କନକ ବ୍ୟୁରୋ : ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ସମସ୍ୟା ଭୋଗୁଛନ୍ତି ଗୃହପାଳିତ ପ୍ରାଣୀ ଓ ପ୍ରାଣୀପାଳକ । ଚିକିତ୍ସା ମିଳୁନି, ଫଳରେ ଦହଗଞ୍ଜ ହେଉଛନ୍ତି । ଅନୁଗୁଳରୁ ଆସିଥିବା ଏକ ଦୃଶ୍ୟ ଏହି ସମସ୍ୟା କେତେ ସଙ୍ଗୀନ ହେବାକୁ ବସିଲାଣି, ତାର କାହାଣୀ ବୟାନ କରୁଛି । ଗୋଟିଏ ପରିବାର ଏକ ଅସୁସ୍ଥ ବାଛୁରୀ ଛୁଆର ଚିକିତ୍ସା ବ୍ୟବସ୍ଥା କରାଇବାକୁ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି ।

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ଗାଁର ତରୁଣ କୁମାର ସାମଲଙ୍କ ଗାଈ ୪ ଦିନ ତଳେ ଏକ ଶାବକ ଜନ୍ମ ଦେଇଥିଲା । ହଲେ ଶାବକଟି ଗୁୁରୁତର ଅସୁସ୍ଥ ଥିବାରୁ ତାକୁ ତୁରନ୍ତ ଚିକିତ୍ସା ଆବଶ୍ୟକ ହୋଇପଡ଼ିଛି । ଏଥିପାଇଁ ତରୁଣଙ୍କ ପରିବାର ଶାବକକୁ ବଅଁରପାଳ ପ୍ରାଣୀଚିକିତ୍ସା କେନ୍ଦ୍ରକୁ ନେଇଥିଲେ । ହେଲେ ଆନ୍ଦୋଳନ ଯୋଗୁଁ ଚିକିତ୍ସା କରାଯାଇ ପାରିଲା ନାହିଁ । ଫଳରେ ନିରାଶ ହୋଇ ତରୁଣ ଶାବକକୁ ଧରି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯିବା ସହ ଚିକିତ୍ସା ବ୍ୟବସ୍ଥା କରାଇଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।