ଜିଏସଟି ମାଡରେ ରାବଣ ଘାଇଲା ! ଲୁଚିଲେଣି କୁମ୍ଭକର୍ଣ୍ଣ ଓ ମେଘନାଦ

210

କନକ ବ୍ୟୁରୋ : ଆଜି ମା ଆସିବେ ଧରାପୃଷ୍ଠକୁ । ଏଥିପାଇଁ ଉତ୍ସବମୁଖର ପୂରା ଦେଶ । ଗାଁ ଠାରୁ ଆରମ୍ଭ କରି ସହର ପଯ୍ୟନ୍ତ ସବୁଠି ଦୁର୍ଗାପୂଜାର ଧୂମ । ତେବେ ଦୁର୍ଗାପୂଜାର ମଜା ଅଧିକ ବଢାଇଥାଏ ରାବଣପୋଡି । ରାବଣପୋଡି ବିନା ଦୁର୍ଗାପୂଜା ଅଧୁରା ଅଧୁରା ଲାଗିଥାଏ । ଦୁର୍ଗାପୂଜାର ଶେଷ ଦିନ ଅର୍ଥାତ ବିଜୟାଦଶମୀ ଦିନ ଏହି ରାବଣପୋଡି ଅନୁଷ୍ଠିତ ହୋଇଥାଏ । ଦେଶର ବଡ ସହରରୁ ଆରମ୍ଭ କରି ଛୋଟ ଗାଁରେ ଏହି ରାବଣ ପୋଡି ଉତ୍ସବ ବେଶ ଜାକଜମକରେ କରାଯାଇଥାଏ । ଅର୍ଧମ ଉପରେ ଧର୍ମର ବିଜୟ ପାଇଁ ରାବଣ ଭଳି ରାକ୍ଷସ ପ୍ରବୃତ୍ତିର ଲୋକଙ୍କର ବିନାଶ ଏହି ରାବଣ ପୋଡି ମାଧ୍ୟମରେ ପ୍ରଦର୍ଶିତ କରାଯାଇଥାଏ । ବାଉଁଶ ଓ କାଗଜରେ ରାବଣର ଏକ କୁଶପୁତ୍ତଳିକା ତିଆରି କରାଯାଇ ସେଥିରେ ଆତସବାଜି ଖଞ୍ଜା ଯାଇଥାଏ । ତ୍ରେତୟା ଯୁଗରେ ରାମ ଯେପରି ରାବଣଙ୍କୁ ବାଣ ମାରି ବଧ କରିଥିଲେ । ତାହାର ପୁନରାବୃତ୍ତି ରାବଣ ପୋଡିରେ ଦେଖିବାକୁ ମିଳିଥାଏ । ଏହି ରାବଣବୋଡି ଉତ୍ସବ ଏବେ ଏକ ପ୍ରତିଯୋଗିତାରେ ପରିଣତ ହୋଇସାରିଲାଣି । ବିଭିନ୍ନ ରଙ୍ଗବେରଙ୍ଗର ଆତସବାଜି ସାଙ୍ଗକୁ ରାବଣପୋଡିର ମଜା ଉଠାଇଥାନ୍ତି ଲୋକ ।

