ବତକ ଚାଷ କରିଛି ଆତ୍ମ ନିର୍ଭରଶୀଳ: କେନ୍ଦ୍ରାପଡା ଖରିନାସି ଗାଁର ମିନାକ୍ଷୀ ବତକ ଫାର୍ମ କରି ହୋଇପାରିଛନ୍ତି ସ୍ୱାବଲମ୍ବୀ

139

କନକ ବ୍ୟୁରୋ: ବତକ ଚାଷ କରିଛି ଆତ୍ମ ନିର୍ଭରଶୀଳ ଆଉ ଦେଇଛି ରୋଜଗାର । ପଡିଆ ପଡିଥିବା ଜମିରେ ବତକ ଫାର୍ମ ପ୍ରତିଷ୍ଠା କରି ବାର୍ଷିକ ଲକ୍ଷାଧୀକ ଟଙ୍କା ରୋଜଗାର କରୁଛନ୍ତି ଜଣେ ସଫଳ ମହିଳା ବତକ ଚାଷି । ଘରର ସମସ୍ତ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ବଳକା ସମୟରେ ତୁଲାଉଛନ୍ତି ବତକ ଫାର୍ମର ଦାୟିତ୍ୱ । ବତକ ଚାଷପାଇଁ ଆଗ୍ରହୀ ଯୁବକ ଏବଂ ଯୁବତୀ ମାନେ ବତକ ଫାର୍ମ ବୁଲି ଦେଖିବା ସହିତ ଆହରଣ କରୁଛନ୍ତି ଜ୍ଞାନକୈାଶଳ । ତାଙ୍କର ଏହି ସଫଳତା ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ ।

କିଛି ନୁଆ କରି ଦେଖାଇବାର ଇଚ୍ଛା ଏବଂ ଆତ୍ମ ନିର୍ଭରଶୀଳ ହେବାର ନିଶା ଆଣି ଦେଇଛି ସଫଳତା । ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଖରିନାସି ଗ୍ରାମର ମିନାକ୍ଷୀ କବିରାଜ ରାୟଙ୍କ କଥା । ଜଣେ ଗୃହୀଣି ହୋଇଥିଲେ ମଧ୍ୟ ନିଜସ୍ୱ ଚେଷ୍ଟା ଓ ଉଦ୍ୟମ ବଳରେ ଏକ ବତକ ଫାର୍ମ ପ୍ରତିଷ୍ଠା କରି ପ୍ରାୟ ୧୦୦୦ରୁ ଉର୍ଦ୍ଧ ବତକ ପାଳନ କରିବା ସହିତ ଉତ୍ପାଦିତ ହେଉଥିବା ଅଣ୍ଡା ଏବଂ ବତକ ବିକ୍ରି କରି ରୋଜଗାର କରୁଛନ୍ତି ବାର୍ଷିକ ଲକ୍ଷାଧିକ ଟଙ୍କା । ଦୈନିକ ପ୍ରାୟ ୪୦୦ ରୁ ଉର୍ଦ୍ଧ ଅଣ୍ଡା ମିଳୁଥିବା ବେଳେ ଏହାକୁ ଗୋଟା ପ୍ରତି ୮ ରୁ ୧୦ ଟଙ୍କା ହିସାବରେ ଜଗତସିଂହପୁର , କଟକ ଏବଂ ଯାଜପୁର ଜିଲ୍ଲା ସହିତ ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି । ଆଉ ଏସବୁ ପାଇଁ ସହେଯାଗ ଯୋଗାଇ ଦେଉଛନ୍ତି ତାଙ୍କ ସ୍ୱାମୀ । ଏହି ବ୍ୟବସାୟରେ ସମସ୍ଥ ଖର୍ଚ୍ଚ ଯାଇ ବାର୍ଷିକ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଆୟ ହେଉଥିବା କହିିଛନ୍ତି ମିନାକ୍ଷୀ । ସ୍ଥାନିୟ ଅଂଚଳର ଆଗ୍ରହି ଚାଷି ମାନେ ଫାର୍ମର୍କୁ ଆସି ବତକ ଚାଷ ବିଷୟରେ ମିନାକ୍ଷୀଙ୍କ ନିକଟରୁ ପଚାରି ବୁଝିବା ସହିତ ବତକ ଚାଷ ପାଇଁ ଆଗ୍ରହ ପ୍ରକାଶ କରୁଥିବାର ବି ଦେଖାଯାଉଛି ।

