ପୁଲିସ ବାବୁଙ୍କ ଗାନ୍ଧିଗିରି ! ହାତରେ କୋଦାଳ ଓ ଝାଡୁ ଧରି ନାଳ ସଫା କଲେ ଡିଏସପି, ଆବର୍ଜନା ଫିଙ୍ଗୁଥିବା ଲୋକଙ୍କ ନାଁରେ ଜାରି କଲେ ନୋଟିସ

28

କନକ ବ୍ୟୁରୋ : ଶୀତୁଆ ସକାଳରେ ହାତରେ କୋଦାଳ ନେଇ ଚାଲିଛି ସଫେଇ ଅଭିଯାନ । ନାଳରେ ପଶି ଅଳିଆ ଆବର୍ଜନା ସଫା କରୁଛନ୍ତି ପୋଲିସ ବାବୁ । ଫଟୋସୁଟ କିମ୍ବା ଲୋକପ୍ରିୟତା ପାଇଁ ନୁହେଁ ବରଂ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଆଗେଇ ଆସିଛନ୍ତି ମାଲକାନଗିରି ଡିଏସ୍ପି ମାନସ ବାରିକ । କେତେବେଳେ କୋଦାଳ ତ ଆଉ କେତେବେଳେ ଝାଡୁ । ହାତରେ ଗ୍ଲୋବସ୍ ପିନ୍ଧି ସଫେଇ କରୁଛନ୍ତି ଯୁବ ଓଡିଶା ପୋଲିସ ଅଧିକାରୀ । ବିଚ୍ଛିନ୍ନାଂଚଳରେ ସାମ୍ନାକୁ ଆସିଛି ପୁଲିସ ବାବୁଙ୍କ ଏହି ଗାନ୍ଧିଗିରି ।

dspମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ବସଷ୍ଟାଣ୍ଡ ଓ ଆଖପାଖ ଅଂଚଳକୁ ସଫା କରିଛନ୍ତି ଡିଏସପି । ବର୍ଷ ବର୍ଷ ଧରି ଏସବୁ ଅଂଚଳରେ ଅଳିଆ ଗଦା ହୋଇ ରହିଥିଲା । ନାଳ ନର୍ଦମାରେ ପଡି ରହିଥିଲା କୁଢ କୁଢ ଆବର୍ଜନା । ପୋଲିସ ବାବୁଙ୍କ ଆଖିରେ ଏସବୁ ପଡିବା ପରେ ନିଜେ ବାହାରିପଡିଥିଲେ ସଫେଇ ଅଭିଯାନରେ । ୪-୫ ଜଣ କର୍ମଚାରୀଙ୍କୁ ନେଇ ନିଜେ ଓହ୍ଲାଇପଡିଥିଲେ ନାଳ ଭିତରକୁ । ଆଉ ବେଶ୍ କିଛି ଘଂଟା ଧରି ଚାଲିଥିଲା ସଫେଇ କାମ ।

ପୋଲିସ ବାବୁ ଖାଲି ସଫେଇ କରିନଥିଲେ ରାସ୍ତାଘାଟରେ ଅଳିଆ ଫିଙ୍ଗୁ ଥିବା ପାଂଚଶହରୁ ଅଧିକ ଲୋକଙ୍କ ନାଁରେ ନୋଟିସ ବି ଜାରି କରିଥିଲେ । କିନ୍ତୁ ଏହାପରେ ମଧ୍ୟ ସୁଧୁରିନଥିଲେ ଲୋକ । ତେଣୁ ସେ ନିଜେ କୋଦାଳ ଧରି ବାହାରି ପଡିଥିଲେ ସଫେଇ ଅଭିଯାନରେ । ଏପରିକି ଅଳିଆ ଫିଙ୍ଗୁଥିବା ଦୋକନରେ ଚଢାଉ କରିଥିଲେ । ଆଖପାଖ ଦୋକାନରେ ଚଢାଉ କରି ବେଆଇନ ଭାବେ ରଖାଯାଇଥିବା ମଦ ଜବତ କରିଥିଲେ ଡିଏସପି ମାନସ ବାରିକ । ଡିଏସପି ବାବୁଙ୍କ ଗାନ୍ଧିଗିରି ଦେଖି ଲୋକେ କହିଥିଲେ, ପୋଲିସ ହେବ ତ ଏମିତି ।