କନକ ବ୍ୟୁରୋ : ଦୁବାଇର ରାଜା ଶେଖ୍ ମହମ୍ମଦ ବିନ୍ ରସିଦ୍ ଅଲ ମକତୁମ ପତ୍ନୀ ତଥା ଦୁବାଇର ରାଣୀ ହୟା ବିନ୍ତ ଅଲ ହୁସେନଙ୍କୁ ଛାଡପତ୍ର ବାବଦକୁ ୫୫୦୦ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ରିଟେନ୍ ଇତିହାସରେ ସବୁଠୁ ଦାମୀ ତଲାକ୍ ବା ଛାଡପତ୍ର ବୋଲି କୁହାଯାଉଛି । କେବଳ ଏତିକି ନୁହେଁ ତାଙ୍କର ଦୁଇ ସନ୍ତାନ ୧୪ ବର୍ଷିୟ ଅଲ ଜଲିଲା ଓ ୯ ବର୍ଷର ଜାୟଦଙ୍କ ଭରଣ ପୋଷଣ ପାଇଁ ୨୯୦୦ କୋଟି ଟଙ୍କା ଦେବାକୁ ଦୁବାଇର ରାଜାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଜୋର୍ଡାନର ପୂର୍ବତନ ରାଜା ହୁସେନଙ୍କ ଝିଅ ହେଉଛନ୍ତି ରାଣୀ ହୟା । ହାଇକୋର୍ଟ ବିଚାରପତି ଫିଲିମ୍ ମୁର କହିଛନ୍ତି ଯେ, ହୟାଙ୍କୁ ମାନସିକ ଏବଂ ଶାରୀରିକ ନିର୍ୟାତନା ଦେଉଥିଲେ ଦୁବାଇର ରାଜା ଶେଖ୍ ମହମ୍ମଦ। ୧୬ବର୍ଷ ଏଭଳି ଅତ୍ୟାଚାର ସହିବା ପରେ ଶେଷରେ ସେ ଦୁବାଇର ରାଜା ଶେଖ୍ ମହମ୍ମଦଙ୍କଠାରୁ ଅଲଗା ହୋଇଛନ୍ତି। ଛାଡ଼ପତ୍ର ପରେ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ପାଇଁ କଡା ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟଙ୍କୁ ନେହୁରା ହୋଇଛନ୍ତି ହୟା ।

ଏହି ମାମଲା ଲଢୁଥିବା ଓକିଲଙ୍କ କହିବା ମୁତାବକ, ରାଜା ଏକାଥରକେ ୨୫୦୦ କୋଟି ଟଙ୍କା ପ୍ରଦାନ କରିବେ । ଏହାସହ ତାଙ୍କ ପିଲାମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନିରାପତ୍ତା ବ୍ୟବସ୍ଥା କରିବା ସହ ଅଧିକ ୨୯୦୦ କୋଟି ଦେବେ । ଏହି ରାଶି ବ୍ୟାଙ୍କରେ ଜମା ରହିବ । ରାଣୀ ଛାଡପତ୍ର ପାଇଁ ପ୍ରାୟ ୧୪ ହଜାର କୋଟି ଟଙ୍କା ଦାବି କରିଥିଲେ । ହେଲେ କୋର୍ଟ ଏହାର ବିଚାର କରି ଏହାକୁ ୫୫୦୦ କୋଟିରେ ଧାର୍ଯ୍ୟ କରିଛନ୍ତି ।

ଦୁବାଇ ରାଜାଙ୍କ ସହ ବିବାହର ୧୬ ବର୍ଷ ପୁରେ ରାଣୀ ହାୟା ଅତି ଗୋପନୀୟ ଭାବେ ୨୦୧୮ରେ ଦୁବାଇ  ଛାଡିଥିଲେ । ନିଜ ଅଙ୍ଗରକ୍ଷୀଙ୍କ ସହାୟତାରେ ସେ ଲଣ୍ଡନ ଚାଲି ଆସିଥିଲେ । ଏପରିକି ନିଜ ଅଙ୍ଗରକ୍ଷୀଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ରହିଥିଲା । ଏହା ଜାଣିବା ପରେ ୨୦୧୯ରେ ସରିଆ ଆଇନ ଅନୁଯାୟୀ ରାଣୀ ହୟାଙ୍କୁ ନଜଣାଇ ଛାଡପତ୍ର ଦେଇଥିଲେ ଦୁବାଇ ରାଜା । ଆଉ ଏହାପରେ ଲଣ୍ଡନରେ ରହି ଆଇନଗତ ଲଢେଇ ଲଢିଥିଲେ ରାଣୀ ହାୟା ।