାରକୁ ଛାଡୁଥିଲେ। ପ୍ରଥମେ ବିଭିନ୍ନ ବ୍ରାଣ୍ଡେଡ୍ କଂପାନିର ନଷ୍ଟ ହୋଇଯାଇଥିବା ସିମେଣ୍ଟକୁ ସଂଗ୍ରହ କରୁଥିଲେ। ତାହାକୁ ଗୁଣ୍ଡ କରି ସେଥିରେ ଅନ୍ୟ କିଛି ସିମେଣ୍ଟ ମିଶାଇ ତାହାକୁ ବିଭିନ୍ନ ନାମକରା କଂପାନିର ବସ୍ତାରେ ତାହାକୁ ପୂରାଇ ପ୍ୟାକିଂ କରି ବଜାରକୁ ଛାଡୁ ଥିଲେ। ଗୋଦାମରୁ ସିମେଣ୍ଟ ଭର୍ତ୍ତି ବସ୍ତା ଜବତ କରାଯିବା ସହିତ ନକଲି ସିମେଣ୍ଟ ପ୍ରସ୍ତୁତିରେ ବ୍ୟବହୃତ ଜାଲି, କାହାଳି, ହାମର ଓ ଶତାଧିକ ଖାଲି ସିମେଣ୍ଟ ବସ୍ତା, ସିମେଣ୍ଟ ବୋଝେଇ ହୋଇଥିବା ଏକ ଟ୍ରକକୁ ପୁଲିସ ଜବତ କରିଛି। କିନ୍ତୁ ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ତଥା ନକଲି ସିମେଣ୍ଟ ପ୍ରସ୍ତୁତକାରୀ ସଂସ୍ଥାର ମାଲିକ କଟକ ବକ୍ସିବଜାର ଅଞ୍ଚଳର ବାସିନ୍ଦା ସଞ୍ଜୟ ଭୋଳ ଫେରାର ହୋଇ ଯାଇଥିବା ପୁଲିସ ସୂଚନା ଦେଇଛି ।