କନକ ବ୍ୟୁରୋ : ଅଜବ ନିୟମ । ବାଲକୋନିରେ ଲୁଗା ଶୁଖାଇଲେ ଗଣିବାକୁ ପଡିବ ଜରିମାନା । ସାଧାରଣତଃ ବିଭିନ୍ନ ସହରରେ ରହୁଥିବା ଲୋକମାନେ ବାଲକୋନିରେ ଲୁଗା ଶୁଖାଉଥିବାର ଦେଖିବାକୁ ମିଳେ । ଏହା କେବଳ ଭାରତ ନୁହେଁ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ଏମିତି କିଛି ଦେଖିବାକୁ ମିଳେ । କିନ୍ତୁ ଏବେ ବାଲକୋନିରେ ଲୁଗା ଶୁଖାଇଲେ ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା । ଆଉ ଏଭଳି ନିୟମ ଦୁବାଇରେ ଲାଗୁ କରାଯାଇଛି ।
ୟୁନାଇଟେଡ ଅଫ୍ ଆରବ ଏମିରେଟ୍ସ (ୟୁଏଇ) ପର୍ଯ୍ୟଟନରୁ ସର୍ବାଧିକ ଆୟ ସଂଗ୍ରହ କରିଥାଏ । ତେଣୁ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସମୟରେ ଉକ୍ତ ଦେଶର ସରକାର ଭିନ୍ନ ଭିନ୍ନ ନିୟମ ପ୍ରଣୟନ କରିଥାଆନ୍ତି। ନିକଟରେ ଦୁବାଇରେ କିଛି ନୂଆ ନିୟମ ହୋଇଛି। ଏହି ନିୟମ ଅବମାନନା କଲେ ଜରିମାନା ଦେବାକୁ ପଡ଼ିବ। ବିଶେଷ ଭାବେ ଏହି ନିୟମ ଦୁବାଇରେ ରହୁଥିବା ଭାରତୀୟଙ୍କ ପାଇଁ ଜାଣିବା ନିହାତି ଆବଶ୍ୟକ। ଦୁବାଇରେ ଏଣିକି ବାଲକୋନିରେ ଲୁଗା ଶୁଖାଇବାକୁ ନେଇ ପ୍ରତିବନ୍ଧକ ଲଗାଯାଇଛି। ଏହି ନିୟମକୁ ଯିଏ ଅବମାନନା କରିବ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଦେବାକୁ ପଡିବ ।
କେବଳ ଏତିକି ନୁହେଁ ବାଲକୋନିରେ ସିଗାରେଟ ଟାଣୁଥିବା ସମୟରେ ଏହାର ଖଣ୍ଡ ଯଦି ତଳେ ପଡ଼ିଯାଏ, ତେବେ ଏଥିପାଇଁ ବି ଜରିମାନା ଦେବାକୁ ପଡ଼ିବ। ଦୁବାଇ ନଗରପାଳିକା ସହରକୁ ଆବର୍ଜନାମୁକ୍ତ ରଖିବା ପାଇଁ ଏପରି ଏକ ପଦକ୍ଷେପ ନେଇଛି। କେବଳ ଏତିକି ନୁହେଁ ବାଲକୋନିରୁ ଅଳିଆ ଆବର୍ଜନା ପକାଇଲେ, ବାଲକୋନି ଧୋଇବା ସମୟେରେ ପାଣି ତଳେ ପଡିଲେ, ବାଲକୋନିରେ ଲାଗିଥିବା ଏସିରୁ ପାଣି ତଳେ ପଡିଲେ, ବାଲକୋନିରୁ ପକ୍ଷୀଙ୍କୁ ଖାଇବାକୁ ଦେଲେ ଏବଂ ବାଲକୋନିରେ କୌଣସି ଆଣ୍ଟିନା ଲଗାଇଲେ ମଧ୍ୟ ଜରିମାନା ଗଣିବାକୁ ପଡିବ ।
In line with #DubaiMunicipality’s keenness to raise the community’s awareness of the requirements and standards for a sustainable environment, it urges all UAE residents to avoid distorting the city’s general aesthetic and civilised appearance. pic.twitter.com/PmQRs7iJL8
— بلدية دبي | Dubai Municipality (@DMunicipality) December 27, 2021
କେବଳ କାଗଜ କଲମରେ ଏହି ନିୟମ ସୀମିତ ରହିବ ନାହିଁ । ବରଂ ନିୟମର ଉଲ୍ଲଂଘନ କଲେ ଜରିମାନା ଗଣିବାକୁ ପଡିବ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜାରି ହୋଇଥିବା ନୂଆ ନିୟମର ଉଲ୍ଲଂଘନ କଲେ ୧୦ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡିବ । ଏନେଇ ନଗରପାଳିକା ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ବାଲକୋନିର ଅପବ୍ୟବହାର କରନ୍ତୁ ନାହିଁ, ଏହାକୁ ସବୁ ବେଳେ ସଫାସୁତୁରା ରଖନ୍ତୁ । ବାଲକୋନିରେ ଏପରି କିଛି କରନ୍ତୁ ନାହିଁ, ଯାହାଦ୍ୱାରା ବାଲକୋନି ଅପରିଷ୍କାର ଦେଖାଯିବ। ବାଲକୋନିର ଅପବ୍ୟବହାର କାରଣରୁ ପ୍ରଦୂଷଣ ବୃଦ୍ଧି ପାଇବା ସହ ଅସୁନ୍ଦର ପରିବେଶ ସୃଷ୍ଟି ହୋଇଥାଏ। ଏହାଛଡା ଦୁବାଇକୁ ଆସୁଥିବା ପର୍ଯ୍ୟଟକଙ୍କ ମନରେ ସହରର ସ୍ୱଚ୍ଛ ଛବି ସୃଷ୍ଟି କରିବାକୁ ଏଭଳି ଉପାୟ ସରକାରଙ୍କ ପକ୍ଷରୁ ଆପଣାଯାଇଥିବା କୁହାଯାଉଛି । ଏହାପୂର୍ବରୁ ୨୦୧୮ରେ କୁଏତରେ ମଧ୍ୟ ଏଭଳି ଏକ ନିୟମ ଜାରି କରାଯାଇଥିଲା । ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ପାଇଁ ନିଜ ଦେଶର ନାଗରିକଙ୍କ ପାଇଁ ଏଭଳି ନିୟମ ଜାରି କରିଥିଲା କୁଏତ ।