ବାତ୍ୟା ପାଇଁ ଛୁଟି ଘୋଷଣା: ପୁରୀରେ ୨ ଦିନ ସ୍କୁଲ, କଲେଜ ବନ୍ଦ । ବାତ୍ୟା ପାଇଁ ୮ ଓ ୯ ତାରିଖ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

8,689

କନକ ବ୍ୟୁରୋ: ବତ୍ୟା ପାଇଁ ପୁରୀରେ ବନ୍ଦ ରହିବ ସ୍କୁଲ । ପୂରା ଜିଲ୍ଲାରେ ଦୁଇ ଦିନ ଛୁଟି ରହିବ ଶିକ୍ଷାନୁଷ୍ଠାନ । ୮ ଓ ୯ ତାରିଖ ଦିନ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । ଆସନ୍ତାକାଲି ଅପରାହ୍ଣ ଠାରୁ ବର୍ଷା ଆରମ୍ଭ ହେଉଥିବାରୁ ଦୁଇ ଦିନ ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଛୁଟି ଘୋଷଣା କଲେ ଜିଲ୍ଲାପାଳ ।

ସେପଟେ ବତ୍ୟା ଫୋନିର ଭୟ ପୁରୀବାସୀଙ୍କ ମନରୁ ଲିଭି ନଥିବା ବେଳେ ଆଉ ଏକ ବାତ୍ୟା ଆଶଙ୍କା ସମସ୍ତଙ୍କ ଭୟଭୀତ କରିଛି । ତେବେ ଏପରି ସ୍ଥଳରେ ଲୋକେ ଭୟଭୀତ ନହେବାକୁ ଜିଲ୍ଲାପାଳ କହିଛନ୍ତି । ବାତ୍ୟା ନେଇ ଲୋକେ ଆଦୌ ଆତଙ୍କିତ ନହୁଅନ୍ତୁ । ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାଶ ପ୍ରସ୍ତୁତି ଆରମ୍ଭ କରି ଦେଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

ସେପଟେ ବାତ୍ୟା ବୁଲବୁଲ ଓଡିଶାରେ ଲ୍ୟାଣ୍ଡଫଲ କରିନପାରେ କିନ୍ତୁ ଏହାର ପ୍ରଭାବ ଓଡିଶା ଉପରେ ପଡିବ । ବାତ୍ୟା ଓଡିଶା ପାଖ ଦେଇ ଗଲାବେଳେ ପବନର ବେଗ ୮୦-୯୦ କିଲୋମିଟର ରହିବ । ବାତ୍ୟା ଓଡିଶା ପାଖ ଦେଇ ପଶ୍ଚିମବଂଗ ଗଲା ବେଳେ ଓଡିଶାରେ ବର୍ଷା ଆରମ୍ଭ ହୋଇଯିବ । ୮, ୯ ଓ ୧୦ ତାରିଖରେ ଅଧିକ ବର୍ଷା ହେବ । ଜଗତସିଂହପୁର, କଟକ, ପୁରୀ, କେନ୍ଦ୍ରାପଡା, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ଚେତାବନୀ ଦିଆଯାଇଛି ।

ଏନଡିଆରଏଫ ଓ ଓଡ୍ରାଫ ଟିମକୁ ସବୁ ଜିଲ୍ଲା ପାଇଁ ସଜାଗ ରଖା ଯାଇଛି । ସମୁଦ୍ର ଭିତରକୁ ୧୯ ହଜାର ୬୫୩ ଟି ଡଙ୍ଗା ଯାଇଥିଲା ସେଥିରୁ ୧୯ ହଜାର ୬୪୧ ଟି ବୋଟ ଫେରିଆସିଛି । ବାତ୍ୟାର ବେଗ ବଢୁଛି କଚାଘର ଓ ବିଦ୍ୟୁତ ଖୁଂଟି ଉପରେ ନଜର ରଖାଯାଇଛି ।