ଦୁବାଇ ଲଞ୍ଚ କଲା ବିଶ୍ୱର ଗଭୀରତମ ସ୍ୱିମିଂ ପୁଲ । ୬୦ ମିଟର ଗଭୀର ସ୍ୱିମିଂ ପୁଲରେ ରହିଛି ଦୋକାନ, ଲାଇବ୍ରେରି ସହ ରେସ୍ତୋରାଁ 

252

କନକ ବ୍ୟୁରୋ: ବିଶ୍ୱର ସବୁଠାରୁ ଗଭୀର ସ୍ୱିମିଂ ପୁଲ ଲଂଚ୍ କଲା ଦୁବାଇ । ‘ଡିପ୍ ଡାଇବ୍ ଦୁବାଇ’ ନାମରେ ୬୦ ମିଟର ଗଭୀର ସ୍ୱିମିଂ ପୁଲ ଲଂଚ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ଦୁବାଇ । କେମିତି ରହିଛି ଏହି ଗଭୀର ସ୍ୱିମିଂ ପୁଲ, ଚାଲନ୍ତୁ ଆମେ ବି ଦେଖିବା ।

ବିଶ୍ୱର ସବୁଠାରୁ ଗଭୀର ସ୍ୱିମିଂ ପୁଲ ଲଂଚ କରି ଏବେ ଚର୍ଚ୍ଚାରେ ଦୁବାଇ । ଯେଉଁଠି ‘ଡିପ୍ ଡାଇବ୍ ଦୁବାଇ’ ନାମରେ ୬୦ ମିଟର ଗଭୀର ସ୍ୱିମିଂ ପୁଲ ନିର୍ମାଣ କରାଯାଇଛି । ଏକ ବିଶାଳ ଜାହାଜ ଆକୃତି ଭଳି ଦେଖିବାକୁ ଏହି ସ୍ୱିମିଂ ପୁଲ । ଯାହାର ଆକାର ୧୫୦୦ ବର୍ଗମିଟର  ଏବଂ ୧କୋଟି ୪୦ ଲକ୍ଷ ଲିଟର ପାଣି ଧରିବାର କ୍ଷମତା ରହିଛି ଏହି ସ୍ୱିମିଂ ପୁଲର । ଦୁବାଇର କ୍ରାଉନ ପ୍ରିନ୍ସ ଶେଖ ହମଦାନ ବିନ୍ ମୋହମ୍ମଦ ଗୁରୁବାର ନିଜ ସୋସିଆଲ ମିଡିଆରେ ଏହି ସ୍ୱିମିଂ ପୁଲର ଭିଡିଓ ଜାରି କରି ଲୋକଙ୍କୁ ଏହାର ମଜା ନେବା ପାଇଁ କହିଛନ୍ତି । ବିଶ୍ୱର ଏହି ବିଶାଳ ସ୍ୱିମିଂ ପୁଲର ରହିଛି ଅନେକ ବିଶେଷତ୍ୱ ।

ଡିପ୍ ଡାଇବ୍ ଦୁବାଇ’ ର ବିଶେଷତ୍ୱ- 

– ଏହାର ଆକାର ୧୫୦୦ ବର୍ଗମିଟର

– ସ୍ୱିମିଂ ପୁଲର କ୍ଷମତା ୧.୪ କୋଟି ଲିଟର ପାଣି

– ଏହି ସ୍ୱିମିଂ ପୁଲ ଭିତରେ ରହିଛି ଏକ ଡାଇବ୍ ସପ, ଉପହାର ଦୋକାନ, ୮୦ ଟି ସିଟ୍ ବିଶିଷ୍ଟ ରେସ୍ତୋରାଁ  

– ଏହି ପୁଲ ଭିତରେ ୨ଟି ଅଣ୍ଡର ୱାଟର ଡ୍ରାଏ ଚାମ୍ବର ମଧ୍ୟ ରହିଛି

ମାନେ ପାଣି ଭିତରେ ବି ଓଦା ନହୋଇ ପାଣିର ମଜା ନେଇ ପାରିବେ ପର୍ଯ୍ୟଟକ । ଏହି ସ୍ୱିମିଂ ପୁଲରେ ଥିବା ପାଣିକୁ ନାସା ଦ୍ୱାରା ବିକଶିତ କରାଯାଇଛି । ‘ସିଲସିଲିୟସ ଭୋଲକାନିକ୍ ରକ’ ଫିଲ୍ଟର ଟେକ୍ନୋଲୋଜି ଜରିଆରେ ପ୍ରତି ୬ ଘଂଟାରେ ଏହାର ପାଣିକୁ ଫିଲଟର କରାଯାଉଛି । ଏହାସହିତ ପାଣି ଭିତରେ ଡାଇବ କରୁଥିବା ଲୋକଙ୍କୁ ଆରାମ ପ୍ରଦାନ ପାଇଁ ପାଣିର ତାପମାତ୍ରା ୩୦ ଡିଗ୍ରୀ ସେଲସିଅସ୍ରେ ରଖା ଯାଇଥାଏ । ଜୁଲାଇ ଶେଷ ସୁଦ୍ଧା ‘ଡିପ୍ ଡାଇବ୍ ଦୁବାଇ’ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ । ଏହି ସ୍ୱିମିଂ ପୁଲ ବିଶ୍ୱର ଗଭୀରତମ ସ୍ୱିମିଂ ପୁଲ ଭାବେ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ବନାଇଛି ।