କନକ ବ୍ୟୁରୋ: ଆଷାଢ଼ ଶେଷ ହେବାକୁ ଗଲାଣି ହେଲେ ସୁଖିଲା ପଡିଛି ଘୋଡାହାଡ ଡ୍ୟାମ । ଚିକିଟି, ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକର ହଜାର ହଜାର ହେକ୍ଟର ଜମି ଏହି ଡ୍ୟାମ୍ ପାଣି ଉପରେ ନିର୍ଭର କରେ । ଏବେ ସ୍ୱଳ୍ପ ବୃଷ୍ଟିପାତ ସାଙ୍ଗକୁ ଡ୍ୟାମରେ ଜଳସ୍ତର କମିବା ଚାଷୀଙ୍କ ସମସ୍ୟାକୁ ଦ୍ୱି-ଗୁଣିତ କରିଛି ।
ବର୍ଷାର ଲୁଚକାଳି ଖେଳ ସାଙ୍ଗକୁ ଶୁଖିଲା ଡ୍ୟାମ୍ ଚାଷୀଙ୍କ ହୋସ ଉଡାଇ ଦେଉଛି । ଏଥର ଚାଷ ଗଲା ବୋଲି ଚାଷୀମହଲରେ ଭାଣେଳଣୀ ପଡ଼ିଛି । ଆଷାଢ଼ର ଶେଷ ଭାଗରେ ମଧ୍ୟ ଆବଶ୍ୟକ ମୁତାବକ ବର୍ଷା ନହେବାରୁ ଖରିଫି ଫସଲ ଧାନ ଚାଷକୁ ନେଇ ଆଶଙ୍କା ଦେଖାଦେଇଛି । ଜମି ପଡିଆ ପଡିଥିବା ବେଳେ ଏଯାଏଁ ଧାନ ତଳି ପକାଇ ପାରିନାହାନ୍ତି ଦିଗପହଣ୍ଡି ଅଞ୍ଚଳର ଚାଷୀ ।
ବର୍ଷା ଧୋକା ଦେଉଥିବା ବେଳେ ଚାଷୀଙ୍କ ଏକମାତ୍ର ଭରସା ଘୋଡାହାଡ ଡ୍ୟାମ ବି ଶୁଖିଲା ପଡିଛି । ଡ୍ୟାମରେ ଆବଶ୍ୟକତା ଠାରୁ ଖୁବ୍ କମ ପାଣି ରହିଛି । ଫଳରେ ଧାନ ଚାଷକୁ ନେଇ ୩ଟି ବ୍ଲକର ଚାଷି ଚିନ୍ତାରେ ପଡିଛନ୍ତି ଚାଷୀ। ପୂର୍ବ ବର୍ଷ ମଧ୍ୟ ଆବଶ୍ୟକ ପରିମାଣର ବର୍ଷ ହୋଇ ନଥିବାରୁ ଗଂଜାମର ଅନେକ ସ୍ଥାନରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପଟେ ଏହି ଡ୍ୟାମରେ ଅନେକ କୁମ୍ଭିର ରହିଛନ୍ତି । ଜଳସ୍ତର କମିବା ପରେ ସେମାନେ ଅବସ୍ଥିତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।