ମା’କୁ ମେଳା ବୁଲାଇ ନେଲେ ଡିଏସପି ପୁଅ: ସରକାରୀ ଗାଡିରେ ବସି ଖୁସିହେଲା ମା’

302

କନକ ବ୍ୟୁରୋ: ସଫଳତା ପାଇବା ପାଇଁ ସମସ୍ତେ ସଂଘର୍ଷ କରନ୍ତି । ସଂଘର୍ଷରୁ ସଫଳତା ପାଇବାର ଖୁସି ସେହି ହିଁ ଜାଣିଥାଏ ଯିଏ ଗରିବିକୁ ଅତି ନିକଟରୁ ଦେଖିଥାଏ । ଆଉ ସେହି ଗରିବ ଘରର ପୁଅ ଯେତେବେଳେ ସଫଳତା ପାଏ, ସେହି ସଫଳତାର ଶ୍ରେୟ ସେ ନିଜ ବାପା ମାଙ୍କୁ ଦେଇଥାଏ । ଠିକ ସେମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗ୍ୱାଲିୟର ସହରରେ । ଗ୍ୱାଲିୟରର ଡିଏସପି ସନ୍ତୋଷ ପଟେଲ ସରକାରୀ ଗାଡିରେ ନିଜ ମା’ଙ୍କୁ ବସାଇଥିଲେ । ଆଉ ଏହି ହୃଦୟ ଛୁଆଁ ଭିଡିଓ ସୋସିଆଲମିଡିଆରେ ପୋଷ୍ଟ କରିଥିଲେ ।

ଡିଏସପି ସନ୍ତୋଷ ପଟେଲଙ୍କ ମା ଗାଁରୁ ନିଜ ଡିଏସପି ପୁଅକୁ ଭେଟିବାକୁ ଗ୍ୱାଲିୟର ଆସିଥିଲେ । ଆଉ ଏଭଳି ସୁଯୋଗକୁ ହାତ ଛଡା କରିନଥିଲେ ଡିଏସପି ପୁଅ । ମାଙ୍କୁ ନିଜ ସରକାରୀ ଗାଡିରେ ବସାଇ ଗ୍ୱାଲିୟର ମେଳା ବୁଲାଇ ନେଇଥିଲେ । ଯାହା ଅତି ହୃଦୟଛୁଆଁ ଥିଲା । ଗାଡିରେ ବସିବା ପରେ ଡିଏସପି ପୁଅ ଓ ମା ଅନେକ କଥା ଆଲୋଚନା କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ତେବେ ଏହି ସମୟର ଭିଡିଓ କରି ଡିଏସପି ସନ୍ତୋଷ ପଟେଲ ନିଜ ଫେସବୁକରେ ସେୟାର କରିଥିଲେ । ଆଉ ଲେଖିଥିଲେ, ମା ସରକାରୀ ଗାଡିରେ ମୁଣ୍ଡିଆ ମାରି ବସିଲେ । ପଚାରିବାରୁ କହିଲେ, ଯେତେବେଳେ ଆମେ ଘର ଛାଡି ଗାଡିରେ ବସୁ ସେତେବେଳେ ଜୀବନର ଭଗବାନ ହେଉଛି ବାହନ । କାହିଁକି ନା ତା ଭରସାରେ ଆମେ ଗନ୍ତବ୍ୟ ସ୍ଥଳରେ ପହଁଞ୍ଚିଥାଉ । ଆଉ ଏବେ ମୁଁ ବି ମାଙ୍କୁ ନକଲ କରି ଗାଡିକୁ ମୁଣ୍ଡିଆ ମାରି ବସିବି ।

କେବଳ ଏହି ଘଟଣା ନୁହେଁ ପୂର୍ବରୁ ଏମିତି ଅନେକ କାମ ପାଇଁ ସୋସିଆଲମିଡିଆରେ ଚର୍ଚ୍ଚାରେ ରହିଥାନ୍ତି ଡିଏସପି ସନ୍ତୋଷ ପଟେଲ । କେତେବେଳେ କେଉଁ ବୃଦ୍ଧ ଓ ଗରିବ ପିଲାଙ୍କୁ ସାହାଯ୍ୟ କରି ତ ଆଉ କେତେବେଳେ ନିଜ ମା’ଙ୍କ ସହ ଭିଡିଓ କରି । ବର୍ଷେ ତଳେ ନିଜ ମା’ଙ୍କୁ ଭେଟିବାକୁ ଅଚାନକ କ୍ଷେତରେ ପହଞ୍ଚିଥିଲେ ଡିଏସପି । ଯେଉଁଠି ତାଙ୍କ ମା କ୍ଷେତରେ ଘାସ କାଟୁଥିଲେ । ଆଉ ସେଠାରେ ପୋଲିସ ପୋଷାକରେ ପୁଅକୁ ଦେଖି ଖୁସି ହୋଇଯାଇଥିଲେ ମା’ ।

ମା ପୁଅଙ୍କ ଏହି ଭିଡିଓ ସୋସିଆଲମିଡିଆରେ ସେତେବେଳେ ଖୁବ ଭାଇରାଲ ହୋଇଥିଲା । ଆଉ ସେହି ସମୟରେ ଡିଏସପି ସୋସିଆଲମିଡିଆର ସେନସେସନ ପାଲଟିଯାଇଥିଲେ ।