ଓଡିଶାରେ କରୋନା ଟିକାର ଡ୍ରାଏ ରନ୍: କ୍ୟାପିଟାଲ ହସ୍ପିଟାଲରେ ବ୍ୟବସ୍ଥାର ତଦାରଖ କଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ; ରାଜ୍ୟର ୩୧ଟି ସ୍ଥାନରେ ଟିକାକରଣର ପ୍ରାକ୍ ଅଭ୍ୟାସ

ସେପଟେ, ସାରା ଦେଶର ୧୧୬ ଟି ଜିଲ୍ଲାର ୨୫୯ ଟି କେନ୍ଦ୍ରରେ ଆଜି ହୋଇଛି ପ୍ରାକ ଅଭ୍ୟାସ

132

କନକ ବ୍ୟୁରୋ: ଆଜିଠାରୁ ସାରା ଦେଶରେ କରୋନା ଟିକାର ଡ୍ରାଏ ରନ୍ ହୋଇଛି । ଏହିକ୍ରମରେ ଓଡିଶାରେ ମଧ୍ୟ କୋଭିଡ୍ ଟିକାର ଡ୍ରାଏ ରନ୍ ହୋଇଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକାକରଣର ପ୍ରାକ ଅଭ୍ୟାସ କରାଯାଇଛି । ଦେଶରେ ଓଡ଼ିଶା କେବଳ ଗୋଟିଏ ରାଜ୍ୟ ଯେଉଁଠାରେ ସବୁ ଜିଲ୍ଲାରେ ଡ୍ରାଏ ରନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଏଥିପାଇଁ ସମସ୍ତ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀଙ୍କୁ ଏସଓପି ପ୍ରଦାନ କରାଯାଇଥିଲା । କ୍ୟାପିଟାଲ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ କୋ ୱିନ୍ ୱେବ୍ ପୋର୍ଟାଲରେ ୟୁଜର ଆଇଡି ପ୍ରସ୍ତୁତ କରାଯାଇଛି ।

ପ୍ରତ୍ୟକ ଟିକାକରଣ କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟରଙ୍କୁ ମିଶାଇ ୫ ଜଣ ଉପସ୍ଥିତ ଅଛନ୍ତି । ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ସାମିଲ କରାଯାଇଛି । ଗୋଟିଏ ଟିକାକରଣ କେନ୍ଦ୍ର, ଟିକାକରଣ ଗୃହ ଓ ଗୋଟିଏ ନିରୀକ୍ଷଣ ଗୃହ ରହିଛି । ଟିକା ନେଉଥିବା ବ୍ୟକ୍ତିଙ୍କୁ ଅଧଘଂଟା ପାଇଁ ନିରୀକ୍ଷଣରେ ରଖାଯିବ । ଡ୍ରାଏ ରନ୍ ସମୟରେ କୋଭିଡର ସମସ୍ତ ନିୟମ ପାଳନ କରାଯିବାକୁ ନିର୍ଦ୍ଦେଶ ରହିଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅଙ୍ଗନବାଡି କର୍ମୀ ଓ ବୟସ୍ତ ବ୍ୟକ୍ତିଙ୍କୁ ଟିକା ଦେବା ଲାଗି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକାଦାନ ପାଇଁ ପ୍ରାଥମିକ ତାଲିକା ପ୍ରସ୍ତୁତ ହୋଇଛି । ଏଥିରେ ପରବର୍ତି ସମୟରେ ଆଉ ୫ ହଜାର ସ୍ୱାସ୍ଥ୍ୟକର୍ମୀ ସାମିଲ ହୋଇଛନ୍ତି ।

ଅନ୍ୟପଟେ, ଆଜି ସାରା ଦେଶରେ କରୋନା ଟିକାକରଣର ଡ୍ରାଏ ରନ୍ । ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ ଏହି ଡ୍ରାଏ ରନ୍ । ଦେଶରେ କରୋନା ଭାକସିନର କିପରି କରାଯିବ ଟିକାକରଣର ପୁରା ପ୍ରକ୍ରିୟା, ଏହି ଡ୍ରାଏ ରନ୍ ଜରିଆରେ ବ୍ୟବସ୍ଥା ତଦାରଖ କରାଯିବା ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଟିକା ଭଣ୍ଡାରରୁ ଯାଇ ଟିକାକରଣ କେନ୍ଦ୍ରରେ ପହଁଚିବା, ଟିକାଦାନ ଓ ଏହାର ପରବର୍ତି ବ୍ୟବସ୍ଥା ତଦାରଖ ପାଇଁ ପୁରା ନକସା ପ୍ରସ୍ତୁତ ହୋଇଛି । ଏଥିନେଇ ସ୍ୱତନ୍ତ୍ର ଏସଓପି ମଧ୍ୟ ଜାରି ହୋଇଛି । ଦିଲ୍ଲୀରେ ତିନୋଟି ସେଂଟରରେ କରାଯାଉଛି ଡ୍ରାଏ ରନ୍ । ଦିଲ୍ଲୀର ଦ୍ୱାରକା ଜିଲ୍ଲାର ଭେଙ୍କଟେଶ୍ୱର ହସ୍ପିଟାଲ, ଦରିୟାଗଂଜ ଡିସପେନସରୀ ଏବଂ ଶାହଦରା ଜିଲ୍ଲାର ଦିଲସାନ୍ ଗାର୍ଡେନ ଡାକ୍ତରଖାନାକୁ ଚୟନ କରାଯାଇଛି ।

ସେହିପରି ଉତରପ୍ରଦେଶର ଲଖନୌର ସହରା ଡାକ୍ତରଖାନା, ଆରଏମଏଲ ଡାକ୍ତରଖାନା, କେଜିଏମୟୁ ଡାକ୍ତରଖାନା ଏବଂ ଏସଜିପିଜିଆଇ ସମେତ ୬ଟା ଡାକ୍ତରଖାନାରେ ହେବ ଡ୍ରାଏ ରନ୍ । ଝାଡଖଣ୍ଡରେ ୫ଟି ଜିଲ୍ଲା ଡାକ୍ତରଖାନା, ଜାମ୍ମୁକାଶ୍ମୀରର ୩ଟି ଜିଲ୍ଲା ଡାକ୍ତରଖାନା, କେରଳର ୪ଟି ଜିଲ୍ଲା ଡାକ୍ତରଖାନା, କର୍ଣ୍ଣାଟକର ୫ଟି ଜିଲ୍ଲା ଡାକ୍ତରଖାନାରେ କରୋନା ଟିକାକରଣର ଡ୍ରାଏ ରନ୍ କରାଯାଇଛି । ଏହି କ୍ରମରେ ସାରା ଦେଶରେ ମୋଟ୍ ୧୧୬ ଟି ଜିଲ୍ଲାର ୨୫୯ ଟି କେନ୍ଦ୍ରରେ ଆଜି ଏହି ଡ୍ରାଏ ରନ୍ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।