ବହି ବସ୍ତାନି ଧରୁଥିବା ପିଲାଙ୍କ ହାତରେ ଦା । ଗାଁରେ ନେଟୱାର୍କ ନଥିବାରୁ ପାଠ ନପଢି ବିଲରେ ଧାନ କାଟୁଛନ୍ତି ଛାତ୍ରଛାତ୍ରୀ

178

କନକ ବ୍ୟୁରୋ : ଆସନ୍ତା ୧୬ ତାରିଖରୁ ନବମରୁ ଦ୍ୱାଦଶ ଯାଏଁ ବିଦ୍ୟାଳୟ ଖୋଲିବା ନେଇ ରାଜ୍ୟ ସରକାରଙ୍କ ଘୋଷଣା ପରେ ପିଲାମାନେ ବିଦ୍ୟାଳୟ ଯିବା ନେଇ ଏକ ପ୍ରକାର ଆଶା ସଂଚାର ହୋଇଛି । ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପିଲା କେବେ ବିଦ୍ୟାଳୟ ମୁହାଁ ହେବେ ସେନେଇ ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ । ଏପରି ସ୍ଥିତିରେ ବହି ବସ୍ତାନି ଧରୁଥିବା ପିଲାମାନେ ଏବେ ହାତରେ ଦା ଧରି ଧାନ କାଟୁଥିବା ଦେଖିବାକୁ ମିଳିଛି । କାରଣ ଗାଁରେ ନାଁ ଅଛି ମୋବାଇଲ ନେଟୱାର୍କ ନାଁ ଅଛି ସ୍ମାର୍ଟଫୋନ । ଆଉ ସରକାରଙ୍କ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ବି ଫେଲ ମାରିବାକୁ ବସିଲାଣି । ଏପିର ସ୍ଥିତିରେ କେବେ କୋଲିବ ବିଦ୍ୟାଳୟ ତାହାକୁ ହିଁ ଅପେକ୍ଷା କରିଛନ୍ତି ଅଭିଭାବକ

କଲମ ଧରୁ ଥିବା ଛାତ୍ରଙ୍କ ହାତରେ ଦା । ପାଠ ପଢିବା ବେଳେ ଧାନ କାଟୁଛନ୍ତି ପିଲା । ସ୍ମାର୍ଟଫୋନା ନପାଇ, ଗାଇ ଚରାଉଛନ୍ତି ସ୍କୁଲ ଛାତ୍ର । ଏ ଚିତ୍ର ଆସିଛି ମାଲକାନଗିରି ଜିଲ୍ଲାରୁ । ମାଲକାନଗିରି ସହର ଠାରୁ ମାତ୍ର ୬ କିଲୋମିଟର ଦୁର ସୋରିଷମାଳ ଗାଁରେ ବିଦ୍ୟାଳୟ ଅଛି, ଶିକ୍ଷକ ବି ଅଛନ୍ତି । ହେଲେ ପାଠପଢା ନାହିଁ । କାରଣ, ଗାଁରେ ନା ନେଟୱାର୍କ ଆସୁଛି ନାଁ ଅଭିଭାବକଙ୍କ ପାଖରେ ସ୍ମାର୍ଟଫୋନ ଅଛି । ତେଣୁ ବାଧ୍ୟ ହୋଇ ଛାତ୍ରଛାତ୍ରୀ ଏବେ ବିଲ ବାଡିରେ କାମ କରୁଛନ୍ତି । ଅଷ୍ଟମ ଶ୍ରେଣୀର ଛାତ୍ରୀ ମମତା କୱାସୀ ଓ ତାଙ୍କ ସମ୍ପର୍କୀୟ ଭଉଣୀ ରଶ୍ମୀତା କୱାସୀ ମଧ୍ୟ ମୋବାଇଲ କି ଅନ୍ୟ କୌଣସି ସୁବିଧା ନପାଇ ଧାନ କାଟିବାକୁ ବାଧ୍ୟ ହୋଉଥିବା କହିଛନ୍ତି ।

ଲକଡାଉନ ସମୟରେ ପିଲାଙ୍କୁ ଅନଲାଇନ ପାଠ ପଢା ସାଙ୍ଗକୁ ଗାଁକୁ ଗାଁ ଯାଇ ପାଠ ପଢାଇବା ଲାଗି ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ରାଜ୍ୟ ସରକାର । ତେବେ ମାଲକାନଗିରି ଜିଲ୍ଲାରେ ପ୍ରଥମରୁ ଦଶମ ଯାଏଁ ମୋଟ ୭୪ ହଜାର ୮୧୧ ପିଲା ପାଠ ପଢୁଥିବା ବେଳେ ମାତ୍ର ୭,୬୫୪ ପିଲା ହ୍ୱାଟ୍ସ୍ ଆପ୍ ସହ ଯୋଡିତ ଥିବା ଜଣାପଡିଛି । ଅର୍ଥାତ ମୋଟ ୧୬.୨% ପିଲାଙ୍କ ପାଖରେ ସ୍ମାର୍ଟଫୋନ ଥିବା ବେଳେ ୧.୬% ପିଲାଙ୍କ ପାଖରେ ରେଡିଓ ଓ ୩୩.୧୧% ପିଲାଙ୍କ ଘରେ ଟିଭି ରହିଛି । ତେବେ ପ୍ରାୟ ୫୦% ପିଲା କରୋନା କଟକଣା ଭିତରେ ପାଠ ପଢୁଥିବା କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।