କନକ ବ୍ୟୁରୋ : ବାଂଲାଦେଶରୁ ଭାରତକୁ ଲମ୍ବିଛି ଜାଲ୍ ନୋଟର କାରବାର । ଅସଲି ୨ହଜାର ନୋଟର ଅବିକଳ । ଯାହାକୁ ଦେଖିଲେ ସହଜରେ ଚିହ୍ନିହେବନି । ଖୋର୍ଦ୍ଧା ଷ୍ଟେସନରୁ ଏଭଳି ଜାଲ୍ ନୋଟକୁ ରାଜସ୍ୱ ଗୁଇନ୍ଦା ବିଭାଗ ଜବତ କରିବା ପରେ ଏହାର ତନାଘନା ଆରମ୍ଭ କରିଛି ଏନଆଇଏ । ବାଂଲାଦେଶରୁ କିଭଳି ଏତେ ସଂଖ୍ୟାରେ ନୋଟ୍ ଭାରତକୁ ଆସିଲା ଏବଂ ଭାରତ ଭିତରକୁ ସିଧାସଳଖ ଏହାର ଚେର ଲମ୍ବିଛି ନା କିଛି ଏଜେଂଟ ଭାରତରେ ଡେରା ପକାଇଛନ୍ତି ତାର ଖୋଳତାଡ ଚାଲିଛି ।

Advertisment

ଆଖି ଧୋକା ଖାଇଯିବ । ଅସଲି ଓ ନକଲି ମଧ୍ୟରେ ଟିକିଏ ବି ଫରକ ଜାଣିପାରିବେନି । ବଜାରରେ ବିଡ଼ା ବିଡ଼ା ବୁଲୁଛି ଅବିକଳ ୨୦୦୦ ଟଙ୍କାର ନକଲି ନୋଟ । ଆଉ ଏହି ବଣ୍ଡଲ ବଣ୍ଡଲ ଜାଲ୍ ନୋଟ୍ ଖୋର୍ଦ୍ଧା ରେଳ ଷ୍ଟେସନରୁ ସିଜ୍ କରିଛି ରାଜସ୍ୱ ଗୁଇନ୍ଦା ବିଭାଗ । ପୂରା ଅରିଜିନାଲ୍ ଭଳି ଦେଖାଯାଉଥିବା ନୋଟ୍ କିଏ ଛପାଉଛି? ଏହାକୁ ନେଇ ଉଠିଛି ପ୍ରଶ୍ନ । କାରଣ ଏହା କୌଣସି ମାମୁଲି ରାକେଟର କାମ ନୁହେଁ । ସନ୍ଦେହ କରାଯାଉଛି, ଏହା ପଛରେ ରହିଛି ଆତଙ୍କବାଦୀଙ୍କ ହାତ । ସନ୍ଦେହ ପଛରେ କାରଣ ହେଉଛି ବାଙ୍ଗଲାଦେଶରୁ ଭାରତକୁ ଆସୁଛି ଏହି ଜାଲ ନୋଟ୍ । ଏ ନେଇ ତନାଘନା ଆରମ୍ଭ କରିଛି ଏନ.ଆଇ.ଏ । ବିଶେଷ କରି ଏହି ଟଙ୍କା ଛାପିବା ଏବଂ ଭାରତରେ କାରବାର ପଛରେ ଆତଙ୍କବାଦୀ ସଙ୍ଗଠନର ହାତ ରହିଥିବା ନେଇ ଛାନଭିନ କରାଯାଉଛି ।

ଏଠି ପ୍ରଶ୍ନ ଉଠୁଛି, ଜାଲ ନୋଟ ଏତେ ଅବିକଳ ଭାବେ କିପରି ପ୍ରସ୍ତୁତ କରାଗଲା? ଭାରତ ଭିତରକୁ ସିଧାସଳଖ ଏହାର ଚେର ଲମ୍ବିଛି ନା କିଛି ଏଜେଂଟ ଭାରତରେ ଡେରା ପକାଇଛନ୍ତି? ସୁରକ୍ଷା ବଳୟକୁ ଭେଦ କରି ବାଙ୍ଗାଲାଦେଶରୁ ଭାରତ କିପରି ପହଁଚୁଛି ଜାଲ ନୋଟ୍? ଅସଲି ଭଳି ଦେଖା ଯାଉଥିବା ଜାଲ ନୋଟ୍ ଖୋର୍ଦ୍ଧା ଷ୍ଟେସନରୁ ଜବତ ହେବା ପରେ ଏହି ପୂରା ର୍ୟାକେଟର ମୂଳକୁ ପହଁଚିବା ପାଇଁ ଉଦ୍ୟମ କରିବ ଏନ.ଆଇ.ଏ ।