କନକ ବ୍ୟୁରୋ : ଚର୍ଚ୍ଚାର ହେଲା ଅନ୍ତ । ଘୋଷଣା ହେଲା ବାଙ୍ଗାଲୋରର ନୂଆ ଅଧିନାୟକଙ୍କ ନାଁ । ୨୦୨୨ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ଭାବେ ଫାଫ୍ ଡୁ ପ୍ଲେସିସଙ୍କୁ ଗୁରୁଦାୟିତ୍ୱ ଦେଇଛି । ଚଳିତଥର ମହାନିଲାମୀରେ ଡୁ ପ୍ଲେସିସଙ୍କୁ କିଣିଥିଲା ବାଙ୍ଗାଲୋର । ୭ କୋଟି ଟଙ୍କାରେ ଡୁ ପ୍ଲେସିସଙ୍କୁ ବାଙ୍ଗାଲୋର କିଣିଥିବା ବେଳେ ବଡ ଦାୟିତ୍ୱ ଦେଇଛି ଫ୍ରାଞ୍ଜାଇଜ ।

Advertisment

ଆରସିବିର ଅଧିନାୟକ ଦୌଡରେ ଡୁ ପ୍ଲେସିସଙ୍କ ସମେତ ଗ୍ଲେନ ମ୍ୟାକ୍ସୱେଲ ଓ ଦୀନେଶ କାର୍ତ୍ତିକ ରହିଥିଲେ । କିନ୍ତୁ ଦଳର ମଙ୍ଗ ଧରିବାକୁ ଡୁ ପ୍ଲେସିସଙ୍କ ଉପରେ ଭରସା କରିଛି ଫ୍ରାଞ୍ଜାଇଜ । ଏହା ପୂର୍ବରୁ ଚାମ୍ପିୟନ ଚେନ୍ନାଇ ପାଇଁ ଖେଳି ସାରିଛନ୍ତି ଡୁ ପ୍ଲେସିସ । ଏହାଛଡା ଅଧିନାୟକ ଦାୟିତ୍ୱ ମଧ୍ୟ ତାଙ୍କ ପାଇଁ ନୂଆ ନୁହେଁ । ତାଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ୪୦ଟି ଟି-୨୦ରୁ ୨୫ଟି ଟି-୨୦ ମ୍ୟାଚରେ ବିଜୟୀ ହୋଇଛି ।

ସେହିଭଳି ଆଇପିଏଲରେ ମଧ୍ୟ ଡୁ ପ୍ଲେସିସଙ୍କ ପ୍ରଦର୍ଶନ ବେଶ ଦମଦାର ରହିଛି । ଗତ ଆଇପିଏଲରେ ଡୁ ପ୍ଲେସିସ ଦ୍ୱିତୀୟ ସର୍ବାଧିକ ରନ୍ ହାସଲ କରିଥିଲେ । ୧୬ଟି ମ୍ୟାଚରୁ ଡୁ ପ୍ଲେସିସ ୬୩୩ ରନ କରିଥିଲେ । ମାର୍ଚ୍ଚ ୨୬ରେ ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୨୭ରେ ପଞ୍ଜାବ କିଙ୍ଗସକୁ ଭେଟିବ ବାଙ୍ଗାଲୋର ।