କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାର କର୍ମଚାରୀଙ୍କୁ କରୋନା: ସଂକ୍ରମଣ ରୋକିବାକୁ ହେଲା ସୀଲ୍, ସଂସ୍ପର୍ଶରେ ଆସିଥିବା କର୍ମଚାରୀ ଗଲେ କ୍ୱାରେଣ୍ଟିନ

ସେପଟେ ଡୁମୁଡୁମାରେ ୫ ପଜିଟିଭ ଚିହ୍ନଟ ପରେ ଅବରୋଧ ଅଂଚଳ ଘୋଷଣା

350

କନକ ବ୍ୟୁରୋ: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ବ୍ଲଡ୍ ବ୍ୟାଙ୍କକୁ ସିଲ୍ କରାଯାଇଥିବା ବେଳେ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ସଂପୃକ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀମାନଙ୍କୁ ସଙ୍ଗରୋଧ ରଖାଯାଇଛି । ଏସବୁ ଭିତରେ ଆଜି ଭୁବନେଶ୍ୱରରେ ଆଜି ୧୫ଟି ସ୍ଥାନୀୟ ମାମଲା ସହ ମୋଟ୍ ୧୯ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ୧୯ ଜଣ କରୋନା ଚିହ୍ନଟଙ୍କ ମଧ୍ୟରେ ୪ ଜଣ ରେଲୱେ କର୍ମଚାରୀ ଥିବା ବେଳେ ସେମାନେ ସମସ୍ତେ ଦିଲ୍ଲୀରୁ ଫେରିଥିଲେ ।

ସେହିପରି ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିହ୍ନଟ ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସି ୬ ଜଣ ହସ୍ପିଟାଲ କର୍ମଚାରୀ କରୋନା ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୭, ୨୪ ଏବଂ ୨୧ ବର୍ଷର ମହିଳା ଥିବା ବେଳେ ୨୯, ୨୧ ଏବଂ ୩୩ ବର୍ଷର ପୁରୁଷ ସାମିଲ ଅଛନ୍ତି । ସେହିପରି ଭୁବନେଶ୍ୱର ଆଉ ଏକ ଘରୋଇ ହସ୍ପିଟାଲରେ ଚିହ୍ନଟ ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସି ୨ ଜଣ ହସ୍ପିଟାଲ କର୍ମଚାରୀ କରୋନା ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୨୫ ବର୍ଷର ଜଣେ ପୁରୁଷ ଏବଂ ୨୭ ବର୍ଷର ଜଣେ ମହିଳା ଅଛନ୍ତି ।

ସେହିପରି ଭୁବନେଶ୍ୱର ଡୁମଡୁମା ସୁବାଷ ନଗରରୁ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ କ୍ୟାପିଟାଲ ହସ୍ପିଟାଲର ବ୍ଲଡ୍ ବ୍ୟାଙ୍କ୍ରେ କାମ କରୁଥିବା ଜଣେ କର୍ମଚାରୀ ଏବଂ ଲକ୍ଷ୍ମୀ ବଜାର ବସ୍ତିର ଜଣେ ୯ ବର୍ଷର ବାଳକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । । ଏହାରି ଭିତରେ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଶ୍ରୀବିହାରର ୨ ଜଣ ଏବଂ ପୋଖରୀପୁଟ ଅଂଚଳର ଜଣେ କରୋନା ଆକ୍ରାମନ୍ତ ସୁସ୍ଥ ହୋଇଛନ୍ତି ।