ravana 11ତେବେ ଚଳିତଥର ରାବଣଙ୍କୁ ମହଙ୍ଗା ମାଡ ଦେଇଛି ଜିଏସଟି । କେବଳ ରାବଣ ନୁହେଁ ମେଘନାଦ ଓ କୁମ୍ଭକର୍ଣ୍ଣଙ୍କୁ ମଧ୍ୟ ଜିଏସଟି ମାଡରେ ଘାଇଲା ହୋଇଛନ୍ତି । ରାବଣର କୁଶପୁତ୍ତଳିକା ତିଆରି ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ସାମଗ୍ରୀର ଦାମ ପୂର୍ବ ବର୍ଷ ଅପେକ୍ଷା ଅଧିକ ବଢି ଯାଇଛି । ଯାହାର ପ୍ରଭାବ ସିଧାସଳଖ ଭାବେ ରାବଣର ପ୍ରତିମୂର୍ତ୍ତି ନିର୍ମାଣ ଉପରେ ପଡିଛି । ଜିଏସଟି ଲାଗୁ ହେବା ଫଳରେ ରାବଣର ଉଚ୍ଚତା ମଧ୍ୟ କମି ଯାଇଛି । କୁଶପୁତ୍ତଳିକା ତିଆରି ପାଇଁ ଦରକାର ପଡୁଥିବା ବିଭିନ୍ନ କଞ୍ଚାମାଲର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । ଏପରିକି ଜିଏସଟି ପାଇଁ କୁମ୍ଭମର୍ଣ୍ଣ ଓ ମେଘନାଦ ବଜାରରୁ ଏକରକମ ବିଦାୟ ନେଇଛନ୍ତି ।

ravana 13ସବୁଠାରୁ ଆକର୍ଷଣୀୟ ରାବଣପୋଡି ହୋଇଥାଏ ଦିଲ୍ଲୀରେ । ଉଚ୍ଚ ଉଚ୍ଚ ରାବଣ ପ୍ରତିମୂର୍ତ୍ତି ରେ ବିଭିନ୍ନ ପ୍ରକାରର ଆତସବାଜିର ଝଲକ ଦେଖିବାକୁ ମିଳିଥାଏ । ରାବଣ କୁଶପୁତ୍ତଳିକା ତିଆରି ପାଇଁ ପ୍ରସିଦ୍ଧ ଥିବା ଦିଲ୍ଲୀର ତାତାରପୁର ଅଞ୍ଚଳରେ ଚଳିତବର୍ଷ ଏତେ ଉତ୍ସାହ ଦେଖିବାକୁ ମିଳୁନାହିଁ । ଏଠାରେ ୧୯୭୩ ମସିହାରୁ ରାବଣର ପ୍ରତିକୃତି ତିଆରି ହୋଇ ଆସୁଛିି । ଛୋଟ ଠାରୁ ବିଶାଳ ପ୍ରତିମୂତ୍ତି ଏଠାରେ ତିଆରି ହୋଇଥାଏ । କିନ୍ତୁ ଚଳିତବର୍ଷ ତାଙ୍କ ବେପାର ମାନ୍ଦା ପଡିଥିବା କିଛି ବେପାରୀ କହିଛନ୍ତି । କିଛି କାରିଗରଙ୍କ କହିବା କଥା ଚଳିତ ବର୍ଷ ଜିଏସଟି ଯୋଗୁଁ ଅଧିକ ଛୋଟ ମୂର୍ତ୍ତି ପାଇଁ ଅର୍ଡର ଆସୁଛି ।ଯାହା ତାଙ୍କ ବେପାର ଉପରେ ସିଧାସଳଖ ପ୍ରଭାବ ପକାଉଛି ।

raavan-and-GSTରାବଣର କୁଶପୁତ୍ତଳିକା ତିଆରି କରିବା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ସମାଗ୍ରୀ ଯେପରିକି ବାଉଁଶର ମୂଲ୍ୟ ଢେର ବୃଦ୍ଧି ପାଇଛି । ପୂର୍ବବର୍ଷ ଏକ କୋଡି ଅଥାର୍ତ ୨୦ଟି ବାଉଁଶର ମୂଲ୍ୟ ୭୦୦ରୁ ୮୦୦ ଶହ ଟଙ୍କା ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ଜିଏସଟି ଲାଗୁ ହେବା ଫଳରେ ଏହାର ଦାମ୍ ବୃଦ୍ଧି ପାଇ ୧୦୦୦ରୁ ୧୨୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି । ସେହିଭଳି ରାବଣର ପୁତଳା ବାନ୍ଧିବାକୁ ଦରକାର ହେଉଥିବା ତାରର ମୂଲ୍ୟ ବୃଦ୍ଧି ପାଇ କିଲୋ ପ୍ରତି ୫୦ ଟଙ୍କାରେ ପହଞ୍ଚିଛି । ଏସବୁ ବାଦ ଦେଲେ ରାବଣ ପୁତଳା ପାଇଁ ଦରକାର ହେଉଥିବା ମୁଖ୍ୟ ଜିନିଷ ରଙ୍ଗୀନ କାଗଜର ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇଛି । କାଗଜର କିଲୋଗ୍ରାମ ପ୍ରତି ମୂଲ୍ୟ ୨୫ ଟଙ୍କାରେ ପହଞ୍ଚିଛି ।

