ଦଶ ମାସର ପୁଅକୁ ଧରି ଡ୍ୟୁଟି କରୁଛି ପୋଲିସ ମାଆ । ମହାମାରୀ ବେଳେ କର୍ତ୍ତବ୍ୟ ଓ ମମତାକୁ ସମାନ ଆଖିରେ ଦେଖି ଚର୍ଚ୍ଚାରେ ମହିଳା ପୋଲିସ କନଷ୍ଟେବଳ ପୁନମ

254

କନକ ବ୍ୟୁରୋ : ଖାକିବର୍ଦ୍ଦି ପିନ୍ଧି ଥାନାଚୌକିରେ ବସିଛି ମା  ଆଉ ଟେବୁଲ ଉପରେ ବସିଛି ୧୦ ମାସର କୁନିପୁଅ । କେତେବେଳେ କାମରୁ ଟିକେ ଫୁରସତ ପାଇଲେ କୁନିପୁଅକୁ କୁଳରେ ବସାଇ ଟିକେ ଗେହ୍ଲ କରୁଛି ମା ଆଉ ପୁଅର ମୁହଁରେ ଫୁଟି ଯାଉଛି ଟିକି ଟିକି ହସ । ଏଦୃଶ୍ୟ ଆଗ୍ରାର ଏକ ଥାନା ଭିତରର । ଏମିତି କିଛି ଦୃଶ୍ୟ ଭିତରେ ଥାନାର ଅନ୍ୟ କର୍ମଚାରୀ ମାନେ ବି ଆନନ୍ଦ ନେଉଛନ୍ତି ।
ଆଗ୍ରା ପୋଲିସ ଷ୍ଟେଷନର କନେଷ୍ଟବଳ ପୁନମ୍  । ସ୍ୱାମୀ ସୀମାରେ ନିୟୋଜିତ ଆଉ ପୁନମ୍ ଥାନାରେ । ଏଭଳି ସ୍ଥିତିରେ ୧୦ ମାସର କୁନିପୁଅକୁ ଦେଖା ରଖା କରିବାକୁ ଘରେ କେହି ନାହାନ୍ତି । ପୁନମ୍ ଚାହିଁଥିଲେ ବି ସରକାରଙ୍କ ଠାରୁ ଛୁଟି ନେଇ ପିଲାର ଦେଖା ଶୁଣା କରିପାରିଥା’ନ୍ତେ । ହେଲେ କର୍ତ୍ତବ୍ୟ ଆଗରେ ଅନ୍ୟସବୁକୁ ତୁଚ୍ଛ କରିଦେଇଛନ୍ତି ପୁନମ୍ ।

ଦୈନିକ କୁନିପୁଅକୁ ଧରି ଥାନାରେ ପହଂଚିଯାଉଛନ୍ତି ପୁନମ୍ । ନିଜେ କାମକରୁଥିବା ଟେବୁଲ ଉପରେ ବସାଇ ଦେଉଛନ୍ତି କୁନି ପୁଅକୁ । ଆଉ ନିଜ କାମରେ ନିମଗ୍ନ ରହୁଛନ୍ତି ପୁନମ୍ । ଥାନାକୁ ଆସୁଥିବା ପ୍ରତ୍ୟେକ ଲୋକର ଡାଟା ରଖିବା ହେଉଛି ପୁନମଙ୍କ କାର୍ଯ୍ୟ । ପୁନମ ଲୋକମାନଙ୍କର ଡାଟା ରଖୁଥିବା ବେଳେ ଲୋକମାନେ ବି କୁନିପୁଅ ସହିତ ଆନନ୍ଦ ନେଉଛନ୍ତି ।

ସେପଟେ ସ୍ୱାମୀ ବି ଜଣେ ସେନା କର୍ମଚାରୀ । ସେ ବି ନିଜ କର୍ତ୍ତବ୍ୟ କରିବାକୁ ସୀମାରେ ନିୟୋଜିତ ଅଛନ୍ତି । ଆମେ ଆପଣଙ୍କୁ ଏକଥା ଏଥିପାଇଁ କହୁଛୁ ଯେ ଅନେକ କର୍ମଚାରୀ ମିଛ ବାହାନା କରି ମାସ ମାସ ଛୁଟିରେ ରହୁଥିବା ବେଳେ ବାସ୍ତବରେ ଛୁଟିର ଆବଶ୍ୟକତା ଥିବା ପୁନମ୍ କିନ୍ତୁ ନିଜର ଦାୟିତ୍ୱରୁ ହଟି ନାହାନ୍ତି । ସେ ଯେତେ କଷ୍ଟ ହେଲେ ବି ଚାକିରୀ କ୍ଷେତ୍ରରେ ଥିବା ନିଜର କର୍ତ୍ତବ୍ୟ ଓ ପିଲା ପ୍ରତି ମାର ଥିବା ଦାୟିତ୍ୱକୁ ସଠିକ୍ ଢଙ୍ଗରେ ପରିଚାଳନା କରିବାକୁ ପଛାଇ ନାହାନ୍ତି ।

ଏଭଳି କର୍ତ୍ତବ୍ୟ ନିଷ୍ଠା ଦେଖି ଥାନା ଅଧିକାରୀ ଉମେଶ ଚନ୍ଦ୍ର ତ୍ରିପାଠୀ ବି ପ୍ରଶଂସା କରିଛନ୍ତି । ଉମେଶ କହିଛନ୍ତି କି ସେ ତାଙ୍କ ଜୀବନକାଳରେ ଯେତିକି ଥାନା ବୁଲିଛନ୍ତି ଏଭଳି କର୍ତ୍ତବ୍ୟନିଷ୍ଟ କର୍ମଚାରୀ ସେ କେଉଁଠି ବି ଦେଖି ନାହାନ୍ତି । ଖାକିବର୍ଦ୍ଦି ପିନ୍ଧି ମହିଳାଙ୍କ ପାଇଁ ମିଶାଲ ସାଜିଛନ୍ତି ପୁନମ୍ । ଦାୟିତ୍ୱ ଓ କର୍ତ୍ତବ୍ୟକୁ ସେ ଯେମିତି ସମାନ୍ତରାଳ ଭାବେ ନିଭାଇ ଚାଲିଛନ୍ତି ତାଙ୍କ ପାଇଁ ଦେଶ ଗର୍ବିତ ।