କନକ ବ୍ୟୁରୋ: ପାଖେଇ ଆସୁଛି ଆଇପିଏଲ । ବହୁପ୍ରତିକ୍ଷିତ ଆଇପିଏଲ ପାଇଁ ଦିନ ଯେତିକି ପାଖେଇ ଆସୁଛି, କ୍ରିକେଟ ପ୍ରେମୀଙ୍କ ମନରେ ଉକ୍ରଣ୍ଠା ସେତିକି ବଢ଼ିବାରେ ଲାଗିଛି । ସେପଟେ ୟୁଏଇରେ ଚାଲିଛି ଜୋରଦାର ପ୍ରସ୍ତୁତି । ଆଇପିଏଲ ପାଇଁ ସଜେଇ ହୋଇଛି ଦୁବାଇ । ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଦୁବାଇ ଓ ଆବୁଧାବୀର ଷ୍ଟାଡିୟମ ।
ୟୁଏଇରେ ହେବାକୁ ଥିବା ଚଳିତ ବର୍ଷ ଆଇପିଏଲରେ ମୋଟ ୫୬ ମ୍ୟାଚ ଖେଳାଯିବ । ଏଥିରୁ ଦୁବାଇରେ ୨୪ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଆବୁଧାବିରେ ୨୦ଟି ମ୍ୟାଚ ଖେଳାଯିବ । ସେହିପରି ୧୨ଟି ଲିଗ ମ୍ୟାଚ ଶାରଜାହ ଷ୍ଟାଡିୟମରେ ଖେଳା ଯିବ । ଅନ୍ୟପକ୍ଷରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିକଟରେ ଶାରଜାହ ଷ୍ଟାଡିୟମ ଗସ୍ତରେ ଯାଇଥିଲେ । ସେଠାରେ ସେ ଷ୍ଟାଡିୟମ ଅନୁଧ୍ୟାନ କରିଥିଲେ । ତେବେ ଚଳିତ ଆଇପିଏଲ ମ୍ୟାଚ ଏହି ୩ ଷ୍ଟାଡିୟମରେ ଖେଳାଳିଙ୍କ ପାଇଁ ଅନୁକୂଳ ହେବ ବୋଲି କୁହାଯାଉଛି ।
କୋଭିଡ-୧୯ ପାଇଁ ଚଳିତ ବର୍ଷ ୟୁଏଇରେ ଆଇପିଏଲ ଅନୁଷ୍ଠିତ ହେଉଛି । କୋଭିଡର ସମସ୍ତ ନିୟମ ପାଳନ କରି ଖେଳିବା ପାଇଁ ବିସିସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର । ସେଥିପାଇଁ ବିସିସିଆଇ ସମସ୍ତ କୋଭିଡ ନିୟମ ପାଳନ କରି ଆଇପିଏଲ ଆୟୋଜନ କରୁଛି ।