ପୂର୍ବବର୍ଷ ଯେଉଁ ରାବଣ ପୁତୁଳାର ମୂଲ୍ୟ ଫୁଟ ପ୍ରତି ୨୫୦ ଟଙ୍କା ଥିଲା ତାହା ଏବେ ୪୦୦ ଟଙ୍କାରେ ପହଞ୍ଚିଛି । ତେଣୁ ବିଭିନ୍ନ କମିଟି ତଥା ପୂଜା ମଣ୍ଡପ ଚଳିତବର୍ଷ କମ ଉଚ୍ଚତା ବିଶିଷ୍ଟ ରାବଣ କୁଶପୁତ୍ତଳିକା ପାଇଁ ଅର୍ଡର ଦେଉଛନ୍ତି । ଚଳିତବର୍ଷ ୩୦ରୁ ୪୦ ଫୁଟ ଉଚ୍ଚ ବିଶିଷ୍ଟ ରାବଣ ପ୍ରତିମୂର୍ତ୍ତିର ମୁଲ୍ୟ ୧୫ ହଜାର ଟଙ୍କାରେ ପହଞ୍ଚିଛି । ଯାହା ପୂର୍ବ ବର୍ଷ ୧୦ ହଜାର ଟଙ୍କାରେ ମିଳୁଥିଲା ।

ravana12କେବଳ ବାଉଁଶ କିମ୍ବା କାଗଜ ନୁହେଁ ବାଣ ମୂଲ୍ୟରେ ମଧ୍ୟ ବୃଦ୍ଧି ପାଇଛି । ଜିଏସଟି ଲାଗୁ ହେବା ଫଳରେ ବାଣର ମୂଲ୍ୟ ମଧ୍ୟ ବଢିଛି । ଜିଏସଟି ଲାଗୁ ହେବା ପୁର୍ବରୁ ବାଣ ଉପରେ ୧୪.୫ ପ୍ରତିଶତ ଟିକସ ଲାଗୁଥିଲା କିନ୍ତୁ ଏବେ ୨୮ ପ୍ରତିଶତ ଟିକସ ଲାଗୁଛି । ଫଳରେ କୁଶପୁତ୍ତଳିକାରେ ଚଳିତବର୍ଷ କମ ମାତ୍ରାରେ ବାଣ ବ୍ୟବହାର ହେଉଛି । ତେଣୁ ରାରଣପୋଡି ପୂର୍ବଭଳି ରଙ୍ଗାରଙ୍ଗ ହୋଇନପାରେ । ରାବଣପୋଡିର ବଜେଟ ବୃଦ୍ଧି ପାଉଥିବାରୁ ବିଭିନ୍ନ ମଣ୍ଡପ ମଧ୍ୟ ଏହି ଉତ୍ସବକୁ ବେଶି ଆକର୍ଷଣୀୟ ନକରିବାକୁ ଚିନ୍ତା କରୁଛନ୍ତି । ତେବେ ସବୁପରେ ଗୋଟିଏ କଥା ସାମ୍ନାକୁ ଆସିଛି । ଜିଏସଟି ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇବ କି ନାହିଁ ତାହା ପରେ ଜଣାପଡିବ କିନ୍ତୁ ଲଙ୍କାପତି ରାବଣ ଜିଏସଟି ମାଡରେ ଆହତ ହୋଇଛି ଏକଥାକୁ ସନ୍ଦେହ କରାଯାଇ ନ ପାରେ ।