ମିନାକ୍ଷୀ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ ହେବ ଏହି ବତକ ଫାର୍ମର୍ ଆରମ୍ଭ କରିଥିବା ବେଳେ କଟକ ସ୍ଥିତ ବତକ ପ୍ରଜନନ କେନ୍ଦ୍ରରୁ ବତକ ଛୁଆ ଆଣି ଫାର୍ମର୍ ଆରମ୍ଭ କରିଥଲେ । ଖାକି କ୍ୟାମ୍ବେଲ୍ , ଇଣ୍ଡିଆନ ରନର ଏବଂ ହ୍ୱାଇଟ୍ ପେକିନ୍ ପରି ତିନୋଟି ପ୍ରଜାତିର ବତକ ପାଳନ କରୁଛନ୍ତି ମିନାକ୍ଷୀ । ଖାକି କ୍ୟାମ୍ବେଲ୍ ବତକ ଛୁଆ ଗୋଟି ପ୍ରତି ପ୍ରାୟ ୪୫ ରୁ ୫୫ ଟଙ୍କା କିଣା ପଡୁଥିବା ବେଳେ ଇଣ୍ଡିଆନ ରନର ୩୫ ଟଙ୍କା ଏବଂ ହ୍ୱାଇଟ୍ ପେକିନ୍ ୬୫ ଟଙ୍କାରେ କିଣାଯାଏ ।

ଏହି ତିନି ପ୍ରଜାତିର ବତକ ମାନଙ୍କ ମଧ୍ୟରୁ ହ୍ୱାଇଟ୍ ପେକିନ୍ କେବଳ ମାଂସ ପାଇଁ ପାଳନ କରାଯାଉଥିବା ବେଳେ ଖାକି କ୍ୟାମ୍ବେଲ୍ ଏବଂ ଇଣ୍ଡିଆନ୍ ରନର ଅଣ୍ଡା ପାଇଁ ପାଳନ କରାଯାଇଥାଏ । ଖାକି କ୍ୟାମ୍ବେଲ୍ ବାର୍ଷିକ ୨୬୦ ରୁ ୩୨୦ଟି ଅଣ୍ଡା ଦେଉଥିବା ବେଳେ ଇଣ୍ଡିଆନ ରନର ୧୮୦ ରୁ ୨୬୦ ଅଣ୍ଡା ଦେଇଥାନ୍ତି । ପ୍ରତ୍ୟେକ ପ୍ରଜାତିର ବତକ ଗୁଡିକର ଓଜନ ୨ କେଜି ମଧ୍ୟରେ ରହିଥାଏ । ସେହିପରି ବତକ ଗୋଟା ପ୍ରତି ୪୦୦ ଟଙ୍କାରେ ବିକ୍ରି ହୋଇଥାଏ । ମିନାକ୍ଷୀ ବତକ ଫାର୍ମ ପ୍ରତିଷ୍ଠା କରିବା ପାଇଁ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଅନ୍ୟପଟେ ସରକାରୀ ସାହାର୍ଯ୍ୟ ସହଯୋଗ ମିଳିଳେ ବ୍ୟବହାସୟରେ ଅଧିକ ଉନ୍ନତି ହୋଇପାରନ୍ତା ବୋଲି କହିଛନ୍ତି ସେ ।

ବତକ ଫାର୍ମର୍ ପ୍ରତିଷ୍ଠା କରି ସଫଳତା ପାଇଥିବା ମିନାକ୍ଷୀ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ବେଳେ ଫାର୍ମର୍କୁ ବଢାଇବାକୁ ହେଲେ ସରକାରି ସାହାର୍ଯ୍ୟ ସହଯୋଗ ଯୋଗାଇଦେବା ପାଇଁ ଦାବି କରିଛନ୍ତି ।